ଭୁବନେଶ୍ୱର, ୧୪/୦୫ : ଭୁବନେଶ୍ଵର ନୂଆପଲ୍ଲୀ ଥାନା ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ହୋଟେଲରେ ଚାଲିଥିଲା ଧର୍ମାନ୍ତରୀକରଣ। ହୋଟେଲର ରୁଦ୍ଧ କୋଠରିରେ ଚାଲିଥିଲା ଧର୍ମ ପ୍ରଚାର। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଧର୍ମଗୁରୁମାନେ ଉକ୍ତ ହୋଟେଲରେ ୩ ଦିନ ଧରି କରିଥିଲେ ମେଳି। ଉପାନ୍ତ ଇଲାକାର ଆଦିବାସୀଙ୍କୁ ନିଜ ଧର୍ମରେ ମିଶାଇବା ପାଇଁ ରଚିଥିଲେ ଷଡ଼ଯନ୍ତ୍ର। ଉକ୍ତ ସମ୍ପ୍ରଦାୟର କର୍ମୀମାନେ ନୋଟ୍‌ ପ୍ୟାଡ୍‌ ଧରି ତାଲିମ୍‌ ନେଉଥିଲେ। ତାଲିମ ଅନୁସାରେ କର୍ମୀମାନେ ପରବର୍ତ୍ତୀ ସମୟରେ ଘର ଘର ବୁଲି ଆଦିବାସୀମାନଙ୍କୁ ପ୍ରଲୋଭିତ କରି ନିଜ ଧର୍ମରେ ସାମିଲ କରାଇଥାନ୍ତେ। ରାଜଧାନୀର ଏକ ହୋଟେଲରେ ଧର୍ମ ପ୍ରଚାର ଆଳରେ ଏଭଳି ଢ଼ଙ୍ଗରେ ଧର୍ମ ପରିବର୍ତ୍ତନ କରାଯିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଥିବାର ଅଭିଯୋଗ ହୋଇଛି। ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀମାନେ ହଠାତ୍‌ ପହଞ୍ଚିଯିବାରୁ ଏହି ଧର୍ମାନ୍ତରୀକରଣର ଷଡ଼ଯନ୍ତ୍ରରେ ଯବନିକା ପଡି଼ଛି। ପୁଲିସ ଉକ୍ତ ହୋଟେଲରୁ ଜଣେ ଯୁବତୀଙ୍କ ସହ ୭ଜଣ ବ୍ୟକ୍ତିଙ୍କୁ ଥାନାକୁ ଉଠାଇ ନେଇଛି । ଶହ ଶହ ସଂଖ୍ୟାରେ ନିର୍ଦ୍ଦିଷ୍ଟ ଧର୍ମ ଗ୍ରନ୍ଥ ଜବତ କରିଛି। 

ସୂଚନା ମୁତାବକ, ନୂଆପଲ୍ଲୀ ଅଞ୍ଚଳର ଅନ୍ନପୂର୍ଣ୍ଣା ହୋଟେଲରେ ଏହି କାରନାମା ଚାଲିଥିଲା । ଗତ ୧୧ ତାରିଖରୁ ୧୩ ତାରିଖ ଯାଏଁ ହୋଟେଲର ପ୍ରାୟ ୧୪ଟି ରୁମ୍‌ ବୁକ୍‌ ହୋଇଥିଲା । ଗୋଟିଏ ରୁମ୍‌ରେ ୮-୧୦ଜଣ ବ୍ୟକ୍ତି ରହିବା ପାଇଁ ବ୍ୟବସ୍ଥା ହୋଇଥିଲା । ହୋଟେଲର ସମ୍ମେଳନୀ କକ୍ଷରେ ପ୍ରାୟ ୨୫- ୩୦ଜଣ ଧର୍ମଗୁରୁ ବସିଥିଲେ । କର୍ମୀମାନେ ହାତରେ ନୋଟ୍‌ ପ୍ୟାଡ୍‌ ଧରିଥିଲେ । ଧର୍ମଗୁରୁମାନେ ଯାହା ଜ୍ଞାନ ବାଣ୍ଟୁଥିଲେ, କର୍ମୀମାନେ ଟିକିନିଖି କରି ଲେଖୁଥିଲେ । ଆଜି ଦ୍ୱିପହରରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଶତାଧିକ କର୍ମୀ ସେଠାରେ ପହଞ୍ଚିଲେ । ଉକ୍ତ ସମ୍ମେଳନୀ କକ୍ଷର ରୁମ୍‌ ଭିତରୁ ବନ୍ଦ ଥିବା ଦେଖି ହୋ-ହଲ୍ଲା ଆରମ୍ଭ କରିଥିଲେ । ହୋଟେଲ କର୍ତ୍ତୃପକ୍ଷଙ୍କୁ ଏସବୁ କାରନାମା ନେଇ କୈଫିୟତ ମାଗିଥିଲେ । ହୋଟେଲ କର୍ତ୍ତୃପକ୍ଷଙ୍କଠୁ କୌଣସି ସ୍ପଷ୍ଟ ଉତ୍ତର ନ ମିଳିବାରୁ ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ନୂଆପଲ୍ଲୀ ଥାନାର ଏକ ଟିମ୍‌ ସେଠାରେ ପହଞ୍ଚି ତାଲାକୁ ଭାଙ୍ଗିଥିଲା । ସେଠାରୁ ୭ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା।

ଖସିଗଲେ ଧର୍ମଗୁରୁ, କର୍ମୀ 
ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ହଙ୍ଗାମା କରିବା ଦେଖି ଅନ୍ୟ ସମ୍ପ୍ରଦାୟର ଲୋକମାନେ ଡରିଯାଇଥିଲେ । ଘଟଣାସ୍ଥଳରୁ ଖସିବା ପାଇଁ ଯୋଜନା କଲେ । ଏନେଇ ହୋଟେଲ କର୍ତ୍ତୃପକ୍ଷଙ୍କୁ ସହାୟତା ମାଗିଲେ । ହୋଟେଲ କର୍ତ୍ତୃପକ୍ଷ ଅତି ସତର୍କତାର ସହ ସେମାନଙ୍କୁ ପଛଗେଟ ଦେଇ ହୋଟେଲରୁ ବାହାରକୁ ନେଇଗଲେ । ପଛ ଗେଟ୍‌ରେ କୌଣସି ସିସିକ୍ୟାମେରା ନଥିବାରୁ ଏହି କାରସାଦି କେହି ଜାଣିପାରିଲେନି । 

ନିରୀହ ଆଦିବାସୀଙ୍କୁ ଟାର୍ଗେଟ 
ଏକ ନୋଟ୍‌ ପ୍ୟାଡ୍‌କୁ ତର୍ଜମା କରିବାରୁ ଜଣାପଡ଼ିଛି, ଏମାନେ ନିରୀହ ଆଦିବାସୀମାନଙ୍କୁ ଟାର୍ଗେଟ କରୁଥିଲେ । ସୁନ୍ଦରଗଡ଼, ବଲାଙ୍ଗିର, ଦେଓଗଡ଼, ବରଗଡ଼, ମୟୁରଭଞ୍ଜ ଅଞ୍ଚଳକୁ ବାରମ୍ବାର ଯାଇ ସେଠାକାର ବାସିନ୍ଦାଙ୍କ ସହ ମିଶିବାକୁ କୁହାଯାଉଥିଲା । ସେମାନଙ୍କୁ ଅର୍ଥ ଓ ଚାକିରି ଲୋଭ ଦେଖାଇ ନିଜ ଧର୍ମରେ ମିଶାଇବାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଚାଲିଥିଲା । 

ନୋଟିସ୍‌ ଧରାଇ ଛାଡ଼ିଲା ପୁଲିସ 
ପୁଲିସ କହିଛି, ଥାନାରେ ଏକ ମାମଲା (୩୨୭/୨୬) ରୁଜୁ ହୋଇଛି । ପୁଲିସ ସେମାନଙ୍କୁ ନୋଟିସ୍‌ ଧରାଇ ଛାଡ଼ି ଦେଇଛି । ଓଡ଼ିଶା ଫ୍ରିଡମ ଅଫ୍‌ ରିଲିଜନ ଆକ୍ଟ ୧୯୬୭ର ସେକ୍ସନ ୪ ଅନୁସାରେ ବର୍ଷେ କିମ୍ବା ୫ ହଜାର ଟଙ୍କା ଜରିମାନା ଆଦାୟର ନିୟମ ରହିଛି । ଧର୍ମ ପ୍ରଚାରକଙ୍କ ଆହ୍ୱାନକ୍ରମେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକମାନେ ଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ ବୋଲି ଅଟକ ବ୍ୟକ୍ତିମାନେ ସଫେଇ ଦେଇଛନ୍ତି ।

ଏହି ଖବରଟିକୁ ପଢନ୍ତୁଜଗତସିଂହପୁର ମହିଳା, ଶିଶୁଙ୍କ ସୁରକ୍ଷା ପ୍ରତି ପ୍ରଶାସନ ସଚେତନ ତ? ସଖୀ କେନ୍ଦ୍ର କୋଠାକୁ ତାଲା ପକାଇ ରଖିଛନ୍ତି ଠିକାଦାର, ୫୮ ଲକ୍ଷ ନେଇ ୟୁସି ଦେଉନି ପୂର୍ତ୍ତ ବିଭାଗ