ଜଗତସିଂହପୁର,୧୪/୦୫: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ଭାବେ ନିର୍ମିତ ସଖୀ ୱାନ୍ ଷ୍ଟପ୍ କେନ୍ଦ୍ର କୋଠାକୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରୁନି ପୂର୍ତ୍ତ ବିଭାଗ । ଉକ୍ତ କୋଠା ନିର୍ମାଣ ନିମନ୍ତେ ଡିଏସ୍‌ଡବ୍ଲୁଓଙ୍କ ଦପ୍ତର ପକ୍ଷରୁ ଜିଲ୍ଲା ପୂର୍ତ୍ତ ବିଭାଗକୁ ଦୁଇ ପର୍ଯ୍ୟାୟରେ ମୋଟ ୫୮ ଲକ୍ଷ ୫୯ ହଜାର ୯୦୦ ଟଙ୍କା ପ୍ରଦାନ ସତ୍ତେ୍ୱ ଅଦ୍ୟାବଧି ଶତ ପ୍ରତିଶତ ବିନିଯୋଗ ପ୍ରମାଣପତ୍ର(ୟୁସି)ମଧ୍ୟ ପ୍ରଦାନ କରାଯାଉ ନାହିଁ । ବର୍ତ୍ତମାନ ସୁଦ୍ଧା କେବଳ ୩୦ ଲକ୍ଷ ୩୪ ହଜାର ୬୮୬ ଟଙ୍କାର ୟୁସି ପ୍ରଦାନ ହୋଇଥିବା ଡିଏସ୍‌ଡବ୍ଲୁଓ ବିଭାଗରୁ ଗତ ମାସ ୨୩ ତାରିଖ ଜାରି ଚିଠି ସଂଖ୍ୟା ୧୫୫୨ରେ ଦର୍ଶାଯାଇଛି । ପୂର୍ତ୍ତ ବିଭାଗ ଉଦ୍ଦେଶ୍ୟରେ ଲେଖା ଯାଇଥିବା ଉକ୍ତ ଚିଠିରେ ଏବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରକଳ୍ପର ସ୍ଥିତି ଜାଣିବାକୁ ବ୍ୟଗ୍ର ଥିବା ଉଲ୍ଲେଖ ରହିଛି । ଯେହେତୁ କୋଠା ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିବା ସମସ୍ତ ଅର୍ଥ ଦିଆସରିଛି ସେ ଦୃଷ୍ଟିରୁ ଅବଶିଷ୍ଟ ୨୮ ଲକ୍ଷ ୨୫ ହଜାର ୨୧୪ ଟଙ୍କାର ୟୁସି ଏବଂ ସଖୀ କେନ୍ଦ୍ର କୋଠାକୁ ହସ୍ତାନ୍ତର କରାଯାଉ ବୋଲି ପୂର୍ତ୍ତ ବିଭାଗକୁ ଚିଠି ଲେଖି ସଫା ଜଣାଇ ଦେଇଛନ୍ତି ଡିଏସ୍‌ଡବ୍ଲୁଓ ।

ଅପରପକ୍ଷେ ଉଦ୍ବେଗର ବିଷୟ, ସଖୀ କେନ୍ଦ୍ର କୋଠାରେ ଆଉ କେହି ନୁହେଁ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ହିଁ ତାଲା ପକାଇ ରଖିଛନ୍ତି । ବକୈୟା ଟଙ୍କା ମିଳୁନଥିବାରୁ ଠିକାଦାରଙ୍କ ପକ୍ଷରୁ ଏହି ଅଜବ ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଏପଟେ ସଖୀ କେନ୍ଦ୍ରଟି ଦୀର୍ଘ ବର୍ଷ ତଳୁ ଭଡ଼ା ଘରେ ଚାଲୁଛି । ଉକ୍ତ ନୂତନ କୋଠାର ୯୦ ପ୍ରତିଶତ କାମ ସରିଥିଲେ ସୁଦ୍ଧା ପୂର୍ତ୍ତ ବିଭାଗ କାହିଁକି ହସ୍ତାନ୍ତର କରୁନି ଏବଂ ଡିଏସ୍ଡବ୍ଳୁଓ ବିଷ୍ଣୁପ୍ରିୟା ସେଠୀ କେତେଦିନ ଆଉ ଏଭଳି ଚିଠି ଲେଖି ବସିରହିବେ ତାହାହିଁ ଆଶ୍ଚର୍ଯ୍ୟର ବିଷୟ ହୋଇଛି ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଆରମ୍ଭରୁ ସଖୀ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିଲା । ହେଲେ ଏମ୍ସିଏଚ୍ ବିଲ୍ଡିଂ କାମ ଆରମ୍ଭ ହେବାରୁ କେନ୍ଦ୍ରକୁ ଏକ ଭଡ଼ା ଘରକୁ ସ୍ଥାନାନ୍ତରଣ କରି ଦିଆଯାଇଥିଲା । ଦୀର୍ଘ ବର୍ଷ ଧରି ଏହାର ପରିଚାଳନା ଦାୟିତ୍ୱରେ ରହିଛି ରାଧାକୃଷ୍ଣ କ୍ଲବ । ତଥାପି ଭଡ଼ା ଘରେ ଚାଲିଥିବା ସଖୀ କେନ୍ଦ୍ରରୁ କେତେକ ସମୟରେ ଅନ୍ତେବାସିନୀମାନେ ଚମ୍ପଟ ମାରିଚାଲୁଥିବାର ଲକ୍ଷ୍ୟ କରାଯାଉଛି । ସଖୀ କେନ୍ଦ୍ରର ନିଜସ୍ୱ କୋଠା ନିର୍ମାଣ ପାଇଁ ଏହା ପୂର୍ବରୁ କେନ୍ଦ୍ର ସରକାର ଲକ୍ଷାଧିକ ଟଙ୍କାର ଅନୁଦାନ ପ୍ରଥମ ପର୍ଯ୍ୟାୟ ନିମନ୍ତେ ମଞ୍ଜୁର କରିସାରିଥିଲେ । କିନ୍ତୁ ଜାଗା ଚିହ୍ନଟରେ ବାରମ୍ବାର ବିଳମ୍ବ ହେବାରୁ ଉକ୍ତ ଅର୍ଥ ରାଶିକୁ ବିନିଯୋଗ କରାଯିବା ସମ୍ଭବ ହୋଇନଥିଲା । ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସଖୀ କେନ୍ଦ୍ରର ନିଜସ୍ୱ କୋଠା ନିର୍ମାଣ ପାଇଁ ଜାଗା ସ୍ଥିର ହୋଇଥିଲା । ଏଥିନେଇ କିନ୍ତୁ ନବଜାତ ଓ ପ୍ରସୂତିଙ୍କ ଟୀକାକରଣ କେନ୍ଦ୍ର କୋଠାକୁ ଭଙ୍ଗା ଯାଇଥିଲା । କୋଠା ଉଚ୍ଛେଦ ପରେ ସଖୀ କେନ୍ଦ୍ରର ବିଲ୍ଡିଂ ନିର୍ମାଣ ସମୟରେ ନିରାମୟର ଔଷଧ ଭଣ୍ଡାର ଗୃହର କାନ୍ଥକୁ ନଷ୍ଟ କରାଯାଇଥିଲା । ୨୦୨୩ ମସିହା ସୁଦ୍ଧା ଏହି ବିଲ୍ଡିଂ ନିର୍ମାଣ ଶେଷ ହୋଇଥିଲା କିନ୍ତୁ ମୁଖ୍ୟ ଫାଟକରେ ସେବେଠାରୁ ତାଲା ପଡ଼ି ରହିଛି ।

ତେବେ ରାଜ୍ୟର ଆଉ କିଛି ଜିଲ୍ଲାରେ ପୂର୍ତ୍ତ ବିଭାଗ ପକ୍ଷରୁ ସଖୀ କେନ୍ଦ୍ରର ନୂତନ କୋଠାକୁ ହସ୍ତାନ୍ତର କରି ଦିଆଯାଇଛି । ଜଗତସିଂହପୁରରେ କିନ୍ତୁ ଏହାର ଘୋର ବ୍ୟତିକ୍ରମ । ଆଶ୍ଚର୍ଯ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଓ ସଦସ୍ୟା କସ୍ତୁରୀ ମିଶ୍ର ଜିଲ୍ଲା ଗସ୍ତ କରିଥିଲେ ସୁଦ୍ଧା ସମୟ ଅଭାବରୁ କିମ୍ବା ଅନ୍ୟ କୌଣସି କାରଣରୁ ବନ୍ଦ ପଡ଼ିଥିବା ସଖୀ କେନ୍ଦ୍ର କୋଠାକୁ ଅନୁଧ୍ୟାନ କରିନଥିଲେ ।

ଅନ୍ୟପଟେ ଦେଖିଲେ ଜିଲ୍ଲାରେ ବାଲ୍ୟବିବାହ ସଂପୂର୍ଣ୍ଣ ବନ୍ଦ ହୋଇପାରିଲା ନାହିଁ । ବରଂ ଅନେକ ନାବାଳିକା ଅନ୍ତସତ୍ତ୍ୱା ହୋଇ ପଡ଼ୁଛନ୍ତି । ୧୮ ବର୍ଷ ପୂର୍ବରୁ ବିବାହ କରି ସଂଖ୍ୟାଧିକ ନାବାଳିକା ମା’ ହେଉଥିବାରୁ ମମତା ଯୋଜନାରୁ ମଧ୍ୟ ବଞ୍ଚିତ ରହୁଛନ୍ତି । ସଦ୍ୟ ଜଣେ ୧୪ ବର୍ଷୀୟା ନାବାଳିକା ଏକ ଶିଶୁ ସନ୍ତାନକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନରାରେ ଜନ୍ମ ଦେଇଛନ୍ତି । ଶିଶୁ ଶ୍ରମିକ ଉଦ୍ଧାର ଅଭିଯାନ ନୈରାଶ୍ୟଜନକ ସାଙ୍ଗକୁ କେତେକ ବ୍ଲକରେ ନିମ୍ନମାନର ଛତୁଆ ଯୋଗାଣ ନେଇ ବାରମ୍ବାର ଅଭିଯୋଗ ବି ଉଠିଛି । ଆର୍ଟିଆଇରେ ମଧ୍ୟ ଏହି କେଳେଙ୍କାରୀର ପ୍ରମାଣ ବାହାରି ସାରିଛି । ବିଶେଷକରି ଛତୁଆରେ ବ୍ୟବହୃତ ସାମଗ୍ରୀ କ୍ରୟରେ ଯେଉଁ ବିଲ୍, ଭାଉଚର୍କୁ ପ୍ରଦର୍ଶନ କରାଯାଇଛି ସେଭଳି ବ୍ୟବସାୟିକ ଅନୁଷ୍ଠାନ ନଥିବାର ପ୍ରମାଣ ବି ଆର୍ଟିଆଇରେ ହସ୍ତଗତ କରି ସାରିଛନ୍ତି ବରିଷ୍ଠ ସାମାଜିକ କର୍ମୀ ଗୋବିନ୍ଦ ଓଝା ।

ଏତଦ୍ଭିନ୍ନ ଅନେକ ଅଙ୍ଗନବାଡ଼ି କେନ୍ଦ୍ରର ସ୍ଥାୟୀ ଗୃହ ନରହିବା, କୁଜଙ୍ଗ ବ୍ଲକରେ ଅନେକ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ଭଡ଼ା ଘର ମାଲିକଙ୍କ ସହ ଚୁକ୍ତିନାମା ନହେବା, ଶିଶୁ ଅପପୁଷ୍ଟି, ଚିକିତ୍ସାରେ ଅବହେଳାରୁ ମା’ ଓ ଶିଶୁଙ୍କ ମୃତ୍ୟୁ, ଶିଶୁ ବିକ୍ରି ଅଭିଯୋଗ ଆଦି ପ୍ରସଙ୍ଗକୁ ନେଇ ନିକଟ ଅତୀତରେ ଜଗତସିଂହପୁର ଜିଲ୍ଲା ବେଶ ଚର୍ଚ୍ଚାର ପରିଧିରେ ରହିଆସିଛି । ଅର୍ଥାତ ଜିଲ୍ଲାରେ ଶିଶୁ ଅଧିକାର, ସୁରକ୍ଷା ଆଦି କେବଳ କାଗଜକଲମରେ ଚଷା ଚାଲିଥିବା କୁହାଯାଇପାରେ । ସେ ଦୃଷ୍ଟିରୁ ପୁଣି ଥରେ ଜିଲ୍ଲା ଗସ୍ତ କରି ଏଦିଗ ଉପରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମୀକ୍ଷା କରିବା ଜରୁରି ମନେ କରାଯାଉଛି ।