ନୂଆଦିଲ୍ଲୀ, ୩୦/୦୮ : ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜେଜେମା'ଙ୍କ ପରଲୋକ। ଶୁକ୍ରବାର ବିଲମ୍ଵିତ ରାତି ପ୍ରାୟ ୧ଟା ୪୫ରେ ତେଲୁଗୁର ଦିଗଜ ଅଭିନେତା ଅଲ୍ଲୁ ରାମଲିଙ୍ଗିଆଙ୍କ ପତ୍ନୀ ଅଲ୍ଲୁ କନକରତ୍ନମଙ୍କ ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୯୪ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଏହି ଦୁଃଖଦ ଘଟଣା ପରେ ଅଲ୍ଲୁ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକେ ଅଲ୍ଲୁ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଶନିବାର ଦ୍ଵିପ୍ରହରରେ କୋକାପେଟରେ କନକରତ୍ନମଙ୍କର ଅନ୍ତିମ ସଂସ୍କାର କରାଯିବ।

ସେପଟେ କନକରତ୍ନମଙ୍କ ମୃତ୍ୟୁ ଖବର ଶୁଣିବା ପରେ ସୁପରଷ୍ଟାର ରାମ ଚରଣ ତାଙ୍କର ସୁଟିଂ କ୍ୟାନସଲ୍ କରିଛନ୍ତି। ମୈସୁରରେ ଚାଲିଥିବା ଫିଲ୍ମ ପେଦ୍ଦିର ସୁଟିଂ ରଦ୍ଦ କରିଛନ୍ତି। ସେ ହାଇଦ୍ରାବାଦ ଆସୁଛନ୍ତି। ସେପଟେ ଅଲ୍ଲୁ ଅର୍ଜୁନ ମଧ୍ୟ ଏଟଲିଙ୍କ ଫିଲ୍ମ ସୁଟିଂ ଛାଡ଼ି ମୁମ୍ଵାଇରୁ ହାଇଦ୍ରାବାଦ ଫେରୁଛନ୍ତି। ମେଗାଷ୍ଟାର ଚିରଞ୍ଜିବ କନକରତ୍ନମଙ୍କ ଅନ୍ତିମ ଦର୍ଶନ ପାଇଁ ଅଲ୍ଲୁ ଅରବିନ୍ଦଙ୍କ ବାସଭବନରେ ପହଞ୍ଚିଛନ୍ତି।