ମୁମ୍ବାଇ ୧୪/୦୧: ତେଲୁଗୁ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା-୨’ ବକ୍ସ ଅଫିସରେ ବ୍ଲକ୍ ବଷ୍ଟର୍‌ ସାବ୍ୟସ୍ତ ହୋଇଛି। ଏବଶ୍ୟ ଏହି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ଅଲ୍ଲୁ ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ, ଯେଉଁଥିପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି। ଥିଏଟର୍‌ ଦଳାଚକଟା ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ସେ ଏବେ ଆଶ୍ୱସ୍ତି ଅଛନ୍ତି। ନିକଟରେ ଅଲ୍ଲୁଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଅଲ୍ଲୁ ବଲିଉଡର ଆଗଧାଡିର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲିଙ୍କୁ ଭେଟିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲିଛି।

ଭିଡିଓରେ ଅଲ୍ଲୁଙ୍କୁ ସଞ୍ଜୟଙ୍କ ଅଫିସ୍‌ ଆଗରେ ଦେଖାଯାଇଛି। ସଞ୍ଜୟ ତାଙ୍କୁ କୌଣସି ବଲିଉଡ୍‌ ଫିଲ୍ମରେ ବ୍ରେକ୍‌ ଦେଇ ପାରନ୍ତି ବୋଲି ତାଙ୍କ ପ୍ରଶଂସକମାନେ ଅନୁମାନ କରୁଛନ୍ତି। ତେବେ ସନ୍ଧ୍ୟା ଥିଏଟର୍‌ ଘଟଣା ପରେ ଅଲ୍ଲୁ ଏକ ଲମ୍ବା ବ୍ରେକ୍‌ ନେଇଛନ୍ତି। ଏହି ସମୟରେ ସେ ବଲିଉଡରେ ଡେବ୍ୟୁ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରନ୍ତି ବୋଲି କୁହାଯାଉଛି।

ତେବେ ଏହା ପ୍ରଥମ ଥର ନୁହେଁ ଯେ ଭଁସାଲିଙ୍କୁ ଅଲ୍ଲୁ ଅର୍ଜୁନ୍‌ ଭେଟିଛନ୍ତି । ଗତ ବର୍ଷ ମଧ୍ୟ ଦୁହେଁ ସାକ୍ଷାତ କରିଥିଲେ। ଏହା ପରେ ଖବର ଆସିଥିଲା ଯେ ଦୁହେଁ ଏକାଠି ଫିଲ୍ମ କରିବାକୁ ଯାଉଛନ୍ତି। ହେଲେ ସାମ୍ପ୍ରତିକ ମିଟିଂ ପରେ ଏହି ଖବର ଆହୁରି ତାଜା ହୋଇଛି। କେଉଁ ପ୍ରୋଜେକ୍ଟ ପାଇଁ ଅଲ୍ଲୁ ଭଁସାଲିଙ୍କୁ ଭେଟିଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ଭଁସାଲି ଏବେ 'ଲଭ୍‌ ଆଣ୍ଡ୍‌ ୱାର୍‌' ଉପରେ କାମ କରୁଛନ୍ତି। ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। କୁହାଯାଉଛି ଯେ ଅଲ୍ଲୁ ଏହି ଫିଲ୍ମରେ କାମେଓ କରିପାରନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ଏହି କାମେଓ ପାଇଁ ଶାହାରୁଖଙ୍କୁ ଆପ୍ରୋଚ୍‌ କରାଯାଇଛି। ଯଦି ଏହି ଖବର ସତ ହୋଇଥାଏ ତେବେ ଅଲ୍ଲୁ ଅର୍ଜୁନ ମଧ୍ୟ 'ଲଭ୍‌ ଆଣ୍ଡ୍‌ ୱାର୍‌' ରେ କାମେଓ କରିପାରନ୍ତି।

ଅନ୍ୟପକ୍ଷେ ଏହି ଖବର ସତ ହେବାର ସମ୍ଭାବନା ବହୁତ କମ୍ । ଏହାର କାରଣ ହେଉଛି 'ପୁଷ୍ପା ୨' ତେଲୁଗୁ ଅପେକ୍ଷା ହିନ୍ଦୀ ବେଲ୍ଟରେ ଅଧିକ ଟଙ୍କା ରୋଜଗାର କରିଛି। ତେଣୁ ଅଲ୍ଲୁ ଅର୍ଜୁନ କୌଣସି ଛୋଟ ଭୂମିକାରେ ବଲିଉଡରେ ଡେବ୍ୟୁ କରିବାକୁ ଚାହୁଁନାହାଁନ୍ତି। ସେ କେବଳ ବଡ଼ ପ୍ରୋଜେକ୍ଟ ସହିତ ହିନ୍ଦୀ ସିନେମାରେ ଏଣ୍ଟ୍ରି କରିବେ।