ନୂଆଦିଲ୍ଲୀ ୧୫/୦୭: ଅପ୍କମିଙ୍ଗ ଫିଲ୍ମ ‘ଏଏ୨୨ଏକ୍ସଏ୬’ କାମରେ ବ୍ୟସ୍ତ ଅଛନ୍ତି ପାନ୍ ଇଣ୍ଡିଆ ଷ୍ଟାର୍ ଅଲ୍ଲୁ ଅର୍ଜୁନ । ବହୁପ୍ରତୀକ୍ଷିତ ଏହି ଫିଲ୍ମ ହାଇପ୍ରୋଫାଇଲ ଷ୍ଟାର୍କାଷ୍ଟ୍ଙ୍କ ପାଇଁ ଖବରରେ ରହିଛି । ଫିଲ୍ମରେ ଅଲ୍ଲୁଙ୍କ ସହ ଦୀପିକା ପାଦୁକୋନ, ଜାହ୍ନବୀ କପୁର, ରଶ୍ମିକା ମନ୍ଦାନା ଓ ମୃଣାଳ ଠାକୁର ଦେଖିବାକୁ ମିଳିବେ । ଆଟ୍ଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଲ୍ଲୁ ଏକାଧିକ ଚରିତ୍ରରେ ଦେଖାଦେବେ ।

ପ୍ରଥମ ଥର ପୁଷ୍ପା ଷ୍ଟାର୍ ଏକସଙ୍ଗେ ଅନେକ ଚରିତ୍ର ନିର୍ବାହ କରିବେ । ଫିଲ୍ମରେ ସେ ଜେଜେ, ବାପା ଓ ଦୁଇ ପୁଅ ଭୂମିକା ନିର୍ବାହ କରିବେ । ଅଲ୍ଲୁ ନିଜେ ୪ଟିଯାକ ଭୂମିକା ନିର୍ବାହ ପାଇଁ ଉତ୍ସାହିତ ଅଛନ୍ତି । ଆଟ୍ଲି ତାଙ୍କଠୁ ଏହା ଶୁଣି ପ୍ରଥମେ ଦ୍ୱନ୍ଦ୍ୱରେ ଥିଲେ । କିନ୍ତୁ ଲୁକ୍ ଟେଷ୍ଟ୍ ପରେ ସେ ଅନୁଭବ କଲେ ଯେ ଏହା ଫିଲ୍ମ ପାଇଁ ଲାଭକର ହେବ । ଦର୍ଶକ ଗୋଟିଏ ଟିକଟ୍ ଦେଇ ଅଲ୍ଲୁଙ୍କର ୪ ଅଲଗା ଅଲଗା ଅବତାର ଦେଖିବାକୁ ପାଇବେ । ଫିଲ୍ମରେ ସବୁଠୁ ଖାସ୍ ଭୂମିକା ରଶ୍ମିକାଙ୍କର ହେବ । ‘ପୁଷ୍ପା: ଦ ରାଇଜ୍’ ଓ ‘ପୁଷ୍ପା: ଦ ରୁଲ୍’ରେ ଅଲ୍ଲୁଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ରଶ୍ମିକା ପ୍ରଥମ ଥର ନେଗେଟିଭ୍ ରୋଲ୍ରେ ପରଦାକୁ ଓହ୍ଲାଇବେ । ଭିଲେନ୍ ଭାବେ ଅଲ୍ଲୁ ଅର୍ଜୁନ, ଦୀପିକା, ଜାହ୍ନବୀ ଓ ମୃଣାଳଙ୍କ ସହ ତାଙ୍କର ମୁକାବିଲା ହେବ ।