ଆଲୁମିନିୟମ ସମ୍ମିଳନୀ ‘ଇନ୍କାଲ୍-୨୦୧୯’ ଉଦ୍ଯାପିତ: ୨୦୩୦ ସୁଦ୍ଧା ଉତ୍ପାଦନ ଛୁଇଁବ ୧୦ ନିୟୁତ ଟନ୍

ଭୁବନେଶ୍ୱର,୨ା୨(ବ୍ୟୁରୋ): ୨୦୩୦ ସୁଦ୍ଧା ଆଗାମୀ ୧୦ ବର୍ଷ ମଧ୍ୟରେ ଦେଶର ଆଲୁମିନିୟମ ଉତ୍ପାଦନ ୩ ଗୁଣା ହେବ । ବାର୍ଷିକ ଉତ୍ପାଦନ ୧୦ ନିୟୁତ ଟନ୍ ଛୁଇଁବ । ଏବେ ଭାରତ ୩.୪ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରୁଛି । କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଶନିବାର ଏହି ସୂଚନା ଦେଇଛନ୍ତି ।
ସପ୍ତମ ସଂସ୍କରଣ ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀ ‘ଇନ୍କାଲ୍-୨୦୧୯’ ଓ ଆଲୁମିନିୟମ ପ୍ରଦର୍ଶନୀର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ତୋମାର କହିଛନ୍ତି, ଭାରତ ବିଶ୍ୱର ତୃତୀୟ ବୃହତ ଆଲୁମିନିୟମ ଉତ୍ପାଦନକାରୀ ରାଷ୍ଟ୍ର । ଏବେ ଦେଶରୁ ୩.୪ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ ହେଉଛି । ଭାରତୀୟଙ୍କ ମୁଣ୍ଡପିଛା ଆଲୁମିନିୟମ ବ୍ୟବହାର ୨.୫ କିଲୋଗ୍ରାମ ରହିଛି । ଏହାକୁ ୫ କିଲୋଗ୍ରାମରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।
ଦେଶରେ ଆଲୁମିନିୟମ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଭାରତୀୟ ଆଲୁମିନିୟମ ସଂଘ (ଏଏଆଇ) ସହ ମିଶି କାର୍ଯ୍ୟ କରୁଛନ୍ତି । ୨୦୩୦ ସୁଦ୍ଧା ଦେଶର ଆଲୁମିନିୟମ ଉତ୍ପାଦନକୁ ୧୦ ନିୟୁତ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଆଲୁମିନିୟମ ଉତ୍ପାଦନ ନେଇ ସରକାର ରଖିଥିବା ଏହି ଲକ୍ଷ୍ୟ ଏବେକାର ଆଲୁମିନିୟମ ଉତ୍ପାଦନ ତୁଳନାରେ ପ୍ରାୟ ୩ ଗୁଣା ହେବ ବୋଲି ସେ କହିଛନ୍ତି ।
କେନ୍ଦ୍ର ଖଣି ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ ନୂଆ ଖଣି ଓ ଖଣିଜ ବିକାଶ ନୀତି ଅଣାଯାଇଛି । ଏହା ଅଧୀନରେ ଦେଶରେ କୌଣସି ଖଣି ହାତେଇବାକୁ ହେଲେ ଇ-ନିଲାମରେ ଅଂଶଗ୍ରହଣ କରିବାକୁ ପଡ଼ିବ । ବର୍ତ୍ତମାନ ସୁଦ୍ଧା ସରକାର ୫୩ଟି ଖଣିର ଇ-ନିଲାମ କରିଛନ୍ତି । ଏହା ଜରିଆରେ ଅତିରିକ୍ତ ୧,୪୩,୦୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି ।
ଶ୍ରୀ ତୋମାର କହିଛନ୍ତି, ଏବେ ଦେଶରେ ୧୦୦ରୁ ଅଧିକ ନୂଆ ଖଣି ଇ-ନିଲାମ ପାଇଁ ପ୍ରସ୍ତୁତ ରହିଛି । ଏହାବାଦ୍ ୨୦୨୦ରେ ଲିଜ୍ ଶେଷ ହେବାକୁ ଥିବା ଖଣିଗୁଡ଼ିକୁ ତୁରନ୍ତ ପୁନଃନିଲାମରେ ରଖିବାକୁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ।
ଖଣି ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ଗଠନ କରାଯାଇଛି । ଏବେ ଡିଏମ୍ଏଫ୍ରେ ୨୩,୦୦୦ କୋଟି ଟଙ୍କା ରହିଛି । ଏପରିକି ଦେଶରେ ଖଣିଜର ତ୍ୱରିତ୍ ଅନ୍ୱେଷଣ ପାଇଁ ରାଷ୍ଟ୍ରୀୟ ଖଣିଜ ଅନ୍ୱେଷଣ ଟ୍ରଷ୍ଟ ଗଠନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏ ଅବସରରେ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚି ନିବେଶକମାନଙ୍କୁ ଆହ୍ୱାନ ଜଣାଇ କହିଛନ୍ତି, ସେମାନେ ଏକ ଉପଯୁକ୍ତ ସମୟରେ ଉଚିତ୍ ସ୍ଥାନରେ ପହଞ୍ଚିଛନ୍ତି । ଓଡ଼ିଶାରେ ସେମାନେ ଦକ୍ଷ ମାନବ ସମ୍ବଳ ସମେତ ସୁବିଧାରେ କଞ୍ଚାମାଲ ପାଇପାରିବେ । ଏହାସହ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଉତ୍ପାଦର ଗୁଣବତ୍ତା ବୃଦ୍ଧି ସହ ଡାଉନ୍ଷ୍ଟ୍ରିମ୍ ଶିଳ୍ପ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ ଅବଗତ କରାଇଥିଲେ ।
ଏଏଆଇ ଅଧ୍ୟକ୍ଷ ଏବଂ ନବରତ୍ନ ଉଦ୍ୟୋଗ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଡ. ତପନ କୁମାର ଚାନ୍ଦ କହିଛନ୍ତି, ଭୁବନେଶ୍ୱରରେ ଅନୁଷ୍ଠିତ ଇନ୍କାଲ୍-୨୦୧୯ରେ ୨୨ଟି ରାଷ୍ଟ୍ରର ୭୫୦ ଜଣ ପ୍ରତିନିଧି ଓ ୧୦୦ ଜଣ ଆମନ୍ତ୍ରିତ ଅତିଥି ଭାଗ ନେଇଥିଲେ । ମୋଟ୍ ୨୫ଟି ଅଧିବେଶନରେ ସେମାନଙ୍କ ଦ୍ୱାରା ଏ ଅବସରରେ ୧୨୭ଟି ବୈଷୟିକ ଉପସ୍ଥାପନ କରାଯାଇଥିଲା । ଭାରତରେ ଆଲୁମିନିୟମ କ୍ଷେତ୍ର ପାଇଁ ଏକ ବ୍ୟାପକ ରୋଡ୍ମ୍ୟାପ୍ ଓ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ପାଇଁ ଏହି ଆନ୍ତର୍ଜାତିକ ଆଲୁମିନିୟମ ସମ୍ମିଳନୀ ବେଶ୍ ସହାୟକ ହେବ । ଏପରିକି ବର୍ତ୍ତମାନ ସମୟରେ ଭାରତର ଆଲୁମିନିୟମ କ୍ଷେତ୍ର ପାଇଁ ଏକ ରାଷ୍ଟ୍ରୀୟ ଆଲୁମିନିୟମ ନୀତି ଆବଶ୍ୟକ ବୋଲି ଡ. ଚାନ୍ଦ କହିଛନ୍ତି ।
ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଲ୍କାନ୍ ନିର୍ଦ୍ଦେଶକ (ବୈଷୟିକ) ଡ. ଆଲାଇସ୍ ବର୍ଣ୍ଣାଡ, ରିଡ୍ ଏକ୍ଜିବିସନ୍ର ନିର୍ଦ୍ଦେଶକ (ଇଭେଣ୍ଟ) ଓଲାଫ୍ ଫ୍ରାଏର୍ ପ୍ରମୁଖ ଉପସ୍ଥିତ ଥିଲେ ।