ନୂଆଦିଲ୍ଲୀ,୫।୩: ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ପ୍ରକାଶ ପାଇଛି ଯାତ୍ରା ସିଡ୍ୟୁଲ। ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ଜୁଲାଇ ୩ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିପାରିବେ। ଏହି ପବିତ୍ର ତୀର୍ଥଯାତ୍ରା ପାଇଁ ମୋଟ ନିର୍ଦ୍ଧାରିତ ଅବଧି ହେଉଛି ୩୮ ଦିନ। ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯାତ୍ରା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ, ଯାହା ଦ୍ଵାରା ଭକ୍ତମାନେ ଠିକ୍ ସମୟ ମଧ୍ୟରେ ସେମାନଙ୍କର ଯାତ୍ରା ଯୋଜନା କରିପାରିବେ।
ଏହି ବୈଠକ ଅମରନାଥ ଶ୍ରାଇନ୍ ବୋର୍ଡର ଅଧ୍ୟକ୍ଷ ଏବଂ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜମ୍ମୁ-କଶ୍ମୀରର ଡିଜିପି ନଳିନ ପ୍ରଭାତ, ମୁଖ୍ୟ ସଚିବ ଅଟଳ ଢୁଲୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ଏବଂ ଏହାର କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା, ଯାହା ପରେ ଯାତ୍ରାର ତାରିଖ ଚୂଡ଼ାନ୍ତ କରାଯାଇଥିଲା। ଏପରି ସ୍ଥିତିରେ, ଏବେ ଶ୍ରଦ୍ଧାଳୁମାନେ ଜୁଲାଇ ୩ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିପାରିବେ।

ପ୍ରତିବର୍ଷ ଅମରନାଥ ଯାତ୍ରା ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଯଦିଓ ଏଥର ଅବଧି ଟିକିଏ କମ୍। ଗତ ବର୍ଷ ୨୦୨୪ରେ, ଭକ୍ତମାନେ ୨୯ ଜୁନ୍ ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ବାବା ବର୍ଫାନୀଙ୍କ ଦର୍ଶନ କରିଥିଲେ, କିନ୍ତୁ ଏଥର ଅମରନାଥ ଯାତ୍ରା କେବଳ ୩୮ ଦିନ ପାଇଁ ଚାଲିବ। ଏହି ଯାତ୍ରା ରକ୍ଷାବନ୍ଧନ ଦିନ ଶେଷ ହେବ। ଅମରନାଥ ଯାତ୍ରା ସମ୍ପର୍କରେ ଟ୍ରଷ୍ଟ ଏବଂ ସରକାରଙ୍କ ପକ୍ଷରୁ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସୁରକ୍ଷା ପ୍ରତି ବିଶେଷ ଯତ୍ନ ନିଆଯିବ। ସେମାନଙ୍କ ରହିବାର ବ୍ୟବସ୍ଥା କରାଯିବ। ସେଠାରେ ଲଙ୍ଗର ସୁବିଧା ମଧ୍ୟ ରହିବ।ଆଷାଢ ପୂର୍ଣ୍ଣିମାରୁ ଆରମ୍ଭ ହେଉଥିବା ବାବା ଅମରନାଥଙ୍କ ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ। ପ୍ରତିବର୍ଷ ଦେଶର କୋଣ-ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆଗମନ କରିଥାନ୍ତି।
ଲୋକସଭା ଆସନ ହ୍ରାସ କରିବାର ଭୟ ଦେଖାଇ ଷ୍ଟାଲିନ୍ ଏକାଠି କଲେ ୩୫ ଦଳ, ପିଏମ୍ ମୋଦିଙ୍କୁ ଦେଲେ ଅଟଳଙ୍କ ଫର୍ମୁଲା