ନୂଆଦିଲ୍ଲୀ,୧୩/୦୭:ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଦେଇ ବସ୍ ଯୋଗେ ତୀର୍ଥଯାତ୍ରୀମାନେ ଅମରନାଥ ଯାତ୍ରା କରୁଛନ୍ତି । ଆଉ ଏହାରି ମଧ୍ୟରେ ପୁଣିଥରେ କୁଲଗାମର ଖୁଦୱାନି ଅଞ୍ଚଳରେ ଅମରନାଥ ଯାତ୍ରାରେ ଯାଉଥିବା ପାଖାପାଖି ୧୦ରୁ ଅଧିକ ବସ ପରସ୍ପର ସହିତ ଧକ୍କା ହୋଇଛି। ଫଳରେ ୧୦ ରୁ ଅଧିକ ଭକ୍ତ ଆହତ ହୋଇଥିବା କୁହାଯାଉଛି।
ଦୁର୍ଘଟଣା ପରେ,ଆହତ ତୀର୍ଥଯାତ୍ରୀମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଗୁରୁତର ଆହତ ତୀର୍ଥଯାତ୍ରୀମାନଙ୍କୁ ଅନନ୍ତନାଗର ସରକାରୀ ମେଡିକାଲ କଲେଜକୁ ପଠାଯାଇଛି। ସେହିପରି ଅନେକ ବସ୍ର ଆଗ କାଚ ଭାଙ୍ଗି ଯାଇଛି। ସେପଟେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ କୁଲଗାମ୍ ପୁଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଅମରନାଥ ଯାତ୍ରା ଆରମ୍ଭ ହେବାର ମାତ୍ର ଦୁଇ ଦିନ ପରେ, ଜୁଲାଇ ୫ରେ, ୩ଟି ବସ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୩୬ଜଣ ଯାତ୍ରୀ ଆହତ ହୋଇଥିଲେ। ସେହି ସମୟରେ,ଗୋଟିଏ ବସ୍ ର ବ୍ରେକ୍ ଫେଲ୍ ହୋଇଯିବାରୁ ଏହି ଧକ୍କା ହୋଇଥିଲା। ତେବେ ଅମରନାଥ ଯାତ୍ରା ଆରମ୍ଭ ହେବାର ପ୍ରାୟ ୧୦ ଦିନ ବିତିଗଲାଣି। ଦଶମ ଦିନରେ ପ୍ରାୟ ୧୯,୦୨୦ ଭକ୍ତ ଦର୍ଶନ କରିଥିଲେ।