ନୂଆଦିଲ୍ଲୀ ୨୮/ ୦୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ହିଁ ବଡ ଘୋଷଣା କରି ଦେଇଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ର ଭେଟେରାନ୍ ବ୍ୟାଟର୍ । ଗୁଜରାଟ ଟାଇଟନ୍ସ ସହ ଗ୍ରାଣ୍ଡ ଫାଇନାଲ ପୂର୍ବରୁ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି ଅମ୍ବାତି ରାୟୁଡୁ । ଫାଇନାଲ ମ୍ୟାଚ୍ ପୂର୍ବରୁ ଟ୍ବିଟ୍ କରି ଅବସର ବାବଦରେ କହିଛନ୍ତି ରାୟୁଡୁ । ଟ୍ବିଟ୍ କରି ଅମ୍ବାତି ରାୟୁଡୁ କହିଛନ୍ତି, '୨୦୨୩ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫାଇନାଲ ମୋର ଶେଷ ଆଇପିଏଲ ମ୍ୟାଚ୍ ହେବ । ଏହା ପରେ ମୁଁ ସନ୍ନ୍ୟାସ ନେଉଛି'।


ରବିବାର ଖେଳାଯିବାକୁ ଥିବା ମହାମୁକାବିଲା ପୂର୍ବରୁ ଟ୍ବିଟ୍ କରି ଅମ୍ବାତି ରାୟୁଡୁ କହିଛନ୍ତି, 'ଦୁଇ ମହାନ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍, ୨୦୪ ମ୍ୟାଚ୍, ୧୪ ସିଜିନ୍, ୧୧ ଫ୍ଲେ ଅଫ୍, ୮ ଫାଇନାଲ ଓ ୫ ଟ୍ରଫି । ଆଶା କରୁଛି ୬ଷ୍ଠ ଟ୍ରଫି ଆଜି ଜିତିବି । ଏ ଯାତ୍ରା ଜବରଦସ୍ତ ଥିଲା । ମୁଁ ନିଷ୍ପତ୍ତି ନେଇଛି କି, ଆଜି ହେବାକୁ ଥିବା ଫାଇନାଲ ମୋର ଆଇପିଏଲରେ ଶେଷ ମ୍ୟାଚ୍ ହେବ । ବାସ୍ତବରେ ଏହି ଟୁର୍ଣ୍ଣାମେଣ୍ଟ ଖେଳି ମୋତେ ଖୁବ ମଜା ଲାଗିଛି । ଆପଣ ସମସ୍ତଙ୍କୁ ଧନ୍ୟବାଦ । ୟୁ-ଟର୍ଣ୍ଣ ନେବି ନାହିଁ'।
{"id":579387,"width":833,"height":262,"sizeSlug":"full","linkDestination":"none"}
ଅମ୍ବାତି ରାୟୁଡୁ ୟୁ ଟର୍ଣ୍ଣ କଥା ଏଥି ପାଇଁ କହିଛନ୍ତି କାରଣ, ଗତ ବର୍ଷ ସେ ଯେତେବେଳେ ଖରାପ ଫର୍ମରେ ଥିଲେ ଏବଂ ଚେନ୍ନାଇ ବି ଖରାପ ପ୍ରଦର୍ଶନ କରିଥିଲା, ସେତେବେଳେ ତାଙ୍କୁ ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯାଇଥିଲା । ପରେ ଟ୍ବିଟ୍ କରି ଅବସର ନେବାକୁ ଘୋଷଣା କରିଥିଲେ ରାୟୁଡୁ । ଅବଶ୍ୟ ପରେ ଟ୍ବିଟ୍ ଡିଲିଟ୍ କରିଦେଇଥିଲେ । କିନ୍ତୁ ଏଥର ସେ ସଫାସଫା କହିଦେଇଛନ୍ତି କି, ଆଇପିଏଲ ୨୦୨୩ ଫାଇନାଲ ଶେଷ ମ୍ୟାଚ୍ ହେବ । ସୂଚନା ଯେ, ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଅମ୍ବାତି ରାୟୁଡୁ । ବିଶ୍ବକପ୍ ଟିମ୍ରେ ସ୍ଥାନ ନମିଳିବାରୁ ଏଥିରେ ଖପ୍ପା ହୋଇ ସେ ଅବସର ନେଇଥିବା ଚର୍ଚ୍ଚା ହୋଇଥିଲା ।
ଅମ୍ବାତି ରାୟୁଡୁଙ୍କ ଆଇପିଏଲ କ୍ୟାରିୟର କଥା କହିବାକୁ ଗଲେ, ସେ ବର୍ତ୍ତମାନ ସୁଦ୍ଧା ୨୦୩ଟି ମ୍ୟାଚ୍ ଖେଳିଛନ୍ତି । ସେଥିମଧ୍ୟରୁ ୩୩ଟି ଇନିଂସରେ ନଟଆଉଟ୍ ରହିଥିଲେ । ଆଇପିଏଲ କ୍ୟାରିୟରରେ ମୋଟ ୪୩୨୯ ରନ୍ କରିଛନ୍ତି ରାୟୁଡୁ । ଯେଉଁଥିରେ ଗୋଟିଏ ଶତକ ଓ ୨୨ଟି ଅର୍ଦ୍ଧଶତକ ସାମିଲ ଅଛି । କ୍ୟାରିୟରରେ ୩୫୮ଟି ଚୌକା, ୧୭୧ଟି ଚୌକା ଓ ୬୪ଟି କ୍ୟାଚ୍ ଧରିଛନ୍ତି ଅମ୍ବାତି ରାୟୁଡୁ ।