ନୂଆଦିଲ୍ଲୀ,୦୬/୦୩; ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ଉଗ୍ର ହେଉଛି ଇରାନ ଏବଂ ଇସ୍ରାଏଲ-ଆମେରିକା ଲଢେଇ । ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣ ପରେ ଇରାନ ରକ୍ତମୁଖା ହୋଇଛି । ପ୍ରତିଶୋଧ ନେଇ ଇସ୍ରାଏଲ ଏବଂ ଆମେରିକା ଉପରେ ଆକ୍ରମଣ କରୁଛି ଇରାନ । ଯୁଦ୍ଧର ପ୍ରଭାବ ବୈଶ୍ୱିକ ଅର୍ଥନୀତି ଉପରେ ପଡିଛି । ଷ୍ଟ୍ରେଟ୍ ଅଫ୍ ହୋର୍ ବନ୍ଦ ଥିବାରୁ ବିଭିନ୍ନ ଦେଶକୁ ତୈଳ ପରିବହନ ହୋଇପାରୁ ନାହିଁ । ଏପରିକି ଗଲ୍ଫ ଦେଶରେ ଯୁଦ୍ଧର ମାହୋଲ ଥିବାରୁ ବିଭିନ୍ନ ତୈଳ ରିଫାଇନରୀ ବନ୍ଦ ରହିଛି । ଏହାରି ଭିତରେ ଭାରତକୁ ବଡ ରିହାତି ଦେଇଛି ଆମେରିକା । ଋଷ ତୈଳ କିଣିବା ପାଇଁ ଆମେରିକା ପ୍ରଶାସନ ଭାରତକୁ କହିଛି ।

ଇରାନ ଯୁଦ୍ଧ ଯୋଗୁଁ ହୋଇଥିବା ତୈଳ ସଂଙ୍କଟ ମଧ୍ୟରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ରୁଷରୁ ୩୦ ଦିନ ପାଇଁ ଭାରତକୁ ତେଲ ବିକ୍ରି କରିବାକୁ ଅସ୍ଥାୟୀ ଛାଡ ପ୍ରଦାନ କରିଛି । ଏହା ମାସ ମାସ ଧରି ସମୁଦ୍ରରେ ଫସି ରହିଥିବା ରୁଷୀୟ ତୈଳ ଜାହଜ ଏବଂ ଭାରକୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରିବ । ଇରାନ ଯୁଦ୍ଧ ମଧ୍ୟରେ ବିଶ୍ୱ ତୈଳ ବଜାର ଉପରେ ଚାପ କମ କରିବାକୁ ଆମେରିକା ଭାରତକୁ ଫସି ରହିଥିବା ରୁଷୀୟ ତୈଳ ବିକ୍ରୟ କରିବାକୁ ଅନୁମତି ଦେଇଥିବା ରିପୋର୍ଟ ମିଳିଛି । ଏହା ଏକ ଅସ୍ଥାୟୀ ୩୦ ଦିନର ଛାଡ ରହିଛି ।

ଏହା ବି ପଢନ୍ତୁ...ଇରାନ ସୁପ୍ରିମ୍ ଲିଡର ଖାମେନେଇଙ୍କୁ ହତ୍ୟା: ଟ୍ରାଫିକ୍ କ୍ୟାମେରା ହ୍ୟାକ୍ କରି ହମ୍ଲା କରିଥିଲା ଇସ୍ରାଏଲ୍   

ରିପୋର୍ଟ ଅନୁସାରେ, ଯୁଦ୍ଧ ଆରମ୍ଭ ହେବା ପରେ ଭାରତର ଗଚ୍ଛିତ ତୈଳକୁ ନେଇ ଆଶା ଏବଂ ଆଶଙ୍କା ଦେଖାଦେଇଥିଲା । ଦେଶରେ ମାତ୍ର ୫୬ ଦିନର ଅଶୋଧିତ ଏବଂ ଶୁଦ୍ଧ ତୈଳ ଥିବା ନେଇ ଜଣା ପଡିଥିଲା । ଯାହା ପରେ ଚିନ୍ତା ବଢିଥିଲା । ଯୁଦ୍ଧ ପାଇଁ ପେଟ୍ରୋଲ-ଡିଜେଲ ଆମାଦାନୀ ପ୍ରଭାବିତ ହୋଇଥିଲା । ଏବେ ଭାରତ ଋଷଠୁ ୩୦ ଦିନ ଯାଏଁ ତୈଳ ଆମଦାନୀ କରିପାରିବ । ଫଳରେ ସମୁଦ୍ରରେ ଅଟକିଥିବା ଅନେକ ଋଷ ତୈଳ ଜାହାଜଙ୍କୁ ଆଶ୍ୱସ୍ତି ମିଳିବ । କୁହାଯାଉଛି ଯେ, ଆମେରିକା-ଇରାନ ଯୁଦ୍ଧରେ ବୈଶ୍ୱିକ ବଜାରରେ ଚାପ ସୃଷ୍ଟି ହେଉଛି । ଏହି ଚାପ କମ୍ କରିବାକୁ ସମୁଦ୍ରରେ ଅଟକି ଥିବା ଶହ ଶହ ଋଷ ତୈଳ ଜାହାଜ ଭାରତକୁ ତୈଳ ବିକ୍ରି କରିପାରିବେ । ୩୦ ଦିନ ପାଇଁ ଏହି ଆଶ୍ୱସ୍ତି ପ୍ରଦାନ କରାଯାଇଛି । ରୟଟର୍ସ ଅନୁସାରେ. ଆମେରିକାର ଦୁଇ ଜଣ ବରିଷ୍ଠ ଅଧିକାରୀ ଋଷ ଉପରେ ଲାଗିଥିବା କଟକଣାକୁ ସାମୟିକ ସମୟ ପାଇଁ ହଟାଇ ଦେଇଛନ୍ତି । ସମୁଦ୍ରରେ ଫସିଥିବା ଋଷ ତୈଳ ସିପମେଣ୍ଟ୍ ଆଗକୁ ବଢିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ରିପୋର୍ଟ କରାଯାଇଥିଲା ଯେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ ବିଶୋଧନାଗାରଗୁଡ଼ିକ ବ୍ୟବସାୟୀମାନଙ୍କଠାରୁ ପ୍ରାୟ ୨୦ ନିୟୁତ ବ୍ୟାରେଲ ରୁଷୀୟ ତୈଳ କିଣି ସାରିଛନ୍ତି।

​​​​​​​ସୂଚନାଯୋଗ୍ୟ, ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେଲା ପରେ ବିଭିନ୍ନ ଦେଶକୁ ଋଷଠୁ ତେଲ ନ କିଣିବାକୁ କହିଥିଲା । ଏହାସହ କଟକଣା ମଧ୍ୟ ଲଗାଇଥିଲା । କିନ୍ତୁ ଭାରତ ଋଷଠୁ ତୈଳ କିଣିବା ଜାରି ରଖିଥିଲା । ତେଲ କାହାଠୁ କିଣା ହେବ ଏହା ଭାରତର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ନୂଆଦିଲ୍ଲୀ ସଙ୍କେତ ଦେଇଥିଲା ।