ନୂଆଦିଲ୍ଲୀ : ଇରାନରେ ଏବେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ନେଇ ବିରୋଧ ଓ ପ୍ରତିବାଦ ପ୍ରଦର୍ଶନ ଜାରି ରହିଛି। ଏହି ପ୍ରଦର୍ଶନ ଅନେକ ଦିନ ଧରି ଜାରି ରହିଛି। ଆଉ ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖାମେନିଙ୍କୁ ଚେତାବନୀ ଦେଇଛନ୍ତି । ତେବେ ଯଦି ଆମେରିକା ପ୍ରତିବାଦର ନିଆଁରେ ଘିଅ ଢାଳି ଇରାନରେ ବିମାନ ଆକ୍ରମଣ କରେ ତେବେ ତେହେରାନ କ’ଣ କରିବ ତାହାର ଏକ ବ୍ଲୁପ୍ରିଣ୍ଟ ସାମ୍ନାକୁ ଆସିଛି…

ଇରାନର ସଂସଦର ବାଚସ୍ପତି ଚେତାବନୀ ଦେଇଛନ୍ତି ଯେ, ଯଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ଅନୁସାରେ, ଆମେରିକା ଇସଲାମିକ୍ ଗଣରାଜ୍ୟ ଉପରେ ଆକ୍ରମଣ କରେ, ତେବେ ତେହେରାନ ଏହାର କଡା ଜବାବ ଦେବ । ଆମେରିକୀୟ ସେନା ଏବଂ ଇସ୍ରାଏଲକୁ ଟାର୍ଗେଟ କରିବ। ଏହି ସମୟରେ ସାଂସଦ ମାନେ ସଂସଦର ପୋଡିୟମରେ "ଆମେରିକା ମୁର୍ଦାବାଦ" ସ୍ଲୋଗାନ ଦେଇଛନ୍ତି।

ଇରାନକୁ ସାହାଯ୍ୟ କରିବାକୁ ଆମେରିକା ପ୍ରସ୍ତୁତ : ଟ୍ରମ୍ପ

ଟ୍ରମ୍ପ ସୋସିଆଲ ମିଡିଆରେ ପ୍ରତିବାଦକାରୀଙ୍କ ପ୍ରତି ସମର୍ଥନ ପ୍ରକାଶ କରି କହିଛନ୍ତି, "ଇରାନ ହୁଏତ ପୂର୍ବ ପରି ସ୍ୱାଧୀନତା ପାଇଁ ଅପେକ୍ଷା କରୁଛି। ଆମେରିକା ଏଥିରେ ସାହାଯ୍ୟ କରିବାକୁ ପ୍ରସ୍ତୁତ।" ନ୍ୟୁୟର୍କ ଟାଇମ୍ସ ଏବଂ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଶନିବାର ରାତିରେ ଅଧିକାରୀ ମାନଙ୍କୁ ଉଦ୍ଧୃତ କରି ରିପୋର୍ଟ କରିଛି ଯେ, ଟ୍ରମ୍ପଙ୍କୁ ଇରାନ ଉପରେ ଆକ୍ରମଣ ପାଇଁ ସାମରିକ ବିକଳ୍ପ ପ୍ରଦାନ କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି।

ଆମେରିକା ଆକ୍ରମଣ କଲେ ଇରାନ କ'ଣ କରିବ?

ଇରାନର ସାଂସଦ ଇସ୍ରାଏଲକୁ ଏକ ଅଧିକୃତ ଅଞ୍ଚଳ ବୋଲି କହିଥିଲେ ଏବଂ ଆମେରିକୀୟ ସେନାକୁ ଧମକ ଦେଇଥିଲେ। ସାଂସଦ କ୍ୱାଲିବାଫ କହିଥିଲେ, "ଇରାନ ଉପରେ ଆକ୍ରମଣ ହେଲେ, ଅଧିକୃତ ଅଞ୍ଚଳ ଏବଂ ଅଞ୍ଚଳରେ ଅବସ୍ଥିତ ସମସ୍ତ ଆମେରିକୀୟ ସାମରିକ ପ୍ରତିଷ୍ଠାନ, ଘାଟି ଏବଂ ଜାହାଜ ଆମର ମୂଳ ଲକ୍ଷ୍ୟ ହେବ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଆକ୍ରମଣର ଜବାବ ଦେବାରେ ନିଜକୁ ସୀମିତ ରଖିବୁ ନାହୁଁ ଏବଂ ବିପଦର କୌଣସି ଠୋସ୍ ସୂଚନା ଉପରେ ଆଧାର କରି କାର୍ଯ୍ୟ କରିବୁ।

ଏହା ସହ ପଢନ୍ତୁ : ଏବେ ଯଦି ତୃତୀୟ ବିଶ୍ବଯୁଦ୍ଧ ହୁଏ…କିଏ ରହିବ କାହା ଗୋଷ୍ଠୀରେ ? କାହାକୁ ସମର୍ଥନ କରିବ ଭାରତ ?​​​​​​​