ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା; ପତ୍ନୀ ଓ ଝିଅ ଗୁରୁତର, ସପ୍ତାହେ ମଧ୍ୟରେ ଦ୍ବିତୀୟ ଘଟଣା

Image Courtesy: Pexels
ନୂଆଦିଲ୍ଲୀ,୨୫/୦୧: ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଆକ୍ରମଣରେ ତାଙ୍କ ପତ୍ନୀ ଏବଂ ଝିଅ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଆମେରିକାର ଜର୍ଜିଆରେ ଘଟିଛି। ପୋଲିସର ସୂଚନାନୁସାରେ, ଜାନୁଆରୀ ୨୦ରେ, ତିନିଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଆସି ଜର୍ଜିଆର ହାର୍ଟଲି ବ୍ରିଜ୍ ରୋଡ୍ ନିକଟରେ ଥିବା ଥୋରଫ୍ରେଡ୍ ଲେନ୍ ଉପରକୁ ଯାଇ ଭାରତୀୟ-ଆମେରିକୀୟ ପିନାଲ୍ ପଟେଲ (୫୨) ଙ୍କୁ ଗୁଳି କରିଥିଲେ। ପିନାଲ ସେତିକି ବେଳକୁ ତାଙ୍କ ଘରକୁ ଫେରୁଥିଲେ। ତାଙ୍କ ସହିତ ତାଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ଥିଲେ। ଏହି ଆକ୍ରମଣରେ ଦୁହେଁ ଗୁରୁତର ଆହତ ହୋଇଛନ୍ତି।
ସୋମବାର ଦିନ ବିବ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ପଟେଲ ଆକ୍ରମଣକାରୀଙ୍କୁ ବିରୋଧ କରିବାରୁ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଏହି ଘଟଣାରେ ପିନାଲ, ତାଙ୍କ ପତ୍ନୀ ରୁପାଲବେନ ପଟେଲ ଏବଂ ଝିଅ ଭକ୍ତି ପଟେଲ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ତେବେ ସେଠାରେ ପିନାଲଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ରୁପାଲବେନ ଏବଂ ତାଙ୍କ ଝିଅର ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି।
ଏହି ଖବର ଉପରେ ନଜର ପକାନ୍ତୁ: ଘୋଷଣା ହେଲା ପଦ୍ମ ପୁରସ୍କାର; ୬ ମହାନ ବ୍ୟକ୍ତିତ୍ବଙ୍କୁ ପଦ୍ମ ବିଭୁଷଣ,୪ ଓଡ଼ିଆ ସାମିଲ
ସୂଚନାଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର, ଆମେରିକାରେ ଗୁଳିମାଡ଼ରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚିକାଗୋ ସହରରେ ଏକ ସଶସ୍ତ୍ର ଡକାୟତି ସମୟରେ ଗୁଳିମାଡ଼ରେ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଭାରତୀୟ ଯୁବକଙ୍କ ନାମ ଦେବାଶିଷ। ରବିବାର ସନ୍ଧ୍ୟାରେ ପ୍ରିନ୍ସଟନ୍ ପାର୍କ ନିକଟରେ ଏହି ଗୁଳିମାଡ଼ ହୋଇଥିବା କହିଛି ଚିକାଗୋ ପୋଲିସ୍।