ନୂଆଦିଲ୍ଲୀ,୨୮/୦୮: ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ଲଗାଇଛନ୍ତି ୫୦%  ଟାରିଫ୍‌ । ଏହାଦ୍ୱାରା ଭାରତର ଦୁଇ ତୃତୀୟାଂଶ  ରପ୍ତାନି ଉପରେ ପ୍ରଭାବ ପଡ଼ିପାରେ । ଏହା  ମଧ୍ୟରେ ଆମେରିକାର ଜଣାଶୁଣା ଅର୍ଥନୀତିଜ୍ଞ  ଜେଫରୀ ସୈସ୍‌ କହିଛନ୍ତି ଯେ, ଭାରତ  ଉପରେ ଏତେ ଅଧିକ ଟାରିଫ୍‌ ଲଗାଇ ଟ୍ରମ୍ପ ଆମେରିକାର ହିଁ କ୍ଷତି କରିଛନ୍ତି ।  ଏହାଦ୍ୱାରା ଆମେରିକା ବିଶ୍ୱରେ ଏକଘରିଆ  ହୋଇଯିବ ଏବଂ ଏହାର କମ୍ପାନିଗୁଡ଼ିକୁ ବଡ଼ ମାତ୍ରାରେ କ୍ଷତି ସହିବାକୁ ପଡ଼ିବ । କଲମ୍ବିଆ  ୟୁନିଭର୍ସିଟିର ପ୍ରଫେସର ସୈସ୍‌ ଏକ  ଇଣ୍ଟର୍‌ଭ୍ୟୁରେ କହିଛନ୍ତି ଯେ, ଟ୍ରମ୍ପ ଭାରତକୁ ଡରାଇବାକୁ ଚେଷ୍ଟ କରୁଛନ୍ତି କିନ୍ତୁ ଏଥିରେ  ସେ ସଫଳ ହେବେ ନାହିଁ । 

ଟ୍ରମ୍ପ ଭାବୁଛନ୍ତି  ଯେ, ସେ ଭାରତକୁ ଡରାଇ ଧମକାଇ ନିଜ  କାମ ହାସଲ କରିଦେବେ । ଏହା ଭାବିବା ଠିକ୍‌  ନୁହେଁ ଯେ,୧୫୦ କୋଟି ଜନସଂଖ୍ୟାବିଶିଷ୍ଟ  ଏକ ଦେଶକୁ ସେ ଡରାଇପାରିବେ । ଏହା  କରି ଟ୍ରମ୍ପ ବ୍ରିକ୍‌ସ ଦେଶଗୁଡ଼ିକୁ ଆହୁରି  ଅଧିକ ନିକଟତର କରିବାରେ ସଫଳ  ହେବେ। ଏହାଦ୍ୱାରା ଭାରତ ଆମେରିକାଠାରୁ  ଦୂରେଇଯିବ ଏବଂ ରୁଷ, ଚୀନ୍‌, ବ୍ରାଜିଲ ଏବଂ  ବିଶ୍ୱର ଅନ୍ୟ ବଡ଼ ଅର୍ଥବ୍ୟବସ୍ଥାଗୁଡ଼ିକର ନିକଟତର ହୋଇଯିବ ।