ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା, କୋକେଇକୁ କାନ୍ଧେଇଲେ ସ୍ମୃତି ଇରାନୀ

ଆମେଥି,୨୬।୫: ଉତ୍ତରପ୍ରଦେଶର ଆମେଥିରେ ଗତକାଲି ରାତିରେ ନବନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କ ନିକଟତମ ବୋଲି କୁହାଯାଉଥିବା ବରେଲିୟା ଗାଁର ପୂର୍ବତନ ପ୍ରଧାନ ସୁରେନ୍ଦ୍ର ସିଂହଙ୍କୁ କିଛି ଅଜଣା ବ୍ୟକ୍ତି ଗୁଳିକରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଏବେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ସୁରେନ୍ଦ୍ରଙ୍କ ହତ୍ୟା ଖବର ପାଇବା ପରେ ସେଠାରେ ସ୍ମୃତି ପହଁଞ୍ଚିଥିଲେ। ସେ ତାଙ୍କର ଅନ୍ତିମ ଯାତ୍ରାରେ ସାମିଲ ହେବା ସହ ତାଙ୍କ କୋକେଇକୁ ମଧ୍ୟ କାନ୍ଧେଇଥିଲେ।

ଏହି ଘଟଣା ସମ୍ପର୍କରେ ପୋଲିସ ଏସପି ଦୟାରାମ ଆଜି କହିଛନ୍ତି ଯେ, ବରୋଲିୟା ଗାଁର ପୂର୍ବତନ ପ୍ରଧାନ ସୁରେନ୍ଦ୍ର ସିଂହଙ୍କୁ ଗତକାଲି ରାତିରେ ୧୧ଟା ୩୦ ସମୟରେ କିଛି ଅଜଣା ବ୍ୟକ୍ତି ଗୁଳିକରି ହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଛି, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି।

ଲୋକସଭା ନିର୍ବାଚନ ସମୟରେ ଯୋତା ବିତରଣ ପ୍ରସଙ୍ଗରେ ସୁରେନ୍ଦ୍ର ସିଂହ ଖୁବ୍ ଚର୍ଚ୍ଚାରେ ଥିଲେ। ସେ ସ୍ମୃତି ଇରାନୀଙ୍କ ଖୁବ୍ ନିକଟତର ବୋଲି ମନେକରାଯାଏ। ବରେଲିଆ ଗାଁରେ ସ୍ମୃତି ଇରାନୀ ଯୋତା ବାଣ୍ଟିବା ଘଟଣା ଆମେଥି ଲୋକଙ୍କର ଅପମାନ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କହିଥିଲେ। ଏବେ ସୁରେନ୍ଦ୍ରଙ୍କୁ ହତ୍ୟା କରାଯିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

ସୁରେନ୍ଦ୍ରଙ୍କୁ ହତ୍ୟା କରିବା ଘଟଣାରେ ଏବେ କଂଗ୍ରେସକୁ ସିଧାସଳଖ ଦାୟୀ କରାଯାଉଛି। ମୃତ ସୁରେନ୍ଦ୍ରଙ୍କ ପୁଅ ଅଭୟ କହିଛନ୍ତି ସ୍ମୃତିଙ୍କ ଜିତିବାର ଖୁସି ମନାଇବାର ମୂଲ୍ୟ ତାଙ୍କ ବାପାଙ୍କୁ ଦେବାକୁ ପଡିଛି। ମୋ ବାପା ସ୍ମୃତି ଇରାନୀଙ୍କ ପ୍ରଚାରରେ ୨୪ ଘଣ୍ଟା ଲାଗି ରହିଥିଲେ। ସ୍ମୃତି ଇରାନୀଙ୍କ ବିଜୟ ପରେ ବିଜୟ ଯାତ୍ରା ବାହାର କରାଯାଇଥିଲା ଓ ଏହି କଥା କଂଗ୍ରେସ ସମର୍ଥକଙ୍କୁ ଭଲ ଲାଗିନଥିଲା, ବୋଧହୁଏ ଏଥିପାଇଁ ତାଙ୍କର ହତ୍ୟା କରିଦିଆଯାଇଛି। ଆମକୁ କିଛି ଲୋକଙ୍କ ଉପରେ ସନ୍ଦେହ ରହିଛି।’