ନୂଆଦିଲ୍ଲୀ- କଂଗ୍ରେସର ରାଜ୍ୟସଭା ସାଂସଦ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା ଗୁରୁବାର ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଏବଂ ଏଥିରୁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ଉପରେ ନିଜର ଚିନ୍ତା ପ୍ରକାଶ କରିଛନ୍ତି। ଏହାସହ ଏହି ସଙ୍କଟର ମୁକାବିଲା କରିବାରେ ଭାରତର କୂଟନୀତିକୁ ପରିପକ୍ୱ ଏବଂ ଦକ୍ଷ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲଗାତାର ୧୧ଟି ପୋଷ୍ଟ କରି ସେଥିରେ ଶର୍ମା ବର୍ତ୍ତମାନର ପରିସ୍ଥିତି ଉପରେ ନିଜର ମତାମତ ରଖିଛନ୍ତି ଏବଂ ଦେଶକୁ ଶକ୍ତି ସଙ୍କଟ ବିଷୟରେ ମଧ୍ୟ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ, ଏହା ଖୁବ୍ ଚ୍ୟାଲେଞ୍ଜିଂ ସମୟ, ଯାହା ଆମକୁ କଠୋର ପରୀକ୍ଷା କରୁଛି। ସେ କେନ୍ଦ୍ର ସରକାରଙ୍କ ସର୍ବଦଳୀୟ ବୈଠକ ଡାକିବା ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, ଏହି ଅବସରରେ ଭାରତର ବିଶ୍ୱସ୍ତରୀୟ ପ୍ରତିକ୍ରିୟା ଜାତୀୟ ସହମତି ଏବଂ ସଂକଳ୍ପ ଦ୍ୱାରା ସମର୍ଥିତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଆନନ୍ଦ ଶର୍ମା ଲେଖୁଛନ୍ତି, ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଅନୁଚିତ ଆକ୍ରମଣ ଏବଂ ଏହାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ ପଶ୍ଚିମ ଏସିଆର ପରିସ୍ଥିତି ,ସାରା ବିଶ୍ୱରେ ବ୍ୟାପକ ଅଶାନ୍ତି ଏବଂ ଗମ୍ଭୀର ଆର୍ଥିକ ସଙ୍କଟ ସୃଷ୍ଟି କରିଛି। ଭାରତ ଏବଂ ମଧ୍ୟ ପ୍ରାଚ୍ୟ ଏବଂ ଉପସାଗରୀୟ ଦେଶଗୁଡ଼ିକରୁ ଅଶୋଧିତ ତୈଳ, ଏଲପିଜି ଏବଂ ପ୍ରାକୃତିକ ଗ୍ୟାସ ଆମଦାନୀ ଉପରେ ନିର୍ଭରଶୀଳ ସମସ୍ତ ଦେଶ, ଏବଂ ଯେଉଁମାନଙ୍କର ଯୋଗାଣ ହର୍ମୁଜ୍ ପ୍ରଣାଳୀ ଦେଇ ହୁଏ, ସେମାନେ ଏକ ଅଭୂତପୂର୍ବ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ଆମେ ଇତିହାସର ସବୁଠାରୁ ଖରାପ ଶକ୍ତି ସଙ୍କଟ ମଧ୍ୟରୁ ଗୋଟିଏର ସମ୍ମୁଖୀନ ହେଉଛୁ।

ଆଉ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ, ଏବି ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତି ଆମର ରାଷ୍ଟ୍ରୀୟ ରଣନୀତିକ ପ୍ରତିକ୍ରିୟାକୁ ଆକାର ଦେବାରେ ଆମର ନୀତି ଏବଂ କୂଟନୀତି ଉଭୟର କଡ଼ା ପରୀକ୍ଷା ନେଉଛି। ଭାରତର ଉପସାଗରୀୟ ଦେଶ ଗୁଡ଼ିକ ସହ ଐତିହାସିକ ସମ୍ୱନ୍ଧ ଅଛି, ଏବଂ ଇରାନ (ପାରସ୍ୟ) ସହ ଏହାର ସଭ୍ୟତାଗତ ସଂପର୍କ ରହିଛି।