ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ଅମିତ ଶାହ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆଡ଼କୁ ଇସାରା କରି ଶାହ କହିଛନ୍ତି ଯେ, ‘ଏବେ କିଛି ରାଜ ନେତା ଆସିଛନ୍ତି । ୫୪ ବର୍ଷ ବୟସରେ ନିଜକୁ ଯୁବକ କହୁଛନ୍ତି । ଚାରିଆଡ଼େ ବୁଲୁଛନ୍ତି ଏବଂ କହୁଛନ୍ତି ଶାସକ ଦଳ ସମ୍ବିଧାନକୁ ପରିବର୍ତ୍ତନ କରିଦେବ । ମୁଁ ତାଙ୍କୁ କହିଦେବାକୁ ଚାହେଁ, ସମ୍ବିଧାନ ପରିବର୍ତ୍ତନ କରିବା ଲାଗି ପ୍ରାବଧାନ ସମ୍ବିଧାନର ଅନୁଚ୍ଛେଦ ୩୬୮ରେ ହିଁ ରହିଛି ।’
ରାହୁଲ ଗାନ୍ଧୀଙ୍କ ନାଁ ନନେଇ ଶାହ ଆହୁରି କହିଛନ୍ତି, କିଛି ନେତାଙ୍କୁ ଲାଗୁଛି ସଂରକ୍ଷଣକୁ ପ୍ରସଙ୍ଗ କରି ନିର୍ବାଚନ ଜିତିବାର ସମ୍ଭାବନା ରହିଛି । କିନ୍ତୁ ପ୍ରକୃତ କଥା ହେଉଛି କଂଗ୍ରେସ ମୂଳରୁ ସଂରକ୍ଷଣ ବିରୋଧୀ । ଏହି ପ୍ରସଙ୍ଗରେ କାକା କାଲେଲକରଙ୍କ ରିପୋର୍ଟକୁ ପୁସ୍ତକାଳୟରେ ରଖିଦିଆ ଯାଇଥିଲା । ଯଦି ଏହି ରିପୋର୍ଟକୁ ଗ୍ରହଣ କରାଯାଇଥାନ୍ତା ତେବେ ମଣ୍ଡଳ କମିଶନର ଆବଶ୍ୟକତା ପଡ଼ିନଥାନ୍ତା । ମଣ୍ଡଳ କମିଶନଙ୍କ ରିପୋର୍ଟକୁ ବି କଂଗ୍ରେସ ଚାପି ଦେଇଥିଲା ବୋଲି ଶାହ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହି ରିପୋର୍ଟକୁ ବିରୋଧ କରିଥିଲେ ।
ଗୃହମନ୍ତ୍ରୀ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ସଂପର୍କରେ ରାଜ୍ୟସଭାରେ ହୋଇଥିବା ଚର୍ଚ୍ଚା ସମୟରେ ଜବାବ ରଖିଛନ୍ତି । ସେ କହିଛନ୍ତି, ସମ୍ବିଧାନ ଉପରେ ଏହି ଚର୍ଚ୍ଚା ଦେଶବାସୀଙ୍କୁ ଏହାର ଗୁରୁତ୍ବ ସଂପର୍କରେ ଅବଗତ କରାଇବ । ଏହା ସହ ସମ୍ବିଧାନଙ୍କୁ ମାଡ଼ି ମକଚି ଯେଉଁମାନେ ଆଗକୁ ବଢ଼ିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ଦୁର୍ଦ୍ଦଶା କଣ ହୋଇଛି ତାହା ମଧ୍ୟ ଲୋକେ ଜାଣିବେ । ଏହି ଚର୍ଚ୍ଚାରେ ସଂସଦର ୮୦ ସଦସ୍ୟ ଅଂଶଗ୍ରହଣ କରିଛନ୍ତି । ଏହା ଦ୍ବାରା କିଏ ସମ୍ବିଧାନର ରକ୍ଷା କରିଛି ଏବଂ କିଏ ସମ୍ବିଧାନ ସହ ଖେଳିଛି, ସେନେଇ ଆମର ଆଗାମୀ ପିଢ଼ି ଏବଂ ଦେଶବାସୀ ନିର୍ଣ୍ଣୟ ନେଇପାରିବେ ବୋଲି ଅମିତ ଶାହ କହିଛନ୍ତି ।