ଭୁବନେଶ୍ବର ୨୩/୦୨: ନବଜୀବନର ସନ୍ଦେଶ ବହନ କରୁଥିବା ବସନ୍ତ ଋତୁର ଫାଲ୍‌ଗୁନ ମାସଟି ହିନ୍ଦୁଧର୍ମରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଫାଲ୍‌ଗୁନର ଶୁକ୍ଳ ପକ୍ଷ ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତରରେ ଶାଶ୍ୱତ ପ୍ରେମର ପ୍ରତୀକ ରାଧା-କୃଷ୍ଣଙ୍କ ରଙ୍ଗର ପର୍ବ ଚାଲେ । ଏହି ଅବସରରେ ଓଡ଼ିଶାରେ ଦୋଳ ମହୋତ୍ସବ ବସନ୍ତକୁ ଆହୁରି ରସମୟ କରିଦେଇଥାଏ । ପୁନଶ୍ଚ ଫାଲ୍‌ଗୁନ ଶୁକ୍ଳ ପକ୍ଷର ଏକାଦଶୀ ତିଥି ଧାର୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱ ବହନ କରେ । ବିଶ୍ୱାସ ରହିଛି ଯେ, ଏହି ଦିନ ସ୍ୱୟଂ ବିଷ୍ଣୁ ଅଁଳା ବୃକ୍ଷରେ ଅବସ୍ଥାନ କରନ୍ତି । ଏଣୁ ଅଁଳା ବୃକ୍ଷ ନିକଟରେ ହରିନାମ ସଂକୀର୍ତ୍ତନ କଲେ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୁଏ । ଫାଲ୍‌ଗୁନ ଶୁକ୍ଲ ଏକାଦଶୀକୁ ପାପନାଶିନୀ ଏକାଦଶୀ ତଥା ଆମର୍ଦ୍ଦ ଏକାଦଶୀ ବା ଆମଲୀକ ଏକାଦଶୀ ମଧ୍ୟ କୁହଯାଏ ।

ପୌରାଣିକ ଉପାଖ୍ୟାନ: ଅଁଳା ଏକାଦଶୀ ମାହାତ୍ମ୍ୟ ସମ୍ପର୍କରେ ଭଗବାନ୍ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଥିଲେ । ଏହି ଉପାଖ୍ୟାନ ଅନୁଯାୟୀ ଚିତ୍ରାର୍ଥ ଗନ୍ଧର୍ବ ନାମକ ଜଣେ ରାଜା ଥିଲେ ବଡ଼ ବିଷ୍ଣୁଭକ୍ତ । ତାଙ୍କର ପ୍ରଜାମାନେ ମଧ୍ୟ ଥିଲେ ବୈଷ୍ଣବ । ଏକଦା ରାଜା ସାଧୁମାନଙ୍କ ପରାମର୍ଶ ନେଇ ଅଁଳା ବୃକ୍ଷ ମୂଳରେ ଏକାଦଶୀ ବ୍ରତ ପାଳନ କରିବାକୁ ନିଷ୍ପତ୍ତି ନେଲେ । ଏଥିରେ ସମସ୍ତ ପ୍ରଜାଙ୍କୁ ମଧ୍ୟ ସାମିଲ କଲେ । ରାଜ୍ୟର ସମସ୍ତ ପ୍ରଜା ଯେହେତୁ ଏହି ବ୍ରତ କରୁଥିଲେ ଏଣୁ ବାଧ୍ୟତାମୂଳକ ଭାବେ ରାଜ୍ୟର ଜଣେ ଶିକାରୀ ସେଦିନ ଶିକାର ନ କରି ସପରିବାର ବ୍ରତ ଉପାସନାରେ ସାମିଲ ହେଲା । ସେ ସାରାଦିନ ଉପବାସରେ ରହିବା ସହିତ ଅଁଳା ବୃକ୍ଷ ମୂଳରେ ବସିରହି ହରିନାମ ସଂକୀର୍ତ୍ତନ ଶୁଣିଥିଲା । ପରଦିନ ସକାଳେ ରାଜ୍ୟବାସୀ ଖାଦ୍ୟ ଖାଇ ବ୍ରତ ପାରଣ କଲାବେଳକୁ ଶିକାରୀଟିର ମୃତ୍ୟୁ ଘଟିଲା । ତେବେ ଶିକାରୀଟି ନିଜ ଅଜ୍ଞାତରେ ଅର୍ଜନ କରିଥିବା ଧର୍ମ ବଳରେ ତା’ର ଉଚ୍ଚକୁଳରେ ପୁନର୍ଜନ୍ମ ହେଲା । ପରଜନ୍ମରେ ଶିକାରୀର ନାମ ହେଲା ବସୁରଥ । ସମୟ କ୍ରମେ ସେ ହେଲେ ଅତି ଧାର୍ମିକ ତଥା ପ୍ରଜାବତ୍ସଳ ରାଜା । ଏକଦା ରାଜା ବସୁରଥ ଶିକାର କରିବାକୁ ଯାଇ ଜଙ୍ଗଲରେ ବାଟବଣା ହୋଇଗଲେ । ବାଟ ଖୋଜିଖୋଜି ଥକି ଯିବା ସହିତ ଏକ ବୃକ୍ଷ ମୂଳରେ ବିଶ୍ରାମ ନେଲେ । ତାଙ୍କୁ ନିଦ ଲାଗିଯାଇଛି, ଏହି ସମୟରେ ଜଙ୍ଗଲରେ ଆଶ୍ରୟ ନେଇଥିବା ରାଜ୍ୟର ପାରମ୍ପରିକ ଶତ୍ରୁମାନେ ନିରସ୍ତ୍ର ବସୁରଥଙ୍କୁ ହତ୍ୟା କରିବାକୁ ଉଦ୍ୟତ ହେଲେ । ସେମାନେ ଆକ୍ରମଣ କରନ୍ତେ ବସୁରଥଙ୍କ ଶରୀର ଚାରିପଟେ ଏକ ଦିବ୍ୟ ଆଲୋକର ବଳୟ ଉଦ୍ଭାସିତ ହେବା ସହିତ ସେଥିରୁ ଉଦ୍ଭବ ହେଲେ କରାଳ ସ୍ୱରୂପା ଦେବୀ ଏକାଦଶୀ । ସେ ଅଚିରେ ଗ୍ରାହଙ୍କୁ ବିନାଶ କଲେ ।

ଏହି ସମୟରେ ରାଜାଙ୍କ ନିଦ୍ରା ଭଙ୍ଗ ହେଲା । ସେ ନିଜ ଚାରିପଟେ ମୃତ ଶରୀରଗୁଡ଼ିକ ପଡ଼ିଥିବା ଦେଖି ହତଚକିତ ହୋଇ ଭାବିଲେ ଏମାନେ କିଏ ଏବଂ ଏମାନଙ୍କୁ କିଏ ହତ୍ୟା କଲା? ଦେବୀ ସ୍ୱୟଂ ଆକାଶବାଣୀ ଜରିଆରେ ରାଜା ବସୁରଥଙ୍କ ସନ୍ଦେହ ମୋଚନ କଲେ । କହିଲେ ‘ତୁମେ ଗତ ଜନ୍ମରେ ଅଁଳା ବ୍ରତ ପାଳନ କରିବା ସହିତ ଏହି ଜନ୍ମରେ ସମସ୍ତ ଧର୍ମକର୍ମ,ଏକାଦଶୀ ବ୍ରତ ପାଳନ କରୁଥିବାରୁ ଏହାର ପୁଣ୍ୟ ଫଳ ସ୍ୱରୂପ ମୁଁ ତୁମକୁ ରକ୍ଷା କରିଛି ।’ ଯେଉଁ ଦିନ ଦେବୀ ଏକାଦଶୀ ଆବିର୍ଭୂତ ହୋଇ ବସୁରଥଙ୍କ ଜୀବନ ରକ୍ଷା କଲେ ସେହିଦିନଟି ମଧ୍ୟ ଥିଲା ଫାଲ୍ଗୁନ ଶୁକ୍ଲ ଏକାଦଶୀ । ଅଁଳା ଏକାଦଶୀରେ ଅଁଳା ବୃକ୍ଷରେ ଭଗବାନ୍‌ଙ୍କ ପର୍ଶୁରାମ ସ୍ୱରୂପକୁ ଉପାସନା କରାଯାଏ । ଏହି ଉପାସନା କରୁଥିବା ବ୍ରତଧାରୀ ଅକାଳ ମୃତ୍ୟୁରୁ ରକ୍ଷା ପାଇବା ସହ ଜନ୍ମ-ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇ ପରମଧାମ ପ୍ରାପ୍ତ ହୋଇଥାନ୍ତି । ଅଁଳା ବୃକ୍ଷରେ ନାରାୟଣଙ୍କ ସହ ଲକ୍ଷ୍ମୀ ମଧ୍ୟ ନିବାସ କରନ୍ତି । ଏଣୁ ଦମ୍ପତିମାନେ ଅଁଳା ଏକାଦଶୀ ବ୍ରତ କଲେ ଦାମ୍ପତ୍ୟ ଜୀବନରେ ସୌଭାଗ୍ୟ ତଥା ଆନନ୍ଦ ଲାଭ କରିଥାନ୍ତି । ଏହି ମର୍ମରେ ଶାସ୍ତ୍ରରେ କୁହାଗଲା - “ଫାଲ୍‌ଗୁନେ ମାସି ଶୁକ୍ଲୟାଂ ଏକାଦଶୀଂ ଜନାର୍ଦ୍ଦନଂ/ ବାତ୍ସଲ୍ୟମକ୍ଷୀ ବୃକ୍ଷଂ ଲକ୍ଷ୍ମୀୟାଶ୍ଚ ଜଗତପତିଃ/ ତତ୍ର ସଂପୂଜ୍ୟ ଦେବୈଷଂ ସକତ୍ୟ କୁଜୟାତ ପ୍ରଦକ୍ଷିଣମ୍/ ଅପୋଷ ବିଧିତଂ କଳ୍ପଂ ବିଷ୍ଣୁଲୋକ ମହିୟତି ” ଫାଲ୍‌ଗୁନ ଏକାଦଶୀକୁ ଉତ୍ତର ଭାରତରେ ରଙ୍ଗଭରୀ ଏକାଦଶୀ କୁହାଯାଏ । ଫାଲ୍‌ଗୁନ ଏକାଦଶୀ ଯେଉଁ ନାମରେ ପାଳନ ହେଲେ ମଧ୍ୟ ସମସ୍ତ ମୂଳରେ ସେଇ ଗୋଟିଏ ବାର୍ତ୍ତା ରହିଛି - “ହରି ନାମ ହିଁ କେବଲମ୍”, ଯାହା ମୁକ୍ତିର ମାର୍ଗ ଅଟେ ।

ଡା. ଅଂଶୁମାନ କର,୯୭୭୮୦୩୦୪୯୪