ପୁରୀ,୦୩/୦୮: ଶ୍ରୀମନ୍ଦିରରେ ଅବଢ଼ା ପ୍ରସ୍ତୁତିରେ ବ୍ୟବହାର ହେବ ଜୈବିକ ପଦ୍ଧତିରେ ଅମଳ ଚାଉଳ । ଜୈବିକ ପ୍ରଣାଳୀରେ ଧାନ ଚାଷ କରି ଏଥିରୁ ଚାଉଳ ବା ‘ଅମୃତ ଅନ୍ନ’ ପ୍ରସ୍ତୁତ କରି ଅବଢ଼ା ରାନ୍ଧିବା ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି । ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ବିସ୍ତୃତ ଯୋଜନା କରି ଅର୍ଥ ବିନିଯୋଗ ଯୋଜନା ହୋଇଛି । କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ବଲାଙ୍ଗୀର ଆଦି ୮ ଜିଲ୍ଲାରେ ଅର୍ଗାନିକ ଫାର୍ମିଂ କରିବାକୁ ନିମନ୍ତେ ପ୍ରସ୍ତୁତି ହୋଇଛି ।
ବଳଭଦ୍ର ଜୈବିକ ଚାଷ ମିଶନ ଅଧୀନରେ ପ୍ରାୟ ୧୧୩ କୋଟି ୫୮ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ୨୦୨୫-୨୬ରେ ୩୮ କୋଟି, ୨୦୨୬-୨୭ରେ ୨୮ କୋଟି, ୨୦୨୭-୨୮ରେ ୨୦ କୋଟି, ୨୦୨୮-୨୯ ରେ ୧୧ କୋଟି ଓ ୨୦୨୯-୩୦ ରେ ୧୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସରକାରଙ୍କ ପକ୍ଷରୁ ଆର୍ଥିକ ଓ ବୈଜ୍ଞାନିକ ପରାମର୍ଶ ପାଇ ଚାଷୀ ଚାଷ କରିବେ । ଅମଳ ପରେ ଚାଷୀଙ୍କ ଠାରୁ ସରକାର ଏହି ଧାନ, ବିରି, ପରିବା ପ୍ରଭୃତି ଫସଲ କିଣି ନେବେ ।
ସୂଚନା ଥାଉକି, ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ‘ଅମୃତ ଅନ୍ନ’ ପରଷିବାକୁ ଯୋଜନା କରିଛନ୍ତି ସରକାର । ଜମିର ଉର୍ବରତା ବୃଦ୍ଧିରେ ସହାୟକ ହେଉଥିବା ଧନିଚାକୁ ଚାଷ ଜମିରେ ବୁଣି ପରେ ଏଠାରେ ବିନା ସାର, ପିଡ଼ିଆ ବ୍ୟବହାରରେ ଧାନ, ମୁଗ, ବିରି, ପରିବା ପ୍ରଭୃତି କରିବାକୁ ଚାଷୀମାନଙ୍କୁ କୃଷି ବିଭାଗ ଟିମ୍ ବିଭିନ୍ନ ଜିଲ୍ଲା ବୁଲି ସଚେତନ କରାଉଛି । ଆବଶ୍ୟକ ସ୍ଥଳେ ଚାଷ ଜମିରେ ଗୋବର ଓ ବିଭିନ୍ନ ପତ୍ରରୁ ପ୍ରସ୍ତୁତ ଜୈବିକ ଖତ ବ୍ୟବହାର କରାଯିବ । ଏଥିନିମନ୍ତେ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମଧ୍ୟ ସରକାର ଯୋଜନା କରିଛନ୍ତି । ଚାଷୀ ଜୈବିକ ପ୍ରଣାଳୀରେ ଶସ୍ୟ ଉତ୍ପାଦନ କଲେ ସମସ୍ତ ଖାଦ୍ୟ ଦ୍ରବ୍ୟକୁ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନିମନ୍ତେ କିଣିନେବ ।
ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ସମୟରେ ପରୀକ୍ଷାମୂଳକ ଭାବେ ଆଡ଼ପ ମଣ୍ଡପରେ ଜୈବିକ ଚାଉଳରୁ ଅବଢ଼ା କରାଯାଇ କୋଠ ଭୋଗରେ ମହାପ୍ରଭୁଙ୍କୁ ଲାଗି ହୋଇଥିଲା । କଳାଜିରା ଓ ଦେବଭୋଗ କିସମର ଚାଉଳକୁ ଏହି ସମୟରେ ବ୍ୟବହାର ହୋଇଥିଲା । ଆବଶ୍ୟକ ପରିମାଣର ଚାଉଳ, ଡାଲି ପ୍ରଭୃତି ଗଚ୍ଛିତ କରିବା ପରେ ପ୍ରଥମେ ଦୈନିକ କୋଠଭୋଗରେ ‘ଅମୃତ ଅନ୍ନ’ ବ୍ୟବହାର କରାଯିବ । ଷ୍ଟକ୍ ଅଧିକ ରହିବା ପରେ ଶ୍ରୀମନ୍ଦିର ପରିସରରେ ଏକ କାଉଣ୍ଟର କରାଯାଇ ଏହାକୁ ସୁଆରମାନଙ୍କୁ ମଧ୍ୟ ବରାଦି ଅବଢ଼ା କରିବା ନିମନ୍ତେ ବିକ୍ରି କରିବାକୁ ପ୍ରଶାସନିକ ଯୋଜନା ହୋଇଛି । ଏବେ ଶ୍ରୀମନ୍ଦିର କୋଠଭୋଗରେ ଦୈନିକ ପ୍ରାୟ ୪୦କେଜିର ଚାଉଳ ଅବଢ଼ା ଅନ୍ନ ରାନ୍ଧିବା ନିମନ୍ତେ ଆବଶ୍ୟକ ପଡ଼ୁଛି । ସେହିପରି ପ୍ରାୟ ୧୦କିଲୋ ମୁଗଡାଲି ସାଙ୍ଗକୁ ବିଭିନ୍ନ ପରିବା ବ୍ୟବହାର ହେଉଛି । ଶ୍ରୀଜିଉଙ୍କ ନିମନ୍ତେ
ଏବେ ବିଭିନ୍ନ ସ୍ଥାନରୁ ଆମଦାନୀ ହୋଇ ଆସୁଥିବା ବାସୁମତି ଓ ବିଭିନ୍ନ କିସମର ଚାଉଳ ସାଙ୍ଗକୁ ଡାଲି, ପରିବା ପ୍ରଭୃତି ବ୍ୟବହାର ହେଉଛି। ରାସାୟନିକ ସାର ଓ କୀଟନାଶକ ପ୍ରାୟୋଗ ହେଉଥିବା ଚାଷ ଜମିରୁ ଏହି ସମସ୍ତ ଖାଦ୍ୟ ସାମଗ୍ରୀ ଅମଳ ହୋଇ ଆସୁଛି । ଏହି ବିଷାକ୍ତ ଖାଦ୍ୟ ଶରୀର ପ୍ରତି କ୍ଷତିକାରଣ । ତେଣୁ ମହାପ୍ରଭୁଙ୍କୁ ଦୈନିକ ଶୁଦ୍ଧ ଖାଦ୍ୟ ପରଷିବା ନିମନ୍ତେ ସରକାର ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଯୋଜନା କରିଛନ୍ତି ।