ନୂଆଦିଲ୍ଲୀ,୧୭/୧୨:ପଞ୍ଜାବ ଅମୃତସରର ଇସଲାମାବାଦ ଥାନା ନିକଟରେ ଭୟଙ୍କର ବିସ୍ଫୋରଣ। ଆଜି ଭୋର୍ ୩ଟା ସମୟରେ ଏହି ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଥିଲେ । ତେବେ ଏହି ଘଟଣା ପାଇଁ ଗ୍ୟାଙ୍ଗଷ୍ଟର ଜୀବନ ଫୌଜି ନିଜକୁ ଦାୟୀ କରିଥିବା ସୂଚନା ମିଳିଛି।
ତେବେ ଅମୃତସର ପୋଲିସ କମିଶନର ଗୁରପ୍ରୀତ ସିଂ ଭୁଲର ମଧ୍ୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, “ଥାନା ଭିତରେ କୌଣସି ବିସ୍ଫୋରଣ ହୋଇନାହିଁ, କିନ୍ତୁ ଆମେ ତଦନ୍ତ କରୁଛୁ। ଆଜି ସକାଳେ ନିଶ୍ଚିତ ଭାବେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ସେପଟେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ପୋଷ୍ଟରେ ଗ୍ୟାଙ୍ଗଷ୍ଟର ଜୀବନ ଫୌଜି ଇସଲାମାବାଦ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । କିନ୍ତୁ ବର୍ତ୍ତମାନ ଯାଏଁ ପଞ୍ଜାବ ପୋଲିସ ବିସ୍ଫୋରଣକୁ ନେଇ ଗ୍ୟାଙ୍ଗଷ୍ଟରଙ୍କ ବିଷୟରେ ସୂଚନା ଦେଇନାହିଁ। ତେବେ ଗତ କିଛି ଦିନ ହେବ ପଞ୍ଜାବର ପୋଲିସ ଷ୍ଟେସନ ନିକଟରେ ସମାନ ବିସ୍ଫୋରଣ ଘଟୁଛି। ପୋଲିସ ଷ୍ଟେସନ ନିକଟରେ ବିସ୍ଫୋରଣର ଏହା ଷଷ୍ଠ ଘଟଣା। ଡିସେମ୍ବର ୪ରେ ଅମୃତସର ମାଜିଠା ପୋଲିସ ଷ୍ଟେସନରେ ବିସ୍ଫୋରଣ ହୋଇଥିଲା। ନିକଟରେ ଅଜନାଲା ପୋଲିସ ଷ୍ଟେସନ ବାହାରେ ଏକ ଆଇଡ଼ି ମଧ୍ୟ ଉଦ୍ଧାର କରାଯାଇଥିଲା। ସେହିପରି ଅମୃତସର ପୋଲିସ କମିଶନରେଟଙ୍କ ଗୁରୁବକ୍ସ ନଗର ପୋଲିସ ପୋଷ୍ଟ ଭିତରେ ମଧ୍ୟ ବିସ୍ଫୋରଣ ଘଟିଥିଲା।