କଟକ,୨୬/୧୨: ଓଲିଉଡ୍‌  ସୁପରଷ୍ଟାର୍‌ ଅନୁଭବ ମହାନ୍ତି ଓ ଅଭିନେତ୍ରୀ  ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପରେ  ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ବାନ୍ଧବୀ  ଜାଗ୍ରୁତି ଶୁକ୍ଳା । ଏଥର କୌଣସି ଫିଲ୍ମ କିମ୍ୱା  ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ  ନୁହେଁ ବରଂ ଏକ ବହିକୁ ନେଇ ଚର୍ଚ୍ଚାର  ପରିସରକୁ ଆସିଛନ୍ତି ଜାଗ୍ରୁତି । ଅନୁଭବଙ୍କୁ  ନେଇ ସେ ଏକ ବହି ଲେଖିଛନ୍ତି । ଏହି  ବହିର କଭର୍‌ ପେଜ୍‌କୁ ସେ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଛନ୍ତି ।  

ଯେଉଁଥିରେ ଅନୁଭବଙ୍କ ଫଟୋ ସହ "ଆନ୍‌ ଅଫିସିଆଲ୍‌ ବାୟୋଗ୍ରାଫି ଅଫ୍‌ ଅନୁଭବ ମହାନ୍ତି, ବ୍ଲକବ୍ଲଷ୍ଟର୍‌ ଟୁ ବାଲାଟ୍‌ ବକ୍ସ’ ବୋଲି  ଉଲ୍ଲେଖ ରହିଛି । ଯାହା ଖୁବ୍‌ଶୀଘ୍ର ସମସ୍ତଙ୍କ  ସାମ୍ନାକୁ ଆସିବ ବୋଲି ଲେଖିଛନ୍ତି । ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି  ସେ ଏହି ବହି ଲେଖିଥିବା ସାମାଜିକ  ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି । ଗତ  ୨୪ ତାରିଖରେ ଅନୁଭବ ମହାନ୍ତିଙ୍କ ଜନ୍ମଦିନ  ଅବସରରେ ସେ ଲେଖିଥିବା ଏହି ବହି ସମ୍ପର୍କରେ ସୂଚନା ଦେଇଛନ୍ତି । ଅନୁଭବଙ୍କ  ଜୀବନୀ ସମ୍ପର୍କରେ ଆଧାରିତ ଏହି ବହିରେ  ବିଭିନ୍ନ ବ୍ଲକ୍‌ବ୍ଲଷ୍ଟର୍‌ ସିନେମାଠାରୁ ଆରମ୍ଭ  କରି ରାଜନୀତିରେ ପାଦ ଦେଇଥିବା ତାଙ୍କର  ଅସାଧାରଣ ଯାତ୍ରା ସମ୍ପର୍କରେ ଲେଖିଛନ୍ତି । ତେବେ ବହିଟି କାହିଁକି ଏବଂ କେଉଁ  ଉଦ୍ଦେଶ୍ୟରେ ଲେଖା ହୋଇଛି ତାହା ଜଣାପଡି  ନାହିଁ । ପୂର୍ବରୁ ଅନୁଭବ ମହାନ୍ତିଙ୍କ ସହ  ଜାଗ୍ରୁତି ଶୁକ୍ଳାଙ୍କ ଥିବା ସମ୍ପର୍କ ଓ ବିବାହକୁ  ନେଇ ଅନେକ ଥର ଚର୍ଚ୍ଚା, ଆଲୋଚନା  ହୋଇଛି । ଏପରିକି ଅନୁଭବଙ୍କ ସିନେମାରେ  ଜାଗ୍ରୁତି ଶୁକ୍ଳାଙ୍କ ଯୋଗଦାନ ମଧ୍ୟ ରହିଛି ।  ଉଭୟଙ୍କ ଫଟୋ ଓ ପାରିବାରିକ ସମ୍ପର୍କ  ବିଷୟରେ ମଧ୍ୟ ଜାଗ୍ରୁତି ଶୁକ୍ଳା ସୋସିଆଲ୍‌  ମିଡିଆରେ ସେୟାର୍‌ କରିଛନ୍ତି।