ପାଟନା : ଏକ ବେକାବୁ କାର୍ ୪ଜଣ ଲୋକଙ୍କ ଉପରେ ଚଢି ଯାଇଛି। ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଉକ୍ତ ଘଟଣା ପରେ ଅଭିଯୁକ୍ତ କାର ନେଇ ଖୁବ୍ ଜୋରରେ ଫେରାର ହୋଇ ଯାଇଥିଲା। ଘଟଣାଟି ଦାନାପୁର ଥାନା ଅଞ୍ଚଳର ଗୋଲା ସ୍ଥିତ ଝଖଡ଼ି ମହାଦେବ ରୋଡ୍ରେ ଘଟିଛି। ଯାହାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଭୁଲ୍ ପାର୍ଶ୍ୱରେ ପଶି କାର ଚାରି ଜଣ ଲୋକଙ୍କ ଉପରେ ଚଢି ଯାଇଛି ଏବଂ ଗାଡ଼ି ତଳେ ଫସି ରହିଥିବା ଲୋକକୁ ଆଉଥରେ ଚଢି ଯାଇ ଚାଲି ଯାଇଥିଲା। ଏହି ସମୟରେ ଲୋକେ ଉକ୍ତ କାରକୁ ରୋକିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡ୍ରାଇଭର କାରର ଗତି ଖୁବ୍ ବଢାଇ ଦେଇ ଥିଲା ଏବଂ ସେଠାରୁ ଫେରାର ହୋଇଯାଇ ଥିଲା।

ଲାଇଭ ହିନ୍ଦୁସ୍ତାନ ଡଟ୍ କମ୍ ଅନୁସାରେ , ଏହି ଭୟାନଙ୍କ ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି। ଭିଡ଼ିଓ ଏତେ ହୃଦୟ ବିଦାରକ ଯେ, ଆପଣ ଏହାକୁ ଦେଖି ପାରିବେ ନାହିଁ।

ଉକ୍ତ ଘଟଣାରେ ମୃତକ ଜଣଙ୍କ ହେଉଛନ୍ତି ୬୦ ବର୍ଷିୟ ଚାନ୍ସି ରାୟ। ଭିଡ଼ିଓରେ ଦେଖିବାକୁ ପାଇଲେ ପ୍ରଥମେ ଦ୍ରୁତ ଗତିରେ କାରଟି ଆସି ଏକ କୁକୁର ଉପରେ ଚଢି ଯାଉଛି ଏବଂ ଏହାପରେ ଖୁବ୍ ଜୋରରେ ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢି ଯାଉଛି। ଏହି ସମୟରେ ଦୁଇ ଜଣ ଲୋକ କାର ତଳକୁ ଆସି ଯାଉଛନ୍ତି। ଏହାସତ୍ତ୍ୱେ କାରଚାଳକ ତାଙ୍କ ଉପରେ ଗାଡ଼ିକୁ ଚଢାଇ ଦ୍ରୁତ ଗତିରେ ନେଇ ଫେରାର ହୋଇ ଯାଉଛି।

ସୂଚନା ପାଇବା କ୍ଷଣି ପୁଲିସ ଓ ଟ୍ରାଫିକ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଛାନଭିନ ଆରମ୍ଭ କରି ଦେଇଛି। ଆଖାପାଖର ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି ଯେ, ଡ୍ରାଇଭର କାର ନେଇ ମରିନ ଡ୍ରାଇଭ୍ ଆଡ଼କୁ ପଳାଉଛି। ଟ୍ରାଫିକ୍ ପୁଲିସ୍ ଗାଡ଼ିର ନମ୍ୱରର ଆଧାରରେ ଡ୍ରାଇଭରକୁ ଚିହ୍ନଟ କରିବାରେ ଲାଗି ପଡ଼ିଛି। ବର୍ତ୍ତମାନ ଏବେସୁଦ୍ଧା ଅଭିଯୁକ୍ତର ପରିଚୟ ମିଳି ପାରିନାହିଁ।