ପୁରୀ,୧୩/୦୭: ଓଷ ଓ ଦଶମୂଳ ଲାଗି ପରେ  ଶ୍ରୀଜିଉ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ଗଜପତି  ମହାରାଜା ପାଇବା ପରେ ଏଣିକି ରଥଯାତ୍ରା ପାଇଁ  ପ୍ରସ୍ତୁତି ଜୋରଦାର । ମାତ୍ର ଦିନକ ପରେ ଠାକୁରେ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହି  କ୍ରମରେ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଘଣାଲାଗି  ଓ ବନକଲାଗି ନୀତି ହେବ । କର୍ପୂର, କେଶର ଓ  କସ୍ତୁରୀ ମିଶ୍ରିତ ଦିବ୍ୟ ଖଳି ଠାକୁରଙ୍କୁ ଲାଗି କରାଯିବ । ମନୁଷ୍ୟ ଶରୀରରେ ଶିରା, ପ୍ରଶିରା ଓ ଅନ୍ତନାଡ଼ୀ ପରି  ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଅକ୍ଷାଂଶ ଓ ଦ୍ରାଘିମା ରେଖା  ପରି ବିଭିନ୍ନ ଛାନ୍ଦ ପଡ଼ି ପାଟ ଡୋର ଲାଗି କରାଯିବ ।  ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀର ପଟୁଆରରେ ଖଳିପ୍ରସାଦ ଶ୍ରୀମନ୍ଦିରକୁ ଆସିଥିବ । ଖଳି ପ୍ରସାଦକୁ ଶ୍ରୀଅଙ୍ଗରେ ଲାଗି କରାଯିବ । ଶୁଦ୍ଧ ସୁଆରଙ୍କ ଖଳିପ୍ରସାଦ ଲାଗି ହେଲାପରେ ଖଡ଼ିପ୍ରସାଦ ଲାଗି କରାଯାଏ । ଭୋଗମଣ୍ଡପ ସରିଲେ ଦତ୍ତମହାପାତ୍ର ସେବକଙ୍କ ଘରୁ ଖଡ଼ିପ୍ରସାଦ ଶ୍ରୀମନ୍ଦିରକୁ ବିଜେ ହେବାର  ବିଧି ହେବ । ଏହାପରେ ଶ୍ରୀଜିଉ ପୂର୍ବାବସ୍ଥାକୁ ଫେରିବେ  ବୋଲି କୁହାଯାଏ । ଅଣସର ଗୁପ୍ତ ସେବାରେ ବିଶ୍ୱାବସୁଙ୍କ  ଭଳି ଦଇତାପତି ମହାପ୍ରଭୁଙ୍କର ସେବା ଜାରି ରଖିଛନ୍ତି।

ଅଧିକ ପଢ଼ନ୍ତୁ :- Road Issue: ଧ୍ରୁବପଲି ବାସିନ୍ଦାଙ୍କ ଦୁର୍ଦ୍ଦଶା, ଗାଁକୁ ରାସ୍ତା ନାହିଁ ବୋଲି ଭାଙ୍ଗିଯାଉଛି ବାହାଘର, ଝିଅ ଦେବାକୁ ଅରାଜି ବନ୍ଧୁ..

ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟଭାବେ ଶ୍ରୀଜୀଉମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ପରେ ଖଡ଼ି ଲାଗି କରାଯିବ। ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଂଗଣରେ ରଖି ଦଇତା ଓ ପତି ମହାପାତ୍ର ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହେବ। ଏହା ପୂର୍ବରୁ ନୂତନ ବିଗ୍ରହଙ୍କୁ ରକ୍ତ ବସ୍ତ୍ର ଆବରଣ କରାଯିବ। ଦଇତା ଓ ପତି ମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀରେ ଶ୍ରୀଜିଉଙ୍କୁ ରକ୍ତ ବସ୍ତ୍ର ଆବରଣ କରିବେ।

​​​​​​​

ନବଯୌବନ ଦର୍ଶନ ପୂର୍ବରୁ ଶ୍ରୀବିଗ୍ରହ ମାନଙ୍କ ଶ୍ରୀଅଙ୍ଗରେ ବିଳମ୍ବିତ ରାତିରେ ଖଳି ଲାଗି କରାଯିବ। ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି। ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ, ଛତା ସହ ଡକରା ଯାଇଥାଏ। ଏହା ପୂର୍ବରୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିବେ। ବିଜେ କାହାରି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିବ। ଶୁଦ୍ଧ ସୁଆର ଖଳି ପ୍ରସାଦକୁ ନେଇ ଦଇତା ଓ ପତି ମହାପାତ୍ରଙ୍କୁ ହସ୍ତାନ୍ତର କରିବା ପରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଦଇତାପତିମାନେ ଲାଗି କରିବେ