ଧାମରା,୧୩/୦୭: ଗାଁକୁ ସ୍ଥାୟୀ ରାସ୍ତାଟିଏ ନାହିଁ । ବର୍ଷାଦିନେ କାଦୁଅ ପଚପଚ ।  ଗାଡ଼ିମୋଟର ଯିବା ତ ଦୂର କଥା, ଚାଲି  ଚାଲି ଯିବାରେ ମଧ୍ୟ ଅସୁବିଧା ଭୋଗୁଛନ୍ତି  ଲୋକେ । ଜରୁରିକାଳୀନ ସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଗାଁକୁ ଆସିପାରୁନି ।  ଫଳରେ ଅନେକ ସମୟରେ ଗର୍ଭବତୀ ଓ  ଗୁରୁତର ରୋଗୀଙ୍କୁ ଭାରରେ ନେବାକୁ ପଡ଼ୁଛି ।  ଏମିତି ଦୁଃଖରେ ଦୀର୍ଘବର୍ଷ ହେଲା ଗ୍ରାମବାସୀ  ଯୁଝିହେଉଥିବା ବେଳେ ଏବେ ଆଉ ଏକ ବଡ଼ ଦୁଃଖ ଗାଁକୁ ଚିନ୍ତାରେ ପକାଇଛି । ରାସ୍ତା ଭଲ ନ ଥିବାରୁ ଗାଁ ପୁଅଙ୍କୁ କେହି ଝିଅ ଦେବାକୁ  ରାଜି ହେଉନାହାନ୍ତି ।

ଅନେକ ପୁଅଙ୍କ ପ୍ରସ୍ତାବ ଭାଙ୍ଗିଲାଣି । କାଦୁଅ ଗାଁକୁ ଝିଅ ଦେବୁନି ବୋଲି  କହୁଛନ୍ତି । ଯେଉଁଠି ସାମାନ୍ୟ ମୌଳିକ ସୁବିଧା  ନାହିଁ, ସେଠି ଝିଅ ଦେବୁନି ବୋଲି କନ୍ୟାପିତା  ମାନେ ରୋକଠୋକ୍‌ ଶୁଣାଇ ଦେଉଛନ୍ତି । ଏମିତି  ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା  ଚାନ୍ଦବାଲି ବ୍ଲକ ଚରଦିଆ ପଞ୍ଚାୟତ ଧ୍ରୁବପଲି  ଗାଁ ମଣ୍ଡଳସାହିରେ । ଉପକୂଳ ଜିଲ୍ଲା ହୋଇ  ମଧ୍ୟ ସ୍ୱାଧୀନତାର ୭୮ ବର୍ଷ ପରେ ଉପାନ୍ତ  ଅଞ୍ଚଳ ଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ।  

ଅଧିକ ପଢ଼ନ୍ତୁ :-   Cuttack Robbery: କଟକ ସହରରେ ଲୁଟେରାଙ୍କ ଆତଙ୍କ, ମହିଳାଙ୍କୁ ଖଣ୍ଡାରେ ହାଣି ୩୬ ଲକ୍ଷ ଲୁଟିନେଲେ, ଟଙ୍କା ଥିବା ନେଇ କେମିତି ଜାଣିଲେ ?

ମଣ୍ଡଳସାହିରେ ପ୍ରାୟ ୩୦ ପରିବାରରେ  ପାଖାପାଖି ଦୁଇ ଶହ ଲୋକ ବସବାସ କରନ୍ତି ।  ହେଲେ ସାହିକୁ ଭଲ ରାସ୍ତାଟିଏ ନାହିଁ । ଗାଁରୁ  ଚରଦିଆ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା  ମାଟି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।  ଘରପୋଡ଼ି ଭଳି ବିପତ୍ତି ବେଳେ ଦମକଳ  ଗାଡ଼ି ଆସିବା ବି ଅସମ୍ଭବ । ଏନେଇ ବାରମ୍ବାର  ପ୍ରଶାସନକୁ ଗୁହାରି କରି ମଧ୍ୟ ସୁଫଳ ମିଳିନି ।

 ଏବେ ଗାଁର ଯୁବକ-ଯୁବତୀଙ୍କ  ବିବାହରେ ବାଧକ ସାଜିଛି ରାସ୍ତା । ଭଲ  ରାସ୍ତା ନ ଥିବାରୁ ଅନେକ ଲୋକ ଗାଁକୁ ଝିଅ  ଦେବାକୁ ଅରାଜି । ଯଦି କାହାର ବିବାହ  ଠିକ୍‌ ହୋଇଯାଉଛି, ତେବେ ଗାଁ ବାହାର  ଯାଏ ବରକୁ କାନ୍ଧରେ ନେବାକୁ ପଡ଼ୁଛି ।  ପୁଣି ବରକନ୍ୟା ଫେରିବା ବେଳେ ବି  ସମାନ ଅବସ୍ଥା । ସେହିପରି ଗାଁର କୌଣସି  ଯୁବତୀଙ୍କ ବିବାହରେ ମଧ୍ୟ ସମାନ ଅସୁବିଧା  ଦେଖାଯାଉଛି । ବାହାର ଗାଁରୁ ଆସୁଥିବା  ବରକୁ କାନ୍ଧରେ ବେଦି ଯାଏ ଯିବାକୁ ପଡ଼ୁଛି ।