ଝାରସୁଗୁଡ଼ା, ୨୫/୦୪: ଟଙ୍କା ଦେଲେ ମିଳିବ ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ । ଏଥିପାଇଁ ଖୋଲିଥିଲେ ଅଫିସ୍ । ବିଜ୍ଞାପନ ଦେଉଥିଲେ । ଆଶାୟୀଙ୍କୁ ମିଠା ମିଠା କଥା କହି ଫସାଉଥିଲେ । ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ । ହେଲେ ସାର୍ଟିଫିକେଟ୍ ଦେବାର ନାଁ ଧରୁ ନ ଥିଲେ । ଭୂଆଁ ବୁଲାଉଥିଲେ । କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ସ୍କାମ୍ ହୋଇଛି । ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ତଥା ବୁର୍ଲା ଥାନାଠାରୁ ଅନତି ଦୂରରେ ଅଫିସ୍ ଖୋଲି ଠକେଇ ଜାଲ ବୁଣିଥିବା ଅଭିଯୁକ୍ତ ଚିତ୍ତରଞ୍ଜନ ବାରିକ ଏବଂ ରୀମା ଦାସ ଶୁକ୍ରବାର ଗିରଫ ହେବା ପରେ ଏହାର ପର୍ଦ୍ଦାଫାସ ହୋଇଛି । ଚିତ୍ତରଞ୍ଜନ ଏବଂ ରୀମା ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ବିଏଡ୍ ସାର୍ଟିଫିକେଟ କରାଇ ଦେବାକୁ କହି ବୁର୍ଲାରେ ‘ୱାନ ୱାର୍ଲଡ ଏକାଡେମୀ’ ନାମକ ସଂସ୍ଥା ଖୋଲିଥିଲେ । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବରଗଡ଼, ନୂଆପଡ଼ା ଏବଂ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ବିଏଡ୍ ସାର୍ଟିଫିକେଟ ଆଶାରେ ଦାବି ମୁତାବକ ଅର୍ଥ ପୈଠ କରିଥିଲେ । ହେଲେ କେତେଜଣ ଆଶାୟୀ ସଂସ୍ଥାର କାରବାରକୁ ନେଇ ସନ୍ଦେହ ପ୍ରକଟ କରିଥିଲେ । କାରଣ ଦୁଇ ଅଭିଯୁକ୍ତ ବିଭିନ୍ନ ଆଳରେ ହଇରାଣ କରୁଥିଲେ । ବାରମ୍ବାର ଅର୍ଥ ହାତେଇ ନେଇ ସାଟି ର୍ଫିକେଟ୍ ନ ଦେଇ ଠକି ଚାଲିଥିଲେ । ଏ ନେଇ ଗତ ୨୩ ତାରିଖ ଝାରସୁଗୁଡ଼ା ସାଇବର ଥାନାରେ ଓରିଏଣ୍ଟ ଥାନା ଅଞ୍ଚଳର ପ୍ରୀତିରାଣୀ ପଣ୍ଡା ଅଭିଯୋଗ କରିଥିଲେ । ବ୍ରଜରାଜନଗର ଥାନାଞ୍ଚଳର ଆକାଂକ୍ଷାମୟୀ ସୁନା ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲେ ।
ପ୍ରୀତିରାଣୀ ଅଭିଯୋଗରେ ଦର୍ଶାଇଥିଲେ, ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ଡିସ୍ଷ୍ଟାନ୍ସ ବିଏଡ୍ରେ ନାମ ଲେଖାଇବାକୁ ବୁର୍ଲାର ଏଜେଣ୍ଟ ରୀମା ଦାସଙ୍କ ସହ ସେ ଯୋଗାଯୋଗ କରିଥିଲେ । ରୀମାଙ୍କ କହିବା ଅନୁଯାୟୀ, ପ୍ରବେଶ ଫି' ବାବଦକୁ ୫୦ ହଜାର ଟଙ୍କା ଫୋନ୍ ପେ’ରେ ୨୦୨୫ ଜୁଲାଇରେ ପୈଠ କରିଥିଲେ । ପରେ ଆଉ ୫ ହଜାର ଟଙ୍କା ଦେଇଥିଲେ । ୫୫ ହଜାର ଟଙ୍କାର ପ୍ରାପ୍ତି ସ୍ୱୀକାର ରସିଦ ତାଙ୍କୁ ପ୍ରଦାନ କରାଯାଇଥିଲା । ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ନାମ ଲେଖା ସମ୍ପୂର୍ଣ୍ଣ ହୋଇଥିବା ଏଜେଣ୍ଟ କହିଥିଲେ । ମାତ୍ର ପରୀକ୍ଷା ଦେଇଯିବା ସମୟରେ ଆଡମିସନ ହୋଇ ପାରି ନ ଥିବା ଅଭିଯୁକ୍ତ କହିଥିଲେ । ପ୍ରବେଶ ଫି’ ବାବଦ ଅର୍ଥ ଫେରାଇବାକୁ କହିବାରୁ ଭୂତାଇଥିଲେ ।
ବିଏଡ୍ ପ୍ରମାଣପତ୍ର ନାମରେ ବଡ଼ଧରଣର ଠକେଇ ହୋଇଥିବା ଜାଣିବା ପରେ ପ୍ରୀତିରାଣୀ ଝାରସୁଗୁଡ଼ା ସାଇବର ଥାନାରେ ଏତଲା ଦେଇଥିଲେ । ଏହାକୁ ଗମ୍ଭୀରତାର ସହ ନେଇଥିଲେ ଏସ୍ପି ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ । ଏସ୍ପିଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ସାଇବର ଥାନା ଇନ୍ସପେକ୍ଟର ଦେବଦତ୍ତ ବସ୍ତିଆଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଥାନାର ୩ ଜଣ, ଓରିଏଣ୍ଟ, ଲଖନପୁର, ବେଲପାହାଡ଼ ଏବଂ ବ୍ରଜରାଜନଗର ଥାନାଞ୍ଚଳର ଜଣେ ଲେଖାଏଁ ପ୍ରାର୍ଥୀ ଏଭଳି ଠକେଇର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ପରେ ଏହି ତାଲିକା ଲମ୍ବିଥିଲା । ସମ୍ବଲପୁର ଜିଲ୍ଲାର କତରବଗା, ଯୁଯୁମୁରା, କୁଚିଣ୍ଡା, ବରଗଡ଼ ଜିଲ୍ଲାର ଭେଡ଼େନ, ଝାରସୁଗୁଡ଼ାର ଲଇକେରା ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ପଶ୍ଚିମ ଓଡ଼ିଶାର ୩୦୦ରୁ ଊଦ୍ଧ୍ୱର୍ ଆଶାୟୀ ସ୍କାମ୍ରେ ଫସିଛନ୍ତି । ରାଜ୍ୟର ଆଉ କେଉଁ କେଉଁ ଜିଲ୍ଲାକୁ ଏହାର ଚେର ଲମ୍ବିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।
ଅଧିକ ପଢନ୍ତୁ- Land Registration: ଜମି କିଣାବିକା ଦଲିଲ୍ ରଦ୍ଦ ମାମଲା, ପଞ୍ଜୀକୃତ ଦଲିଲ୍ ରଦ୍ଦ କରିପାରିବେନି ସବ୍-ରେଜିଷ୍ଟ୍ରାର୍