ନୟାଗଡ, ୧୬।୪ : ନୟାଗଡ ଟାଉନ୍ ଥାନା ଅନ୍ତର୍ଗତ ଖୋର୍ଦ୍ଧ। ବଲାଙ୍ଗିର ଜାତୀୟ ରାଜପଥର ମାଙ୍କପଲ୍ଲି ନିକଟରେ ବାଇକରେ ଆସୁଥିବା ଦମ୍ପତ୍ତିଙ୍କ ଠାରୁ ଲୁଟ୍ ହୋଇଛି । ଲୁଟେରାଙ୍କ ଆକ୍ରମଣରେ ଉଭୟ ସ୍ଵାମୀ ସ୍ତ୍ରୀ ଗୁରୁତର ଆହତ ହୋଇ ନୟାଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଚଣ୍ଡିବସ୍ତ ଗାଁର ପ୍ରହଲ୍ଲାଦ ବିଶ୍ବାଳ ଗୁରୁବାର ଅପରାହ୍ନରେ ଟଙ୍କା ଡିପୋଜିଟ୍ କରିବା ପାଇଁ ବ୍ୟାଙ୍କକୁ ଆସୁଥିବାବେଳେ ମାଙ୍କପଲ୍ଲି ନିକଟ ବାଇପାସ୍ ପାଖରେ ଦୁଇଜଣ ଦୁର୍ବୃତ୍ତ ଏକ ପଲସର୍ ବାଇକରେ ଆସି ତାଙ୍କ ବାଇକକୁ ଗୋଇଠା ମାରିଥିଲେ । ଭାରସାମ୍ୟ ହରାଇ ପ୍ରହଲ୍ଲାଦ ଏବଂ ତାଙ୍କ ସ୍ତ୍ରୀ ଗାଡି ସହିତ ପଡିଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀ ଧରିଥିବା ଭ୍ୟାନିଟି ବ୍ୟାଗ୍ ଛଡାଇ ନେଇ ଦ୍ରୁତ ଗତିରେ ବାଇପାସ୍ ରାସ୍ତାରେ ପଳାଇଥିଲେ । ଉଭୟ ଦୁର୍ବୃତ୍ତ ମୁହଁରେ କନା ବାନ୍ଧିଥିବା ପ୍ରହଲ୍ଲାଦ କହିଛି । ଭ୍ୟାନିଟି ବ୍ୟାଗ୍ରେ ୮ହଜାର ଟଙ୍କା , ଦୁଇଟି ମୁଦି ଏବଂ କିଛି ରୁପା ଗହଣା ରହିଥିଲା । ଗାଡିରୁ ପଡିଯିବା ଫଳରେ ଉଭୟ ସ୍ଵାମୀ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।