ଆନ୍ଧ୍ରରେ ସରକାର ଗଠନ କରିବାକୁ ଯାଉଛି ଓ୍ବାଇଏସ୍ଆର କଂଗ୍ରେସ

ନୂଆଦିଲ୍ଲୀ,୨୨।୫: ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନରୁ ୱାଏସ୍ଆର କଂଗ୍ରେସ ପାର୍ଟି ୧୪୫ଟି ଆସନରେ ଆଗୁଆ ଚାଲୁଛି। ଶାସକ ଦଳ ଟିଡିପି ମାତ୍ର ୨୫ଟି ଆସନରେ ଆଗୁଆ ରହିଛି। ଅଭିନେତାରୁ ରାଜନେତାକୁ ଆସିଥିବା ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି (ଜେଏସ୍ପି) ୫ଟି ଆସନରେ ଆଗୁଆ ରହିଛି। ସବୁଠାରୁ ବଡ କଥା ହେଉଛି ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଏଠାରେ ଖାତା ଖୋଲିପାରିନାହାନ୍ତି।
ସେହିପରି ଆନ୍ଧପ୍ରଦେଶର ୨୫ ଲୋକସଭା ଆସନରୁ ୨୪ଟିରେ ୱାଏସ୍ଆର କଂଗ୍ରେସ ପାର୍ଟି ଆଗରେ ରହିଥିବାବେଳେ ଗୋଟିଏରେ ଟିଡିପି ଆଗରେ ଅଛି। ୱାଏସ୍ଆର କଂଗ୍ରେସର ଭୋଟ ପ୍ରତିଶତ ୫୦.୩% ଏବଂ ଟିଡିପିର ଭୋଟ ପ୍ରତିଶତ ୩୮% ରହିଛି।ୱାଇଏସ୍ଆର କଂଗ୍ରେସର ସହସ୍ରାଧିକ କର୍ମୀ ଅମରାବତିସ୍ଥିତ ଦଳୀୟ କାର୍ଯ୍ୟାଳୟ ଆଗରେ ଏକାଠି ହୋଇ ବିଜୟ ଉତ୍ସବ ପାଳନ କରିଛନ୍ତି। ୱାଇଏସ୍ଆର କଂଗ୍ରେସର ଦଳୀୟ ବୈଠକ ମେ’ ୨୫ରେ ଡକାଯିବ ବୋଲି ସୂଚନା ଦିଆଯାଇଛି। ସେଠାରେ ଜଗନ ମୋହନ ରେଡ୍ଡୀଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯିବ। ଏହାପରେ ମେ’ ୩୦ରେ ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।