ଲଣ୍ଡନ, ୧୮।୭: ବ୍ରିଟେନର ଶାସକ ଲେବର ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ । ଦଳର ବରିଷ୍ଠ ତଥା ପ୍ରଭାବଶାଳୀ ନେତା ଆଣ୍ଡି ବର୍ନହାମଙ୍କୁ ଆନୁଷ୍ଠାନିକ ଭାବେ ଦଳର ନୂଆ ମୁଖ୍ୟ ଭାବେ ନିର୍ବାଚିତ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ବର୍ନହାମ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ଏବଂ ତାଙ୍କ ପାଇଁ ୧୦ ଡାଉନିଂ ଷ୍ଟ୍ରିଟ୍‌ର ରାସ୍ତା ସଫା ହୋଇଛି । ବ୍ରିଟେନରେ କ୍ଷମତା ପରିବର୍ତ୍ତନର ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ବିଦାୟୀ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଆସନ୍ତା ସୋମବାର ଦିନ ବ୍ରିଟେନର ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କୁ ସାକ୍ଷାତ କରି ନିଜର ଆନୁଷ୍ଠାନିକ ଇସ୍ତଫାପତ୍ର ପ୍ରଦାନ କରିବେ । 

ଷ୍ଟାର୍ମରଙ୍କ ଇସ୍ତଫା ଗ୍ରହଣ କରିବା ପରେ, କିଙ୍ଗ ଚାର୍ଲସ ତୃତୀୟ ଲେବର ପାର୍ଟିର ନୂତନ ନେତା ଆଣ୍ଡି ବର୍ନହାମଙ୍କୁ ବକିଂହାମ ପ୍ରାସାଦକୁ ଆମନ୍ତ୍ରଣ କରିବେ ଏବଂ ଦେଶରେ ନୂଆ ସରକାର ଗଠନ କରିବା ପାଇଁ ଦାୟିତ୍ୱ ଅର୍ପଣ କରିବେ । ଏହି ସର୍ବୋଚ୍ଚ ପଦବୀ ପାଇଁ ବର୍ନହାମ ଦଳ ତରଫରୁ ଏକମାତ୍ର ପ୍ରାର୍ଥୀ ଥିଲେ । ହାଉସ୍ ଅଫ୍ କମନ୍ସର ମୋଟ୍ ୪୦୩ ଜଣ ଲେବର ପାର୍ଟି ସଦସ୍ୟଙ୍କ ମଧ୍ୟରୁ ତାଙ୍କ ସପକ୍ଷରେ ୩୭୯ ଜଣ ସଦସ୍ୟ ଭୋଟ ଦେଇଥିଲେ । ବିରୋଧରେ କୌଣସି ପ୍ରାର୍ଥୀ ନଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି । ଲଣ୍ଡନରେ ଆୟୋଜିତ ଏକ ସ୍ୱତନ୍ତ୍ର ପାର୍ଟି ସମ୍ମିଳନୀରେ ବ୍ରିଟେନର ଗୃହ ସଚିବ ତଥା ଲେବର ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି (NEC)ର ଅଧ୍ୟକ୍ଷ ଶବାନା ମହମୁଦ ଆନୁଷ୍ଠାନିକ ଭାବେ ବର୍ନହାମଙ୍କ ନାମ ଘୋଷଣା କରିଛନ୍ତି ।

ଏହା ବି ପଢ଼ନ୍ତୁ... Donald Trump: 'ଟ୍ରମ୍ପଙ୍କୁ ହତ୍ୟା କଲେ ୯ କୋଟି ଟଙ୍କାର ପୁରସ୍କାର ମିଳିବ' , କିଏ କଲା ବଡ଼ ଘୋଷଣା ?

ଆଣ୍ଡି ବର୍ନହାମ ବ୍ରିଟେନ ରାଜନୀତିରେ କୌଣସି ନୂଆ ଚେହେରା ନୁହନ୍ତି, ବରଂ ଜଣେ ଅତ୍ୟନ୍ତ ଅଭିଜ୍ଞ ଓ ଦୂରଦର୍ଶୀ ନେତା । ଦୀର୍ଘ ୨୦ ବର୍ଷରୁ ଅଧିକ ସମୟର ରାଜନୈତିକ କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ବ୍ରିଟେନ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିସାରିଛନ୍ତି । ବ୍ରିଟିଶ ସଂସଦରେ ଜଣେ ପ୍ରଭାବଶାଳୀ ସାଂସଦ ଭାବେ ଦଳର ସ୍ୱରକୁ ସେ ସର୍ବଦା ମଜବୁତ କରିଛନ୍ତି । ମେୟର ଭାବେ ତାଙ୍କର କାର୍ଯ୍ୟଶୈଳୀ ଓ ଜନହିତକର ନୀତି ଯୋଗୁଁ ସେ ସାରା ଦେଶରେ ବେଶ୍ ପ୍ରଶଂସିତ ହୋଇଥିଲେ । ଏହି ସମସ୍ତ ସଫଳତା ପାଇଁ ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଦୀର୍ଘ ଦିନରୁ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଥିଲା, ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି ।