ନୂଆଦିଲ୍ଲୀ, ୧୮।୭: ଭାରତୀୟ ବଜାରରେ ଏବେ ଇଭିର ଚାହିଦା ସବୁଠୁ ଅଧିକ । କମ୍ ଖର୍ଚ୍ଚରେ ଯାତ୍ରା ଏବଂ ପେଟ୍ରୋଲ୍ ଦରରୁ ମୁକ୍ତି ପାଇବା ପାଇଁ ଲୋକେ ଦ୍ରୁତ ଗତିରେ ଇଭି ଆଡ଼କୁ ଆକର୍ଷିତ ହେଉଛନ୍ତି । ହେଲେ ଏହା ସହିତ ସମୟ ସମୟରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିବା କିମ୍ବା ବ୍ୟାଟେରୀ ବିସ୍ଫୋରଣ ହେବାର ଖବର ମଧ୍ୟ ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଚାଲୁଥିବା ସମୟରେ କିମ୍ବା ଚାର୍ଜିଂ ବେଳେ ବ୍ୟାଟେରୀରେ ନିଆଁ କାହିଁକି ଲାଗିଯାଏ ? ଏହା ପଛରେ ରହିଛି ଏକ ବଡ଼ ବୈଜ୍ଞାନିକ କାରଣ ।

ଇଲେକ୍ଟ୍ରିକ୍ ସ୍କୁଟରରେ ବ୍ୟବହାର କରାଯାଉଥିବା ଲିଥିୟମ୍-ଆୟନ୍ ବ୍ୟାଟେରୀ ଅନେକ ଛୋଟ ଛୋଟ ସେଲ୍ସକୁ ନେଇ ଗଠିତ । ଯଦି କୌଣସି କାରଣରୁ ଏଥିମଧ୍ୟରୁ ଗୋଟିଏ ସେଲ୍ ଆବଶ୍ୟକତାଠାରୁ ଅଧିକ ଗରମ ହୋଇଯାଏ ଏବଂ ତାର ଗରମ ବାହାରକୁ ବାହାରି ପାରେନାହିଁ, ତେବେ 'ଥର୍ମାଲ୍ ରନ୍‌ୱେ' ଭଳି ପରିସ୍ଥିତି ସୃଷ୍ଟି ହୁଏ । ଏହି ସମୟରେ ବ୍ୟାଟେରୀ ଭିତରେ ରାସାୟନିକ ପ୍ରକ୍ରିୟା ଖୁବ୍ ଦ୍ରୁତ ଗତିରେ ବଢ଼ିବାକୁ ଲାଗେ । ଫଳରେ ତାପମାତ୍ରା କ୍ରମାଗତ ଭାବେ ବଢ଼ିଚାଲେ ଏବଂ ଗୋଟିଏ ସେଲ୍‌ର ଗରମ ଅନ୍ୟ ସେଲ୍ ପର୍ଯ୍ୟନ୍ତ ବ୍ୟାପିଯାଏ । ଯଦି ସଠିକ୍ ସମୟରେ ଏହି ପ୍ରକ୍ରିୟା ନରହେ, ତେବେ ସମ୍ପୂର୍ଣ୍ଣ ବ୍ୟାଟେରୀ ଓଭରହିଟ୍ ହୋଇ ନିଆଁ ଧରିନିଏ କିମ୍ବା ଭୟଙ୍କର ବ୍ଲାଷ୍ଟ ହୋଇଥାଏ ।

ଏହା ବି ପଢ଼ନ୍ତୁ... ​​​​​​​Skyroot-Vikram-1: ଇତିହାସ ରଚିବ ଭାରତ, ମହାକାଶକୁ ଉତ୍‌କ୍ଷେପଣ ହେବ ପ୍ରଥମ ପ୍ରାଇଭେଟ୍ ଅର୍ବିଟାଲ୍ ରକେଟ୍ 'ବିକ୍ରମ-୧'

କେଉଁ କାରଣ ପାଇଁ ବଢ଼ିଥାଏ ବିପଦ ?

ବ୍ୟାଟେରୀରେ ନିଆଁ ଲାଗିବା ପଛରେ କେବଳ ଗୋଟିଏ କାରଣ ନଥାଏ । ମୁଖ୍ୟ କାରଣଗୁଡ଼ିକ ହେଉଛି ଖରାପ କ୍ୱାଲିଟିର ବ୍ୟାଟେରୀ ବ୍ୟବହାର କରିବା, ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ୍ (BMS) ଠିକ୍ ନଥିବା, ଦୀର୍ଘ ସମୟ ଧରି କ୍ରମାଗତ ଭାବେ ଚାର୍ଜ କରିବା କିମ୍ବା ଅଣ-ଓରିଜିନାଲ୍ ଚାର୍ଜର ବ୍ୟବହାର କରିବା । ଯଦି ସ୍କୁଟରଟି କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ ଏବଂ ବ୍ୟାଟେରୀ ଭିତରେ କିଛି କ୍ଷତି ହୋଇଥାଏ, ତେବେ ପରବର୍ତ୍ତୀ ସମୟରେ ବିପଦ ଆସିପାରେ । ପ୍ରଖର ଖରାରେ ସ୍କୁଟରକୁ ଦୀର୍ଘ ସମୟ ରଖିବା କିମ୍ବା ଅଧିକ ଗରମ ଜାଗାରେ ଚାର୍ଜ କରିବା ଦ୍ୱାରା ମଧ୍ୟ ବ୍ୟାଟେରୀ ତାପମାତ୍ରା ବଢ଼ିଥାଏ ।

ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ୍ (BMS) ହେଉଛି ଇଲେକ୍ଟ୍ରିକ୍ ସ୍କୁଟରର ସୁରକ୍ଷା କବଚ । ଏହା ବ୍ୟାଟେରୀର ତାପମାତ୍ରା, ଭୋଲଟେଜ୍ ଏବଂ ଚାର୍ଜିଂ ପ୍ରକ୍ରିୟା ଉପରେ କ୍ରମାଗତ ନଜର ରଖିଥାଏ । ଆବଶ୍ୟକ ପଡ଼ିଲେ ଏହା ଓଭରଚାର୍ଜିଂକୁ ରୋକିଥାଏ ଏବଂ ସବୁ ବ୍ୟାଟେରୀ ସେଲ୍‌କୁ ସନ୍ତୁଳିତ ରଖେ । ଯଦି BMS ଠିକ୍ ଭାବେ କାମ ନକରେ, ତେବେ ସର୍ଟ ସର୍କିଟ୍ କିମ୍ବା ଥର୍ମାଲ୍ ରନ୍‌ୱେ ଭଳି ସମସ୍ୟା ଉପୁଜିଥାଏ ।

ସୁରକ୍ଷିତ ରହିବା ପାଇଁ ଏହି ସତର୍କତା ଆପଣାନ୍ତୁ:

ସର୍ବଦା କମ୍ପାନୀର ଓରିଜିନାଲ୍ ଚାର୍ଜର ବ୍ୟବହାର କରନ୍ତୁ । ଦୀର୍ଘ ସମୟ ଗାଡ଼ି ଚଲାଇବା ପରେ ତୁରନ୍ତ ଚାର୍ଜ ନକରି, ବ୍ୟାଟେରୀକୁ ୩୦ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଦିଅନ୍ତୁ । ସ୍କୁଟରକୁ ପ୍ରଖର ଖରା କିମ୍ବା ଅତ୍ୟଧିକ ଗରମ ସ୍ଥାନରେ ଚାର୍ଜ କରନ୍ତୁ ନାହିଁ । ଚାର୍ଜିଂ ସମୟରେ ଗାଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିନା ସୁପରଭିଜନରେ ଛାଡ଼ନ୍ତୁ ନାହିଁ । ଯଦି ବ୍ୟାଟେରୀ ଫୁଲିଯାଇଥିବା, ଫାଟିଯାଇଥିବା କିମ୍ବା କୌଣସି ତ୍ରୁଟି ଦେଖାଯାଏ, ତେବେ ତୁରନ୍ତ ସର୍ଭିସ୍ ସେଣ୍ଟରରେ ଦେଖାନ୍ତୁ । ବ୍ୟାଟେରୀ ଖରାପ ହେଲେ ନିଜେ କିମ୍ବା କୌଣସି ସ୍ଥାନୀୟ ମେକାନିକଙ୍କ ଦ୍ୱାରା ନୁହେଁ, ବରଂ କମ୍ପାନୀର ଅଧିକୃତ ଅଥରାଇଜ୍ଡ ଟେକ୍ନିକାଲଙ୍କ ସାହାଯ୍ୟ ନିଅନ୍ତୁ ।