ଭୁବନେଶ୍ୱର,୧୪/୦୪: ରାଜ୍ୟରେ ଆନେମିଆ (ରକ୍ତ  ହୀନତା) ସ୍ଥିତି ଉଦ୍‌ବେଗଜନକ । ଗତବର୍ଷ ଏପ୍ରିଲ ମାସରୁ  ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୭ ଲକ୍ଷ ୪୯ ହଜାର ୫୬୨  ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨  ଲକ୍ଷ ୨୨ ହଜାର ୫୮୦ ଜଣ ଆନେମିଆରେ ପୀଡ଼ିତ । ୨୩ ଲକ୍ଷ  ୮୨ ହଜାର ୮୧୩ ଜଣ ନିମ୍ନ, ୮୧ ହଜାର ୩୨୧୬ ମଧ୍ୟମ ଓ ୨୬  ହଜାର ୫୫୧ ଜଣ ଗୁରୁତର ଆନେମିଆରେ ପୀଡ଼ିତ । ସର୍ବାଧିକ ୭  ଲକ୍ଷ ୮୧ ହଜାର ୮୬୯ ଶିଶୁ (୬ରୁ ୫୯ ମାସ) ଆନେମିଆରେ  ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି । 

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ  ରିପୋର୍ଟରୁ ଏଭଳି ତଥ୍ୟ  ହସ୍ତଗତ ହୋଇଛି । ତଥ୍ୟ  କହୁଛି, ୪ଲକ୍ଷ ୫୦ହଜାର  ୩୭୯ କିଶୋର/କିଶୋରୀ(୫- ୯ବର୍ଷ), ୪ଲକ୍ଷ ୨୨ହଜାର  ୪୭୦ ସ୍କୁଲ ଛାତ୍ରଛାତ୍ରୀ (୧୦- ୧୯ବର୍ଷ), ୨ଲକ୍ଷ ୨୦ହଜାର ୮୮୨ ଝିଅ(୧୦ରୁ ୧୯ବର୍ଷ), ୩ଲକ୍ଷ ୧୧ହଜାର ୪୫୧ ଯୁବତୀ, ୫ଲକ୍ଷ ୯୫ ହଜାର ୯୫୩ ଗର୍ଭବତୀ,  ୪ ଲକ୍ଷ ୩୯ ହଜାର ୫୭୬ ପ୍ରସୂତିଙ୍କ ଶରୀରରେ ଆନେମିଆ  ରହିଛି। ରାଜ୍ୟରେ ଏହି ଆନେମିଆର ହାର ୪୭.୭ ପ୍ରତିଶତ ।  ଆନେମିଆ ଦୂର କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ ପକ୍ଷରୁ ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଳାନ) ଆରମ୍ଭ  ହୋଇଛି । 

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆନେମିଆ  ଚିହ୍ନଟ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ସମସ୍ତ ସରକାରୀ ଓ  ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଦ୍ୱାଦଶ  ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆନେମିଆ ପରୀକ୍ଷା କରାଯାଇ  ଡାକ୍ତରୀ ପରାମର୍ଶ ଦିଆଯାଉଛି ।