ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ରାଜ୍ୟ ସରକାର ନିକଟରେ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏ ନେଇ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମ୍ମୁଖ୍ୟ ପକ୍ଷରୁ ୟୁନିଟ୍-୬ରୁ ଏକ ଶୋଭାଯାତ୍ରା ବାହାରି ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିଲା । ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା, ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ସୁବାସ ସିଂହ, ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି ସଂଘ ସଭାପତି ପ୍ରଶାନ୍ତ ପାଢ଼ୀ, ସଂପାଦିକା ମଞ୍ଜୁଲତା ଦାସ, କୋଷାଧ୍ୟକ୍ଷ ସୁଶ୍ରୀ ସଂଗୀତା ମହାପାତ୍ର, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ସଂଯୁକ୍ତା ମହଲ, ସାଧାରଣ ସଂପାଦିକା ସୁଲତା ଦେଓଙ୍କ ନେତୃତ୍ୱରେ ୩୦ଟି ଜିଲ୍ଲାରୁ ଶହଶହ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ହୋଇଥିଲେ । ଜିନ୍ଦାବାଦ ଓ ହୁଳହୁଳିରେ ନବୀନ ନିବାସ ପରିସର କମ୍ପିଥିଲା । ନିକଟରେ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତା ୬ ହଜାର ଟଙ୍କାରୁ ବୃଦ୍ଧି କରି ୭୫୦୦ ଟଙ୍କା ଘୋଷଣା କରିବା ସହ ଅବସର ବୟସସୀମା ୬୦ରୁ ୬୨କୁ ବୃଦ୍ଧି କରିବା, ପଦୋନ୍ନତି ୩୦ ଭାଗରୁ ୫୦ ଭାଗକୁ ବୃଦ୍ଧି କରିବା, ଅବସର ସମୟରେ ୨୦ ହଜାର ଟଙ୍କା ପ୍ରଦାନ କରିବା, ୧୫ଦିନ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ ଆଦି ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୬ ମାସ ମଧ୍ୟରେ ରାଜ୍ୟ ସରକାର ଦୁଇଥର ଭତ୍ତା ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ ।
ତେବେ ଶିଶୁ ଖାଦ୍ୟ ପ୍ରଦାନ ଓ ଅନ୍ୟାନ୍ୟ କ୍ଷେତ୍ରରେ କେନ୍ଦ୍ରର ଅବିଚାରକୁ ସାମ୍ମୁଖ୍ୟ ତୀବ୍ର ସମାଲୋଚନା କରିଛି । ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି, ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଓଡ଼ିଶା ସରକାର ୭୫୦୦ ଟଙ୍କା ମଧ୍ୟରୁ ୪୮୦୦ ଟଙ୍କା ପ୍ରଦାନ କରୁଛନ୍ତି । କେନ୍ଦ୍ର ସରକାର ମାତ୍ର ୨୭୦୦ ଟଙ୍କା ତାଙ୍କ ଅଂଶ ବାବଦରେ ପ୍ରଦାନ କରୁଛନ୍ତି । ଯଦି କେନ୍ଦ୍ର ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରୁଥାନ୍ତେ, ତେବେ ଏହି ଭତ୍ତା ରାଶି ୧୦ ହଜାର ଟଙ୍କାରେ ପହଞ୍ଚିପାରନ୍ତା । ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ସମାନ ଦରମା ଓ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି । ରାଜ୍ୟ ସରକାର ଅବସରକାଳୀନ ଭତ୍ତା ନିଜସ୍ୱ ପାଣ୍ଠିରୁ ପ୍ରଦାନ କରୁଛନ୍ତି । ହେଲେ କେନ୍ଦ୍ର ସରକାର କିଛିି ଅଂଶ ଦେଉନାହାନ୍ତି ବୋଲି ସାମ୍ମୁଖ୍ୟ ଅଭିଯୋଗ କରିଛି । ଏହି ବିଶାଳ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନାରେ ବୈଷୟିକ ଶିକ୍ଷାମନ୍ତ୍ରୀ ଉଷା ଦେବୀ, ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଡ. ପ୍ରଦୀପ ପାଣିଗ୍ରାହୀ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ବିଜୁ ଶ୍ରମିକ ସାମ୍ମୁଖ୍ୟ ପ୍ରଭାରୀ ବିମ୍ବାଧର କୁଅଁର, ଉପସଭାପତି ଅନନ୍ତ ନାରାୟଣ ଜେନା, ସମ୍ପାଦକ ସୁରେନ୍ଦ୍ର ସ୍ୱାଇଁ, ଶିବ ମଲ୍ଲିକ, ରଶ୍ମୀବାଳା ମହାନ୍ତି, ସୌଭାଗ୍ୟ ମଞ୍ଜରୀ କରଣ, ନନ୍ଦିତା ଦତ୍ତ, ଜ୍ୟୋସ୍ନା ମିଶ୍ର, ବନଜା ଦାସ, ବିନୋଦିନୀ ଷଡ଼ଙ୍ଗୀ, ଲକ୍ଷ୍ମୀପ୍ରିୟା ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।