PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଜେଲ୍‌ ଯିବେନି ଅନିଲ, ପରିଶୋଧ କଲେ ୪୬୨ କୋଟି

source:www.jagran.com

ନୂଆଦିଲ୍ଲୀ,୧୮ା୩(ଏଜେନ୍ସି):ଜେଲ୍‌ ଯିବେନି ରିଲାଏନ୍ସ କମ୍ୟୁନିକେସନ୍ସ(ଆର୍‌କମ୍‌) ଅଧ୍ୟକ୍ଷ ଅନିଲ ଅମ୍ବାନି । ସ୍ୱିଡେନ୍‌ଭିତ୍ତିକ ଟେଲିକମ୍‌ ଉପକରଣ ନିର୍ମାତା ଏରିକ୍‌ସନ୍‌କୁ ୪୬୨ କୋଟି ଟଙ୍କା ପରିଶୋଧ କରି ଅନିଲଙ୍କ ଜେଲ୍‌ ଦଣ୍ଡକୁ ଅଟକାଇଦେଇଛି ଆର୍‌କମ୍‌ । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ମାର୍ଚ୍ଚ ୧୯ ସୁଦ୍ଧା ଆର୍‌କମ୍‌ ଏରିକ୍‌ସନ୍‌କୁ ଏହାର ବକେୟାରାଶି ଶୁଝି ନ ଥାନ୍ତା ତା’ହେଲେ ଏହାର ଅଧ୍ୟକ୍ଷ ଅନିଲ ଅମ୍ବାନି ଜେଲ୍‌ ଯାଇଥାନ୍ତେ । ବିଭିନ୍ନ ଦିଗରୁ ନିରାଶ ହେବା ପରେ ଶେଷରେ ଆର୍‌କମ୍‌ ଟଙ୍କା ପରିଶୋଧ କରି ଏରିକ୍‌ସନ୍‌ର ମୁହଁ ବନ୍ଦ କରିଦେଇଛି । ଦୁଇ କମ୍ପାନି ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ଅନ୍ତ ଘଟିଛି । ଆର୍‌କମ୍‌ର ଅର୍ଥ ପରିଶୋଧକୁ ନେଇ ଏରିକ୍‌ସନ୍‌ର ଓକିଲ ସୋମବାର ସ୍ପଷ୍ଟ କରିଛନ୍ତି ।

ଯଦି ଆର୍‌କମ୍‌ ଟଙ୍କା ପରିଶୋଧ କରି ନ ଥାନ୍ତା ତା’ହେଲେ ଅନିଲ ୩ ମାସ ପାଇଁ ଜେଲ ଯାଇଥାନ୍ତେ । ଏରିକ୍‌ସନ୍‌ ପକ୍ଷରୁ ଦାଏର୍‌ କରାଯାଇଥିବା ଅଦାଲତ ଅବମାନନା ମାମଲାରେ ଗତ ଫେବ୍ରୁଆରୀରେ ସର୍ବୋଚ୍ଚ ନ୍ୟାୟାଳୟ ଅନିଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ଅନିଲ୍‌ ଟଙ୍କା ପରିଶୋଧ କରୁ ନ ଥିବା ଦର୍ଶାଇ ଏରିକ୍‌ସନ୍‌ ତାଙ୍କ ବିରୋଧରେ ମାମଲା ଦାଏର୍‌ କରିଥିଲା । ଏହାର ଶୁଣାଣି କରି କୋର୍ଟ କହିଥିଲେ ଯେ, ୪ ସପ୍ତାହ ମଧ୍ୟରେ ଟଙ୍କା ପରିଶୋଧ ନ କଲେ ଆର୍‌କମ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନି, ରିଲାଏନ୍ସ ଇନ୍‌ଫ୍ରାଟେଲ୍‌ ଅଧ୍ୟକ୍ଷ ଛାୟା ଭିରାନି ଏବଂ ରିଲାଏନ୍ସ ଟେଲିକମ୍‌ ଅଧ୍ୟକ୍ଷ ସତୀଶ ସେଠ୍‌ ଜେଲ ଯିବେ ।

ଏରିକ୍‌ସନ୍‌ ଏବଂ ଆର୍‌କମ୍‌ ମଧ୍ୟରେ ଲଢ଼େଇ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଏରିକ୍‌ସନ୍‌ ୨୦୧୭ରେ ଆର୍‌କମ୍‌ ବିରୋଧରେ ଦେବାଳିଆ କୋର୍ଟଙ୍କ ଦ୍ୱାରସ୍ଥ ହେଲା । ଆର୍‌କମ୍‌ର ପରିଚାଳନା ଏବଂ ଦେଶବାପୀ ଏହାର ନେଟ୍‌ୱର୍କର ଦେଖାରେଖା ପାଇଁ ୨୦୧୩ରେ ଏରିକ୍‌ସନ୍‌ ଏହା ସହ ଏକ ୭ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା । ଏ ବାବଦ ଆର୍‌କମ୍‌ ଉପରେ ଏହାର ପାଖାପାଖି ୧୫୦୦ କୋଟି ଟଙ୍କା ବକେୟା ଥିଲା । ପ୍ରଥମେ ମାମଲା ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ନିକଟକୁ ଯାଇଥିଲା । ପରେ ଏହା ଜାତୀୟ କମ୍ପାନି ଆଇନ ଆପିଲେଟ୍‌ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ନିକଟକୁ ଗଲା । ଏହା ପରେ ମାମଲା ସୁପ୍ରିମ୍‌କୋର୍ଟଙ୍କ ନିକଟକୁ ଗଲା । ଏରିକ୍‌ସନ୍‌ର ବକେୟା ରାଶି ପୈଠ କରିବା ପାଇଁ ସୁପ୍ରିମ୍‌କୋର୍ଟ ଆର୍‌କମ୍‌କୁ ଦୁଇଟି ଡେଡ୍‌ଲାଇନ୍‌ ଦେଇଥିଲେ ।

କିନ୍ତୁ ଉଭୟ ଡେଡ୍‌ଲାଇନ୍‌ ମଧ୍ୟରେ ଟଙ୍କା ପରିଶୋଧ କରିବାରେ ଆର୍‌କମ୍‌ ବିଫଳ ହୋଇଥିଲା । ଏହା ପରେ ଏରିକ୍‌ସନ୍‌ ଅନିଲ ଅମ୍ବାନି ଏବଂ ଆର୍‌କମ୍‌ର ଅନ୍ୟ ଦୁଇ ସହଯୋଗୀ କମ୍ପାନିର ଅଧ୍ୟକ୍ଷମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର୍‌ କଲା । ୪୬,୦୦୦ କୋଟି ଟଙ୍କାର ଋଣ ବୋଝରେ ବୁଡିଥିବା ଆର୍‌କମ୍‌ ରିଲାଏନ୍ସ ଜିଓକୁ ଏହାର ଆସେଟ୍‌ଗୁଡିକୁ ବିକ୍ରି କରି ଟଙ୍କା ଯୋଗାଡ କରିବାର ନିକଟତର ହୋଇଥିଲା । କିନ୍ତୁ ଏଥିରେ ମଧ୍ୟ ବାଧକ ସୃଷ୍ଟି ହୋଇଥିଲା । ସେ ଯାହା ହେଉ ପରିଶେଷରେ ଆର୍‌କମ୍‌ ଟଙ୍କା ଯୋଗାଡ କରିବାରେ ସଫଳ ହୋଇଛି ଏବଂ ଜେଲ୍‌ଦଣ୍ଡରୁ ଅନିଲ୍‌ଙ୍କୁ ମୁକ୍ତ କରିଛି ।