ରାଜାରୁ ରଙ୍କ: ଅମ୍ବାନି ବ୍ରାଣ୍ଡର ଦେବାଳିଆ ଯାତ୍ରା

ଏକଦା ପ୍ରତିଷ୍ଠିତ କମ୍ପାନି ବର୍ଗରେ ସ୍ଥାନ ପାଇଆସୁଥିଲା ଏହି କମ୍ପାନି । ଟେଲିକମ୍ ଶିଳ୍ପରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲା । ରିଲାଏନ୍ସ ଇଣ୍ଡିଆ ମୋବାଇଲ୍ ‘ରିମ୍’ ହ୍ୟାଣ୍ଡ୍ସେଟ୍ ଜରିଆରେ ଏହା ପ୍ରତିଘରେ ପରିଚିତ ଥିଲା । ପ୍ରତି ଭାରତୀୟଙ୍କ ନିକଟରେ ଥିଲା ‘ରିମ୍’ । ଏବେ ଏହି କମ୍ପାନି ତା’ର ପରିଚୟ ହରାଇଛି । ବଜାରର ତୀବ୍ର ପ୍ରତିଯୋଗିତାକୁ ସହ୍ୟ କରି ନ ପାରି କମ୍ପାନି ଏହାର ଚମକ ହରାଇବସିଛି । ୪୫ ହଜାର କୋଟି ଟଙ୍କାର ଋଣ ବୋଝରେ ବୁଡି ଅଣନିଃଶ୍ୱାସୀ ହୋଇପଡିଛି ଆର୍କମ୍ । ବିଳାସ ଜୀବନରୁ ବିଷାଦ ଅଗ୍ରସର ହୋଇଛନ୍ତି ଆର୍କମ୍ ଅଧ୍ୟକ୍ଷ ଅନିଲ ଅମ୍ବାନି । ବଡ ଭାଇ ତଥା ଆର୍ଆଇଏଲ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଦେଶ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବାବେଳେ ସାନ ଭାଇ ପାଲଟିଛନ୍ତି “ରାଜାରୁ ରଙ୍କ’ । ମୁକେଶଙ୍କ ନେଟ୍ ସମ୍ପତ୍ତି ପରିମାଣ ପାଖାପାଖି ୩.୫ ଲକ୍ଷ କୋଟି ଟଙ୍କା ରହିଥିବାବେଳେ ଅନିଲଙ୍କ ସମ୍ପତ୍ତି ପରିମାଣ ମାତ୍ର ୧୫୦୨୯ କୋଟି ଟଙ୍କା ।
ଶେୟାର ମୂଲ୍ୟ ମାତ୍ର ୫ ଟଙ୍କା
ଦେବାଳିଆ ଆଇନର ଆଶ୍ରୟ ନେଇ ଋଣ ସମସ୍ୟାର ସମାଧାନ କରିବା ଲାଗି ଆର୍କମ୍ ଘୋଷଣା କରିବା ପରେ କମ୍ପାନିର ସେୟାର ମୂଲ୍ୟରେ ପାଖାପାଖି ୫୪.୩% ହ୍ରାସ ଘଟିଛି । ବର୍ତ୍ତମାନ ଆର୍କମ୍ର ଶେୟାର ମୂଲ୍ୟ ମାତ୍ର ୫ ଟଙ୍କା । କମ୍ପାନି ଉପରେ ସ୍ୱିଡେନ୍ଭିତ୍ତିକ ଟେଲିକମ୍ ଯନ୍ତ୍ରାଂଶ ନିର୍ମାତା ଏରିକ୍ସନ୍ର ଋଣ ବକେୟା ରହିଛି । ଏରିକ୍ସନ୍ ବର୍ତ୍ତମାନ କମ୍ପାନି ବିରୋଧରେ ପୁଣି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ ହେଉଛି । ନିଜର ବକେୟା ରାଶି ପାଇବା ପାଇଁ ଅନିଲ ଅମ୍ବାନିଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ଜବତ କରିବା ପାଇଁ ଏହା ଆବେଦନ କରିବ ।
ଶାନ୍ଦାର ଅତୀତ
ଆର୍କମ୍ର ଅବସ୍ଥା ଯେ ଏପରି ହେବ ତାହା ଦଶନ୍ଧି ପୂର୍ବରୁ ଦୃଶ୍ୟମାନ ହେଉ ନ ଥିଲା । କାରଣ ‘ରିଲାଏନ୍ସ’ ଏବଂ ‘ଅମ୍ବାନି’ ଏହି ଦୁଇଟି ଶବ୍ଦ ସଫଳତାର ଅନୁରୂପ ଶବ୍ଦ ଭାବେ ଗ୍ରହଣୀୟ ହେଉଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ପ୍ରତିଷ୍ଠାତା ତଥା ମୁକେଶ ଏବଂ ଅନିଲଙ୍କ ବାପା ଧୀରୁଭାଇ ଅମ୍ବାନି ଭାରତୀୟ ଅଂଶଧନ ବଜାରରେ ରାଜୁତି କରୁଥିଲେ । ୨୦୦୨ରେ ଧୀରୁଭାଇ ଅମ୍ବାନିଙ୍କ ମୃତ୍ୟୁ ବେଳକୁ ରିଲାଏନ୍ସର ପାଖାପାଖି ୨୦ ଲକ୍ଷ ଅଂଶୀଦାର ଥିଲେ । ଏକ ଭାରତୀୟ କମ୍ପାନି ଭାବେ ଏହାର ନିବେଶକ ସଂଖ୍ୟା ସବୁଠାରୁ ଅଧିକ ଥିଲା । ୧୯୭୭ରେ ଏହା ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିଲା । ଉକ୍ତ ସମୟରେ ଏହା ହଜାର ହଜାର କ୍ଷୁଦ୍ର ନିବେଶକଙ୍କୁ ଆକୃଷ୍ଟ କରିଥିଲା । ସଂଖ୍ୟାଧିକ ନିବେଶକ ଥିବାରୁ କମ୍ପାନିର ବାର୍ଷିକ ବୈଠକକୁ ଫୁଟ୍ବଲ ଷ୍ଟାଡିୟମ୍ରେ ଆୟୋଜନ କରିବାକୁ ପଡୁଥିଲା । ଧରୁଭାଇ ଅମ୍ବାନିଙ୍କ ଔରସରୁ ଜାତ ରିଲାଏନ୍ସ ବ୍ରାଣ୍ଡର ମର୍ଯ୍ୟାଦା କାହିଁରେ କ’ଣ । ଏହି ଧୀରୁଭାଇ ଅମ୍ବାନିଙ୍କ ସାନ ପୁଅ ଅନିଲଙ୍କ ବ୍ୟବସାୟର ଏକ ଅଂଶ ହେଉଛି ଆର୍କମ୍ । କମ୍ପାନିର ନାଁ ସହ ରିଲାଏନ୍ସ ଜଡିତ । କିନ୍ତୁ ଏହା ଆଉ ସଫଳ କମ୍ପାନି ହୋଇ ରହିନାହିଁ । ୨୦୦୬ରେ ବଡ ଭାଇ ମୁକେଶ ଅମ୍ବାନିଙ୍କଠାରୁ ଅଲଗା ହେବା ପରେ ଅନିଲ ନିଜ କମ୍ପାନିକୁ ଏକାକୀ ଆଗକୁ ନେବାକୁ ଚାହିଁଲେ । କିନ୍ତୁ ଏହାକୁ ସଫଳତା ଦିଗରେ ଆଗେଇ ନେଇପାରିଲେ ନାହିଁ ।
କିପରି ଘନେଇଲା ସମସ୍ୟା
ଟେଲିକମ୍ ଶିଳ୍ପରେ ଟାରିଫ ଯୁଦ୍ଧ ହିଁ ଅନିଲଙ୍କ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ପାଇଁ କାଳ ପାଲଟିଲା । ଋଣ ବୋଝ ଏବଂ ଲାଭ ସଙ୍କୁଚିତ ହେବା ଦ୍ୱାରା କମ୍ପାନିର ସମୟ ଖରାପ ଆଡକୁ ଗତି କଲା ।
୨୦୧୮ ମେ’ରେ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି) ଏରିକ୍ସନ୍ ପକ୍ଷରୁ ଫାଇଲ୍ ହୋଇଥିବା ୩ଟି ଇନ୍ସଲ୍ଭେନ୍ସି ଆବେଦନକୁ ଗ୍ରହଣ କଲା । ଆର୍କମ୍ ଉପରେ ଏରିକ୍ସନ୍ର ୧୧୦୦ କୋଟି ଟଙ୍କା ବକେୟା ଥିଲା, ଯାହାକୁ ଅସୁଲ କରିବା ପାଇଁ ଏହା ଏନ୍ସିଏଲ୍ଟିର ଦ୍ୱାରସ୍ଥ ହୋଇଥିଲା । ପ୍ରବଳ ଆର୍ଥିକ ଚାପ ମଧ୍ୟରେ ୨୦୧୭ ଶେଷଭାଗରେ ୱେର୍ଲେସ୍ କାରବାରକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିବା ଆର୍କମ୍ ମୁକେଶ ଅମ୍ବାନିଙ୍କ ଜିଓ ଇନ୍ଫୋକମ୍ ସହ ଏକ ଚୁକ୍ତି ଦର୍ଶାଇ ଦେବାଳିଆ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନକୁ ଟାଳି ଦେଇଥିଲା । ଏରିକ୍ସନ୍କୁ ୫୫୦ କୋଟି ଟଙ୍କା ପରିଶୋଧ କରିବା ପାଇଁ ଏହା ରାଜି ହେଲା । କିନ୍ତୁ ଡେଡ୍ଲାଇନ୍ ଅତିକ୍ରମ କରିଥିବା ସତ୍ତେ୍ୱ ବର୍ତ୍ତମାନ ଯାଏ ଆର୍କମ୍ ଏରିକ୍ସନ୍କୁ ଏହାର ବକେୟା ରାଶି ଶୁଝିନାହିଁ । ବିଭିନ୍ନ ପ୍ରକାର ଝଡଝଞ୍ଜା ମଧ୍ୟରେ ଟେଲିକମ୍ ବିଭାଗ(ଡଟ୍) ଜିଓ ସହ ଏହାର ଆସେଟ୍ ବିକ୍ରି ଚୁକ୍ତିକୁ ଅନୁମୋଦନ ଦେଲାନାହିଁ । ଯେହେତୁ ଚୁକ୍ତି ଆଗେଇ ପାରିଲା ନାହିଁ ତେଣୁ ଦେବାଳିଆ କୋର୍ଟକୁ ଯାଇ ମାମଲାର ସମାଧାନ କରିବା ପାଇଁ ଆର୍କମ୍ ନିଷ୍ପତ୍ତି ନେଇଛି ।