ଭୁବନେଶ୍ୱର,୦୩/୦୮: ଅନୀଲ ଧିରୁଭାଇ ଅମ୍ବାନି ଗ୍ରୁପର ୩ ହଜାର କୋଟିର ଆର୍ଥିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଓଡ଼ିଶା ଭିତ୍ତିକ ଫାର୍ମର ନିର୍ଦ୍ଦେଶକ ପାର୍ଥ ସାରଥୀ ବିଶ୍ୱାଳଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି । ଅନିଲ ଅମ୍ବାନିଙ୍କ ଗ୍ରୁପକୁ ଜାଲ୍‌ ବ୍ୟାଙ୍କ୍ ଗ୍ୟାରେଣ୍ଟି ଦେବା ର‌୍ୟାକେଟରେ ପାର୍ଥ ସାମିଲ ଥିବା ନେଇ ଅଭିଯୋଗ  ରହିଛି । ରିଲାଏନ୍ସ ଗ୍ରୁପ କମ୍ପାନିକୁ ପାର୍ଥଙ୍କ ସଂସ୍ଥା ୬୮ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବା ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 

ପାର୍ଥ ବିଶ୍ୱାଳ ଟ୍ରେଡ୍‌ଲିଙ୍କ (ବିଟିପିଏଲ୍‌) ପରିଚାଳନା ନିର୍ଦ୍ଦେଶକ ।  ବେଆଇନ ଅର୍ଥ କାରବାର ନିରୋଧି ଆଇନ (ପିଏମ୍‌ଆଇଏଲ୍‌) ଅଧୀନରେ  ଇଡି ଭୁବନେଶ୍ୱରର ୩ଟି ସ୍ଥାନ ଏବଂ କୋଲକାତାର ଏକ ସ୍ଥାନ ଉପରେ ଚଢ଼ାଉ କରିଥିଲା । ଏହି ମାମଲାରେ ପାର୍ଥ ସାରଥୀଙ୍କୁ କୋର୍ଟ ୬ ଅଗଷ୍ଟ ଯାଏ ଇଡି ହାଜତକୁ ପଠାଇଛନ୍ତି । ଅନ୍ୟପଟେ  ଅନିଲ ଅମ୍ବାନିଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ସେ ଆସନ୍ତା ୫ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବେ । ଏସ୍‌ବିଆଇର ଏକ ଜାଲ୍‌ ଡୋମେନ ବ୍ୟବହାର କରି ପାର୍ଥ ସାରଥୀ ୬୮ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି  ଇମେଲ୍‌ ଜାରି କରିଥିଲେ । ବିଟିପିଏଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟିକୁ ବ୍ୟବହାର କରି ରିଲାଏନ୍ସ ପାୱାରର ସହଯୋଗୀ କମ୍ପାନି ରିଲାଏନ୍ସ ଏନ୍‌ୟୁ ବେସ୍‌ ଲିମିଟେଡ ସୋଲାର ଏନର୍ଜି  କର୍ପୋରେସନ ଅଫ୍‌ ଇଣ୍ଡିଆ (ଏସ୍‌ଇସିଆଇ)କୁ ଭରସା ଦେଇଥିଲା । ଏହା ଜାଲ୍‌ ବୋଲି ଜଣାପଡ଼ିବା ପରେ ୨୦୨୪ ନଭେମ୍ବରରେ ଦିଲ୍ଲୀ  ଅର୍ଥନୈତିକ ଅପରାଧ ଶାଖାରେ ମାମଲା ରୁଜୁ ହୋଇଥିଲା । 

ସେହିଭଳି  ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ଦେବା ଲାଗି ବିଟିପିଏଲ୍‌ ରିଲାଏନ୍ସ ପାୱାର ଠାରୁ ୫.୪ କୋଟି ଟଙ୍କା ନେଇଥିବା ଇଡି ଜାଣିବାକୁ ପାଇଛି। ଅନିଲ ଅମ୍ବାନିଙ୍କ କର୍ପୋରେଟ ନେଟୱର୍କରେ ଠକେଇ ଅପରେସନ ସମ୍ପର୍କରେ ଜାଣିବା ଲାଗି  ବିଟିପିଏଲ୍‌ ଏକ ଜରୁରି ଲିଙ୍କ୍‌ ଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି ।  ଅନ୍ୟପଟେ ରିଲାଏନ୍ସ ଧିରୁଭାଇ ଅମ୍ବାନି ଗ୍ରୁପର ପ୍ରବକ୍ତା କହିଛନ୍ତି, କମ୍ପାନି  ଜାଲିଆତି ଏବଂ ଷଡଯନ୍ତ୍ରର ଶିକାର ହୋଇଛି । ଏ ନେଇ ଜରୁରି ସୂଚନା ଷ୍ଟକ୍ ବଜାରକୁ ପ୍ରଦାନ କରାଯାଇଛି ।