ଚେନ୍ନାଇ, ୦୭/୦୬: ଭାରତୀୟ ଜନତା ପାର୍ଟି ଛାଡ଼ିବା ପରେ କେ. ଅନ୍ନାମଲାଇ କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଜେଡ୍-ପ୍ଲସ୍ ସୁରକ୍ଷାକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । କେ. ଅନ୍ନାମଲାଇ ଜୁନ ଦୁଇ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ଏବଂ ଦଳ ଜୁନ ୬ ତାରିଖରେ ଏହାକୁ ଗ୍ରହଣ କରିଥିଲା । ଏହା ପରେ କେନ୍ଦ୍ରୀୟ ସୁରକ୍ଷା ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।
ସୁରକ୍ଷା ଦରକାର ନାହିଁ:
ବିଜେପି ଛାଡ଼ିବା ପରେ ଅନ୍ନାମଲାଇ ତାଙ୍କର ପୁରୁଣା ୱେବସାଇଟ୍ ‘We The Leaders’ ମାଧ୍ୟମରେ ଯୁବପିଢ଼ି ଓ ସାଧାରଣ ଲୋକଙ୍କୁ ଯୋଡ଼ିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ସେ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ନିଜର ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତାମିଲନାଡ଼ୁର ଅଞ୍ଚଳିକ ମିଡିଆ ରିପୋର୍ଟ ଅନୁଯାୟୀ, ଅନ୍ନାମଲାଇ ଗୃହ ମନ୍ତ୍ରାଳୟକୁ ଚିଠି ଲେଖି କହିଛନ୍ତି ଯେ ତାଙ୍କୁ ଏହି ଉଚ୍ଚସ୍ତରୀୟ ସୁରକ୍ଷାର ଆଉ ଆବଶ୍ୟକତା ନାହିଁ। ବିଜେପି ଅଧ୍ୟକ୍ଷ ହେବା ପରେ ଏହି ସୁରକ୍ଷା ବ୍ୟବସ୍ଥା ତାଙ୍କୁ ମିଳିଥିଲା । ପ୍ରଥମେ ତାଙ୍କୁ ‘ଓ୍ବାଇ’ ସୁରକ୍ଷା ମିଳିଥିଲା । କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଏହାକୁ ‘ଜେଡ୍ ପ୍ଲସ’ ଶ୍ରେଣୀକୁ ବଢ଼ାଇ ଦିଆଯାଇଥିଲା ।
ଆଇପିଏସ୍ ଅଧିକାରୀ ଥିଲେ ଅନ୍ନାମଲାଇ:
ଅନ୍ନାମଲାଇ ଚିଠିରେ ଲେଖିଛନ୍ତି, ବର୍ତ୍ତମାନ ତାଙ୍କ ସୁରକ୍ଷା ପାଇଁ ୩୬ରୁ ଅଧିକ ସିଆରପିଏଫ୍ ଯବାନ ନିୟୋଜିତ ଅଛନ୍ତି । ତାଙ୍କ ସୁରକ୍ଷା ପାଇଁ ରାଜ୍ୟ ପୁଲିସ ପର୍ଯ୍ୟାପ୍ତ। “ଶାସକ ଦଳକୁ ସୁରକ୍ଷା ମିଳେ, କିନ୍ତୁ ଲୋକଙ୍କୁ ଭଲପାଇବା ସବୁଠୁ ବଡ଼ ସୁରକ୍ଷା ।‘’ ବିଜେପି ଛାଡ଼ିବା ପରେ ସେ ନିଜ ସୋସିଆଲ ମିଡିଆ ବାୟୋ ମଧ୍ୟ ପରିବର୍ତ୍ତନ କରି “ଭଲ ରାଜନୀତିର ସନ୍ଧାନରେ ଜଣେ ସାଧାରଣ ଲୋକ” ବୋଲି ଲେଖିଛନ୍ତି।
ତାମିଲନାଡୁ ବିଜେପିର ପୂର୍ବତନ ସଭାପତି ଅନ୍ନାମଲାଇ ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ। ସେ କର୍ଣ୍ଣାଟକ କ୍ୟାଡରର ଆଇପିଏସ୍ ଥିଲେ ଏବଂ ‘ସାଉଥର ସିଂଘମ’ ଭାବେ ପରିଚିତ। ତାଙ୍କ ‘We The Leaders’ ୱେବସାଇଟ୍ ସହ ୨୪ ଘଣ୍ଟା ମଧ୍ୟରେ ୧୩ ଲକ୍ଷରୁ ଅଧିକ ଲୋକ ଯୋଡ଼ିଥିବା କୁହାଯାଉଛି। ଯୁବପିଢ଼ି ତାଙ୍କ ସହ ଯୋଡ଼ି ହେବାପରେ ସେ ନିଜ ସମର୍ଥକମାନଙ୍କ ସହ ମଧ୍ୟ ସାକ୍ଷାତ କରୁଛନ୍ତି ।
ଅଧିକ ପଢନ୍ତୁ-Delhi Fire Tragedy: LGP ସିଲିଣ୍ଡର ନୁହେଁ ଇଲେକ୍ଟ୍ରିକ୍ ଷ୍ଟୋଭରୁ ଅଗ୍ନିକାଣ୍ଡ; ସତ ଓଗାଳି ଦେଲେ ହୋଟେଲ ରୋଷେୟା