ନୂଆଦିଲ୍ଲୀ, ୦୭/୦୬: ଦିଲ୍ଲୀର ମାଲଭିୟା ନଗର ଭୟାବହ ଅଗ୍ନିକାଣ୍ଡ ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ । ହୋଟେଲର ରୋଷେୟା କେଶବ ନେଗିଙ୍କୁ ଗିରଫ କରିଛି ପୁଲିସ । ଦିଲଶାଦ ଗାର୍ଡେନ୍ ଅଞ୍ଚଳ ବାସିନ୍ଦା କେଶବ ନେଗିଙ୍କୁ ପଚରାଉଚରା ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ହୋଟେଲରେ କେମିତି ନିଆଁ ଲାଗିଲା ତାହାର ଆସଲ କାରଣ ସାମ୍ନାକୁ ଆସିଛି । ରୋଷେଇ ବେଳେ ଏଲପିଜି ସିଲିଣ୍ଡର ନୁହେଁ ବରଂ ଇଲେକ୍ଟ୍ରିକ୍ ଷ୍ଟୋଭ୍ ଫାଟିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।
ରୋଷେୟା କେଶବ ନେଗି ସ୍ୱୀକାର କରିଛି ଯେ, ଘଟଣା ଦିନ ସେ ରୋଷେଇ ଘରରେ କାମ କରୁଥିବା ବେଳେ ହଠାତ୍ ଇଲେକ୍ଟ୍ରିକ୍ ଷ୍ଟୋଭରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ତୁରନ୍ତ ନିଆଁ ବ୍ୟାପିଯାଇଥିଲା । ସେ ତୁରନ୍ତ ବିଦ୍ୟୁତ୍ ସଂଯୋଗ ବନ୍ଦ କରିଥିଲେ ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ହୋଟେଲର ଇଲେକ୍ଟ୍ରିକ୍ ୱାୟାରିଂ ଭିତରକୁ ନିଆଁ ବ୍ୟାପିଯାଇଥିଲା । ଚାହୁଁ ଚାହୁଁ ପୂରା ହୋଟେଲ୍ ନିଆଁ କବଳିତ କରିଥିଲେ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିବା ଯେ ହେଟେଲ୍ ଭିତରକୁ ଲୋକ ବାହାରି ପାରିନଥିଲେ । ନିଆଁକୁ ଆୟତ୍ତ କରିବା ଅଗ୍ନିଶହ ବାହିନୀ ପକ୍ଷେ ଅସମ୍ଭବ ହୋଇଥିଲା । ଯାହା ଫଳରେ ଅକାରଣରେ ଏତେ ଜୀବନ ଚାଲିଗଲା ।
ପୁଲିସର ପ୍ରାରମ୍ଭିକ ତଦନ୍ତରୁ ମଧ୍ୟ ଜଣାପଡ଼ିଛି ଯେ, ହୋଟେଲର ଭିତର ୱାୟାରିଂରେ ସର୍ଟ ସର୍କିଟ ଏବଂ ରୋଷେୟାଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଏତେ ଭୟଙ୍କର ରୂପ ନେଇଥିଲା। ଘଟଣାସ୍ଥଳରୁ ଏଲପିଜି ସିଲିଣ୍ଡର ବିସ୍ଫୋରଣର କୌଣସି ପ୍ରମାଣ ମିଳିନଥିବା ପୁଲିସ ସ୍ପଷ୍ଟ କରିଛି।
୨୧ ଜଣଙ୍କ ମୃତ୍ୟୁ, ୪ଜଣ ଗିରଫ:
ଏହି ଦୁଃଖଦ ଅଗ୍ନିକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ଏବଂ ୧୨ ଜଣ ବିଦେଶୀ ନାଗରିକ ତଥା ବାଂଲାଦେଶ, ଲାଇବେରିଆ, ନାଇଜେରିଆ ଓ ମୋଜାମ୍ବିକର ବାସିନ୍ଦା ରହିଛନ୍ତି । ଏହି ମାମଲାରେ ପୂର୍ବରୁ ହୋଟେଲ ମାଲିକ ଲଭକେଶ ବଜାଜ, ସ୍ୱିଟି ସରକାର ଏବଂ ପୁଷ୍ପୋ ସରକାରଙ୍କୁ ଗିରଫ କରାଯାଇଥିଲା। କେଶବ ନେଗୀଙ୍କ ଗିରଫ ପରେ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।
୧୫ଜଣ ଚାଲିଛି ଚିକିତ୍ସା:
ପୁଲିସର କହିବା ଅନୁଯାୟୀ, ହୋଟେଲରେ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ ସହ ସୁରକ୍ଷା ବ୍ୟବସ୍ଥାର ଗୁରୁତର ତ୍ରୁଟି ରହିଥିଲା। ଘଟଣା ସମୟରେ ଦମକଳ ବାହିନୀ ଓ ପୁଲିସର ତତ୍ପରତା ଦେଖାଇ ୪୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଆହାତ ମାନଙ୍କମଧ୍ୟରୁ ୧୫ଜଣ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଯେଉଁଥିରେ ୧୩ ଜଣ ବିଦେଶୀ ନାଗରିକ ରହିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଭେଣ୍ଟିଲେଟରରେ ଥିବା ରୋଗୀମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ।
ଅଧିକ ପଢନ୍ତୁ-TMC Leader: ଶାଢୀ ବିଡ଼ା ତଳେ ଲୁଚିଥିଲେ ଟିଏମ୍ସି ନେତା; ହେଲେ ବଞ୍ଚିପାରିଲେନି, ମାଡ଼ି ବସିଲା...