ନୂଆଦିଲ୍ଲୀ, ୨୨।୭: ଇରାନ ଉପରେ ଆମେରିକାର ସାମରିକ ଆକ୍ରମଣ ଆହୁରି ତୀବ୍ର ହେବାରେ ଲାଗିଛି । ଆମେରିକା ସେନା ଲଗାତାର ୧୧ଶ ରାତି ପାଇଁ ଇରାନର ଗୁରୁତ୍ୱପୂର୍ଣ୍ଣ ସୈନ୍ୟ ଠିକଣାଗୁଡ଼ିକୁ ନିଶାନା କରି ବିମାନ ଆକ୍ରମଣ ଜାରି ରଖିଛି । ଆମେରିକାର ସେଣ୍ଟ୍ରାଲ କମାଣ୍ଡ (USCENTCOM) ଅନୁଯାୟୀ, ଇରାନର ସାମରିକ କ୍ଷମତାକୁ ହ୍ରାସ କରିବା ଏବଂ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍' ଜଳପଥରେ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବା ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ । ଆମେରିକାର କ୍ରମାଗତ ଆକ୍ରମଣ ସତ୍ତ୍ୱେ ହୋର୍ମୁଜ୍ ଉପରେ ଇରାନର ନିୟନ୍ତ୍ରଣ ହ୍ରାସ ପାଇନାହିଁ । ତେବେ ଏହି ଯୁଦ୍ଧ ସ୍ଥିତି ଯୋଗୁଁ ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ଜାହାଜ ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଛି । 'ଲୋୟଡ୍ସ ଲିଷ୍ଟ ଇଣ୍ଟେଲିଜେନ୍ସ'ର ସୂଚନା ଅନୁଯାୟୀ, ରବିବାର ମାତ୍ର ତିନୋଟି ଜାହାଜ ଏହି ବାଟ ଦେଇ ଯାଇପାରିଥିଲେ ।

ଆକ୍ରମଣ ଓ ଉତ୍ତେଜନା କାରଣରୁ ବିଶ୍ୱ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ବୃଦ୍ଧି ପାଇଛି । ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୯୦ ଡଲାର ନିକଟରେ ପହଞ୍ଚିଥିବା ବେଳେ ଆମେରିକାରେ ଗ୍ୟାସୋଲିନ୍ ଦର ଗ୍ୟାଲନ୍ ପିଛା ୪ ଡଲାର ଛୁଇଁଛି, ଯାହା ସାଧାରଣ ଉପଭୋକ୍ତାଙ୍କ ଉପରେ ଚାପ ପକାଉଛି । ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଫାର୍ସ, ହୋର୍ମୋଜଗାନ୍, ଇଲାମ୍, କେରମାନ୍ ଏବଂ ସିସ୍ତାନ୍-ବେଲୁଚିସ୍ତାନ ପ୍ରଦେଶରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଆମେରିକା ସେନା ଇରାନର ମିସାଇଲ୍, ଡ୍ରୋନ୍ ଲଞ୍ଚ ସାଇଟ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କରୁଥିବାର ଭିଡିଓ ମଧ୍ୟ ଜାରି କରିଛି । ଅନ୍ୟପଟେ "ଯଦି ଇରାନ କୌଣସି ଆମେରିକୀୟ ସୈନିକଙ୍କୁ ହତ୍ୟା କରେ, ତେବେ ତାହା ପାଇଁ ଇରାନକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।" ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

ଏହା ବି ପଢ଼ନ୍ତୁ... Pakistan Economic Crisis: ଟ୍ରମ୍ପଙ୍କ ଆଗରେ ହାତ ପାତିଲା ପାକିସ୍ତାନ, ସାହାଯ୍ୟ ପାଇଁ ମାଗିଲା ୯୬ ହଜାର କୋଟି

ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକା ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଏହା ପାଇଁ ଇରାନ ପକ୍ଷରୁ 'ଗମ୍ଭୀର ଓ ଅର୍ଥପୂର୍ଣ୍ଣ' ପଦକ୍ଷେପ ନିଆଯିବା ଆବଶ୍ୟକ । ଆକ୍ରମଣ ଜାରି ରହିଥିବା ବେଳେ ଇରାନ ଗୃହମନ୍ତ୍ରୀ ମୋମେନୀ ପାକିସ୍ତାନ ଗସ୍ତ କରି ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ୍ ମୁନୀର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କୁ ଭେଟି ଆଲୋଚନା କରିଛନ୍ତି । ଆମେରିକା ବୈଦେଶିକ ମନ୍ତ୍ରଣାଳୟ ନିଜ ନାଗରିକମାନଙ୍କ ପାଇଁ ସତର୍କ ସୂଚନା ଜାରି କରି କହିଛି ଯେ, ଇରାନ ଏବଂ ତାହାର ସମର୍ଥିତ ଗୋଷ୍ଠୀ ବିଦେଶରେ ଆମେରିକାର ସ୍ୱାର୍ଥ ଓ ନାଗରିକଙ୍କୁ ଟାର୍ଗେଟ୍ କରିପାରନ୍ତି ।