ନୂଆଦିଲ୍ଲୀ, ୨୨/୦୭ : ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଏହାର ପ୍ରଭାବ ଅଶୋଧିତ ତୈଳ ଦର ଦରରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଲଗାତର ଉପରମୁହାଁ ରହିଛି କ୍ରୁଡ୍ ଦର । ଏହାକୁ ଦୃଷ୍ଟିରେ ରଖି ପ୍ରମୁଖ ନିବେଶ ବ୍ୟାଙ୍କ୍ ଗୋଲ୍ଡମ୍ୟାନ ସାକ୍ସ ଆଶଙ୍କା ପ୍ରକାଶ କରିଛି ଯେ, ଆଗକୁ ତୈଳ ଦର ରେକର୍ଡ ସ୍ତରରେ ପହଞ୍ଚିପାରେ । ହୋର୍ମୁଜ ଜଳମାର୍ଗରେ ଯୋଗାଣ ସଂକଟ ଜାରି ରହିଲେ ଏ ବର୍ଷ ଚତୁର୍ଥ ତ୍ରୟମାସରେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ଦର ୧୨୦ ଡଲାର ପାର କରିପାରେ ।
ମଙ୍ଗଳବାର ବ୍ୟାରେଲ ପିଛା ବ୍ରେଣ୍ଟ୍ କ୍ରୁଡ୍ ଦର ୯୦.୮୩ ଡଲାର ରହିଥିବାବେଳେ ଡବ୍ଲ୍ୟୁଟିଆଇ କ୍ରୁଡ୍ ଦର ୮୪ ଡଲାର ରହିଛି । ବର୍ତ୍ତମାନର ଅନିଶ୍ଚିତତାର ମାହୋଲ ମଧ୍ୟରେ ଗୋଲ୍ଡମ୍ୟାନ ସାକ୍ସ ଆକଳନ କରିଛି ଯେ, ମଧ୍ୟପ୍ରାଚ୍ୟରେ ଯଦି ଅସ୍ଥିରତା ଶେଷ ନ ହୁଏ ତେବେ ଅଶୋଧିତ ତୈଳ ଦରରେ ବୃଦ୍ଧି ଜାରି ରହିବ । ଆଉ କେତେକ ବିଶେଷଜ୍ଞ ଅନୁମାନ କରିଛନ୍ତି ଯେ, ହୋର୍ମୁଜ୍ରେ ଯୋଗାଣ ଅଧିକ ଦିନ ବନ୍ଦ ରହିଲେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ । ଏପରିକି ଏହା ୨୦୦ ଡଲାର ପର୍ଯ୍ୟନ୍ତ ବି ଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଗୋଲ୍ଡମ୍ୟାନ୍ ସାକ୍ସ ପ୍ରକାଶ କରିଛି ଯେ, ଯଦି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ ହୋଇଯାଏ ତେବେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିପାରେ । କିନ୍ତୁ ବର୍ତ୍ତମାନ ସମୟରେ ହୋର୍ମୁଜ ଷ୍ଟ୍ରେଟ୍ ଏବଂ ଅନ୍ୟ ପ୍ରମୁଖ ଜଳମାର୍ଗ ବନ୍ଦ ରହିବା କାରଣରୁ ଯୋଗାଣ ସଂକଟର ଆଶଙ୍କା ବଳବତ୍ତର ଅଛି । ଏଭଳି ସମୟରେ ରଣନୈତିକ ପଦକ୍ଷେପ ନେବା ପାଇଁ ବ୍ୟାଙ୍କଗୁଡ଼ିକ ନିବେଶକଙ୍କୁ ପରାମର୍ଶ ଦେଇଛନ୍ତି ।
ବିଶ୍ୱ ତୈଳ ବଜାରରେ କୌଣସି ପ୍ରକାର ଅସ୍ଥିରତାର ପ୍ରଭାବ ଭାରତ ଉପରେ ଅଧିକ ରହିଥାଏ । କାରଣ ଭାରତ ଏହାର ଆବଶ୍ୟକତାର ୮୫% ତେଲ ଆମଦାନି କରିଥାଏ । ଯଦି ବ୍ୟାରେଲ ପିଛା ଅଶୋଧିତ ତୈଳ ଦରରେ ୧% ବି ବଢ଼େ ଭାରତର ଆମଦାନି ବିଲ୍ ବଢ଼ିଯାଏ । ଆମଦାନି ବିଲ୍ ବଢ଼ିବା ଅର୍ଥାତ ଚଳନ୍ତି ଖାତା ନିଅଣ୍ଟ(ସିଏଡି) ବଢ଼ିବା । ଏହାଦ୍ୱାରା ମୁଦ୍ରାସ୍ଫୀତି ଚିନ୍ତା ବଢ଼ିଯାଏ । ଟଙ୍କା ଉପରେ ଚାପ ପଡ଼େ । ସେୟାର ବଜାର ବି ପ୍ରଭାବିତ ହୋଇଥାଏ । ଯଦି ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଯୋଗୁ ଲଗାତର ଅଶୋଧିତ ତୈଳ ଦର ବଢ଼ିଚାଲେ ତେବେ ଆଗାମୀ ଦିନରେ ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇପାରନ୍ତି । ଖାଉଟିମାନେ ପୂର୍ବରୁ ହିଁ ଚାପ ମଧ୍ୟଦେଇ ଗତି କରୁଛନ୍ତି । ଏଭଳି ସ୍ଥିତିରେ ତୈଳ ଦର ବୃଦ୍ଧି ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେବ । ଦରଦାମ ସ୍ଥିତି ଉତ୍କଟ ହେବା ଦ୍ୱାରା ଆମ୍ ଆଦ୍ମୀଙ୍କ ପକେଟ ଉପରେ ଚାପ ପଡ଼ିବ । ମଧ୍ୟପ୍ରାଚ୍ୟ ଭାରତ ପାଇଁ ଏକ ପ୍ରମୁଖ ବଜାର । ଭାରତର ରପ୍ତାନିରେ ଏହାର ଅଂଶ ୧୭% ରହିଛି । ଭାରତକୁ ଏହା ୫୫% ଅଶୋଧିତ ତୈଳ ଯୋଗାଇଥାଏ । ପ୍ରାୟ ୩୮% ରେମିଟାନ୍ସ ମଧ୍ୟପ୍ରାଚ୍ୟରୁ ଆସିଥାଏ । ଏଭଳି ସ୍ଥିତିରେ ସେଠାରେ କୌଣସି ପ୍ରକାର ସମସ୍ୟା ଭାରତ ବଜାରକୁ ଅସ୍ଥିର କରିଦେବ । ଜେଏମ୍ ଫାଇନାନ୍ସିଆଲ ପକ୍ଷରୁ କୁହାଯାଇଛି ଯେ, ଅଶୋଧିତ ତୈଳ ଦରରେ ପ୍ରତି ୧% ବୃଦ୍ଧି ଭାରତର ଆମଦାନି ବିଲ୍କୁ ପ୍ରାୟ ୨ ବିଲିୟନ ଡଲାର ବଢ଼ାଇଦେବ ।
ଆହୁରି ପଢନ୍ତୁ- ଯୁଦ୍ଧ ପ୍ରଭାବରେ ତେଲ ଦର ଆକାଶଛୁଆଁ; ୯୦ ଡଲାର ଡେଇଁଲା ଅଶୋଧିତ ତୈଳ, ଭାରତରେ ମହଙ୍ଗା ମାଡ଼ ଆଶଙ୍କା !
ଓଡ଼ିଶାର ପ୍ରଥମ ମହିଳା ଡନ୍ ‘ଚିତ୍ତେରା’! ନାଁ ଶୁଣିଲେ ଥରୁଥିଲେ ୫ ଖଣ୍ଡ ମୌଜା