ଭଞ୍ଜନଗର,୧୯/୫ - ଘୁମୁସର ତାଲୁକା ବାଣାୟତ ଓଡିଆ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଛି। ବେଲଗୁଣ୍ଠା ବ୍ଳକର ମଙ୍ଗଳପୁର ଠାରେ ଗୋଟିଏ ମଞ୍ଚରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ଅନେକ ହେଭିଓ୍ବେଟ୍ ନେତା, ମନ୍ତ୍ରୀ ଓ ବିଧାୟକଙ୍କୁ ଏଥିରେ ଦେଖିବାକୁ ମିଳିଛି। ଜିଲ୍ଲାର ୩ ପ୍ରମୁଖ ରାଜନୈତିକ ଦଳର ନେତା, ମନ୍ତ୍ରୀ, ବିଧାୟକ, ପୂର୍ବତନ ମନ୍ତ୍ରୀ ଏକାଠି ହେବାକୁ ନେଇ ଏବେ ଗଞ୍ଜାମ ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
ଗୋଟିଏ ମଞ୍ଚରେ ଗଞ୍ଜାମ ଜିଲ୍ଲାର ୨ ପ୍ରମୁଖ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗୋକୁଳାନନ୍ଦ ମଲ୍ଲିକ ଙ୍କ ସହ ସୋରଡା ବିଧାୟକ ନୀଳମଣି ବିଷୋୟୀ ଉପସ୍ଥିତ ରହିଥିଲେ। ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ରାଜ୍ୟ କଂଗ୍ରେସ ଉପସଭାପତି ତଥା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପ୍ରମୁଖ ସେହି ମଞ୍ଚରେ ଏକାଠି ହୋଇଥିଲେ। ଏହା ବାଣାୟତ ଓଡିଆ ସମାଜ ର ବାର୍ଷିକ ଅଧିବେଶନ ବୋଲି କୁହାଯାଉଥିଲେ ମଧ୍ୟ ଏଥିରେ ଜିଲ୍ଲାର ସମସ୍ତ ୩ ପ୍ରମୁଖ ରାଜନୈତିକ ଦଳର ବହୁ ହେଭିଓ୍ବେଟ୍ ଏକାଠି ହେବା କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏହାକୁ ନେଇ ରାଜନୀତିର ରୁଟି ସେକିବା ଆରମ୍ଭ ହୋଇଥିବା ବେଳେ ଏହାକୁ କିନ୍ତୁ ଉପସ୍ଥିତ ସମସ୍ତ ନେତା, ମନ୍ତ୍ରୀ ଖଣ୍ଡନ କରିଛନ୍ତି।