ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ହତ୍ୟାରେ ଆଉ ଏକ ସଫଳତା ମିଳିଛି। ସିବିଆଇ ଟିମ୍ ମୁଜଫରନଗରର ପୁଲିସ ସହ ମିଶି ପିଏଙ୍କ ହତ୍ୟାର ଅଭିଯୋଗକୁ ଦିଲ୍ଲୀ-ଡୁନ୍ ହାଇୱେ ସ୍ଥିତ ଛପାର ଟୋଲ୍ ପ୍ଲାଜାରୁ ସୋମବାର ଗିରଫ କରିଛି। ଗିରଫ ବେଳେ ଅଭିଯୁକ୍ତ, ନିଜର ପରିବାର ସହ ହରିଦ୍ୱାରରୁ ଫେରୁ ଥିଲା। ସିବିଆଇ ପୁଲିସ ସୁରକ୍ଷାରେ ତାଙ୍କୁ ମୁଜଫରନଗରରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇ ଥିଲା। ୟୁପି ଓ ବିହାରରୁ ଏବେସୁଦ୍ଧା ଚାରି ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି।
କୋର୍ଟରୁ ଟ୍ରାଞ୍ଜିଟ ରିମାଣ୍ଡ ମିଳିବା ପରେ ଟିମ୍ ତାଙ୍କୁ ନିଜ ସହ ନେଇ ଦିଲ୍ଲୀ ଚାଲି ଗଲେ।ପଶ୍ଚିମ ବଙ୍ଗରେ ବିଧାନସଭା ନିର୍ବାଚନ ପରେ ଛଅ ମେ’ରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା। ଉକ୍ତ ମାମଲାରେ ଅଜଣା ଲୋକଙ୍କ ବିରୋଧରେ ରିପୋର୍ଟ ରୁଜୁ କରାଯାଇ ଥିଲା। ପରେ ଏହି ମାମଲାରେ ଯାଞ୍ଚ ସିବିଆଇକୁ ଟ୍ରାନ୍ସଫର କରି ଦିଆ ଯାଇଥିଲା। ଏହି ମାମଲାରେ ସିବିଆଇ ଟିମ୍ ମୟଙ୍କ ରାଜ ମିଶ୍ରା , ଭିକ୍କି ମୌର୍ଯ୍ୟ ଓ ରାଜ ସିଂହଙ୍କୁ ପୂର୍ବରୁ ଗିରଫ କରାଯାଇ ସାରିଛି।
ସୋମବାର ସକାଳ ସମୟ ପାଖାପାଖି ସାଢେ ୪ଟାରେ , ସିବିଆଇ ଓ ମୁଜଫରନଗର ପୁଲିସ ଟିମ୍ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ରାଜକୁମାର ସିଂହଙ୍କୁ ଛପାର ଟୋଲ୍ରୁ ହେପାଜତକୁ ନେଇଥିଲା। ସେ ଜିଲ୍ଲା ବଲିଆ ସ୍ଥିତ ରାତୋପୁର ଚିଲକାହାର ନିବାସୀ। ଅଭିଯୁକ୍ତ କାରରେ ନିଜ ପରିବାରର ଦୁଇ ଜଣ ମହିଳା ଓ ଜଣେ ବୟସ୍କଙ୍କ ସହ ହରଦ୍ୱାରରୁ ଫେରୁ ଥିଲେ। ସିବିଆଇ ଟିମ୍ ଛପାର ଥାନାରେ ତାଙ୍କୁ ଘଣ୍ଟା ଘଣ୍ଟା ଜେରା କରିଥିଲେ, ଦ୍ୱିପହର ପରେ ପୁଲିସ ସୁରକ୍ଷାରେ ତାଙ୍କୁ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ କବିତା ଅଗ୍ରୱାଲଙ୍କ କୋର୍ଟରେ ହାଜର କରାଯାଇ ଥିଲା। କୋର୍ଟରୁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇବା ପରେ ସିବିଆଇ ଟିମ୍ ଅଭିଯୁକ୍ତଙ୍କୁ ନେଇ ଦିଲ୍ଲୀ ଫେରି ଥିଲେ। ସିବିଆଇ ଟିମକୁ ଡିଏସପି ରାଜେଶ କୁମାର ସିଂହ ଲିଡ୍ କରୁ ଥିଲେ। ଅଭିଯୁକ୍ତଙ୍କ ସହ ଥିବା ପରିବାର ସଦସ୍ୟଙ୍କୁ ଜେରା ପରେ ଛାଡ଼ି ଦିଆ ଯାଇଛି।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ସର୍ବ ପ୍ରଥମେ ଏକ ସପ୍ତାହ ପୂର୍ବେ ବଲିଆ ନିବାସୀ ରାଜ ସିଂହଙ୍କୁ ଅଯୋଧ୍ୟାରୁ ଗିରଫ କରାଯାଇ ଥିଲା। ପଶ୍ଚିମବଙ୍ଗ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଅଯୋଧ୍ୟା ପୁଲିସର ସହଯୋଗରେ ଅଭିଯୁକ୍ତକୁ ଧରି ନିଜ ସହ ନେଇ ଯାଇଥିଲା। ଅଭିଯୁକ୍ତ ରାଜ ସିଂହ ନିଜ ମାଆ ସହ କାରରୁ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ କରିବାକୁ ଆସି ଥିଲେ। ଦର୍ଶନ ପରେ ସରଯୁ ନଦୀ ଓ ଅନ୍ୟ ସ୍ଥାନରେ ଭ୍ରମଣ ପରେ ବଲିଆ ଫେରିବା ବେଳେ ମିଳିତ ପୁଲିସ ଟିମ୍ ତାଙ୍କୁ ଅଯୋଧ୍ୟା କୋତବାଲି ଅଞ୍ଚଳର ଗୋରଫପୁର –ଲକ୍ଷ୍ନୌ ହାଇୱେ ସ୍ଥିତ ବୁଥ୍ ନମ୍ୱର-୪ ନିକଟରୁ ଧରି ଥିଲା।
ଆହୁରି ମଧ୍ୟ ପଢନ୍ତୁ : ମହିଳାଙ୍କୁ ମାସିକ ୩୦୦୦ ଟଙ୍କା, ବସ୍ରେ ମାଗଣା ଯାତ୍ରା ଏବଂ ସପ୍ତମ ବେତନ କମିଶନ... ଶୁଭେନ୍ଦୁଙ୍କ କ୍ୟାବିନେଟ ଦେଲା ମଞ୍ଜୁରୀ