ନୂଆଦିଲ୍ଲୀ,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ନିଜର ଦ୍ବିତୀୟ କ୍ୟାବିନେଟ୍ ବୈଠକରେ ୫ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇ ଦେଇଛନ୍ତି। ଏଥିରେ ମହିଳାଙ୍କୁ ପ୍ରତି ମାସ ତିନି ହଜାର ଟଙ୍କା, ବସ୍ରେ ମାଗଣା ଯାତ୍ରା ଓ ସପ୍ତମ ବେତନ କମିଶନ୍ ଗଠନ ଆଦି ରହିଛି। କ୍ୟାବିନେଟ୍ ବୈଠକ ପରେ ପଶ୍ଚିମବଙ୍ଗର ସରକାରରେ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଅଗ୍ନିମିତ୍ର ପଲ୍ ପ୍ରେସ୍ ବ୍ରିଫିଙ୍ଗରେ ସରକାରଙ୍କ ନିଷ୍ପତ୍ତି ବିଷୟରେ କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯେଉଁଥିରେ ମହିଳାଙ୍କ ଖାତାକୁ ୧ ଜୁନ୍ରୁ ୩ ହଜାର ଟଙ୍କାର ମାସିକ ସହାୟତା ପ୍ରଦାନ କରାଯିବ। ଏହା ସହିତ ମହିଳାଙ୍କ ପାଇଁ ୧ ଜୁନ୍ରୁ ସରକାରୀ ବସରେ ମାଗଣା ଯାତ୍ରା କରିବାର ନିଷ୍ପତ୍ତି ନିଆଯାଇଛି।
ଲକ୍ଷ୍ମୀଭଣ୍ଡାର ଯୋଜନାର ଲାଭ ନେଉଥିବା ମହିଳାଙ୍କୁ ଏବେ ନିଜେ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନାର ଲାଭ ମିଳିବ। ମନ୍ତ୍ରୀ ଅଗ୍ନିମିତ୍ର କହିଛନ୍ତି, ଯେଉଁ ଲୋକଙ୍କୁ ଏପର୍ଯ୍ୟନ୍ତ ଏହି ଲାଭ ମିଳିନି, ତାଙ୍କ ପାଇଁ ଖୁବ୍ ଶୀଘ୍ର ଏକ ପୋର୍ଟାଲ ଖୋଲି ଦିଆଯିବ। ଏଠାରେ ଆବେଦନ ପକ୍ରିୟା ପୁରା କରିହେବ। ଅଗ୍ନିମିତ୍ର ପଲ୍ କହିଛନ୍ତି, ସରକାର ନିଜ କର୍ମଚାରୀ, ସମ୍ପର୍କିତ ବୈଧାନିକ ଓ ଶିକ୍ଷଣୀୟ ସଂସ୍ଥାନ ପାଇଁ ସପ୍ତମ ରାଜ୍ୟ ବେତନ କମିଶନ୍ ଗଠନକୁ ମଞ୍ଜୁରୀ ଦେଇଛି। ଏହାଦ୍ବାରା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଲାଭ ମିଳିବ। ଏହାଛଡା ଧାର୍ମିକ ବର୍ଗୀକରଣ ଆଧାରରେ ସମୁହକୁ ଦିଆଯାଉଥିବା ସରକାରୀ ସହାୟତା ବନ୍ଦ କରିବାର ନିଷ୍ପତ୍ତି ନିଆଯିବ।
ବଙ୍ଗଳାର କ୍ୟାବିନେଟ୍ ନିଜର ପ୍ରଥମ ବୈଠକରେ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ବୈଠକକୁ ଆୟୁଷ୍ମାନ ଭାରତକୁ ଲାଗୁ କରିବା ପାଇଁ ନିଆଯାଇଥିଲା। ଏହା ସହିତ ଆଇପିଏସ୍ ଓ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରଶିକ୍ଷଣରେ ଭାଗ ନେବାର ଅନୁମତି ଦେବା, ବଙ୍ଗଳାରେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିବା, ୪୫ ଦିନ ଭିତରେ ବର୍ଡର ସିକ୍ୟୁରିଟି ଫୋର୍ସ ଅର୍ଥାତ ବିଏସ୍ଏଫକୁ ଜମି ଟ୍ରାନ୍ସଫର କରିବା ଓ ବିଜେପିର ଯେଉଁ ୩୨୧ କର୍ମୀଙ୍କ ବଙ୍ଗଳାରେ ଜୀବନ ଯାଇଛି, ତାଙ୍କ ପରିବାରର ଦାୟିତ୍ବ ସରକାର ନେବାର ନିଷ୍ପତ୍ତି ନେଇଛନ୍ତି।