ଭୁବନେଶ୍ୱର, ୨୧/୦୭: ଘର ନଥିବା ଲୋକଙ୍କ ମୁଣ୍ଡ ଉପରେ ଛାତ ଦେବେ ସରକାର ।  ଏଥିପାଇଁ ଆରମ୍ଭ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା । ଗତ ମାର୍ଚ୍ଚ ୩୦ ତାରିଖରେ ୫୦ହଜାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଲା । ଖାତାକୁ ୪୦ହଜାର ଟଙ୍କା ଆସିଲା । ୱାର୍କ ଅର୍ଡର ବି ମିଳିଗଲା । ଟଙ୍କା ଦେଖି ନୂଆ ଘର ତୋଳିବା ଆଶାରେ ଲୋକେ ବର୍ଷାଦିନ ଆଗରୁ ପୁରୁଣା କଚ୍ଚା ଘର ଭାଙ୍ଗିଦେଲେ । ଭାବିଥିଲେ, ବର୍ଷା ଦିନ ଆଗରୁ ଘର ଛାତ ପଡ଼ିଯିବ,ମୁଣ୍ଡ ଉପରେ ଆଶ୍ରୟ  ଥିବ । ହେଲେ ଘର ଛାତ ପକାଇବାକୁ ସେଣ୍ଟ୍ରିଂ ବନ୍ଧା ସରିଥିଲେ ବି ଦ୍ୱିତୀୟ କିସ୍ତି ଟଙ୍କା ମିଳୁନି । ଟଙ୍କା  ପାଇଁ ଉପରକୁ ଚାହିଁ ବସିଛନ୍ତି ଲୋକେ । 

ମାର୍ଚ୍ଚ ୩୦ ତାରିଖରେ ଅନ୍ତ୍ୟୋଦୟ ଯୋଜନାର  ପ୍ରଥମ କିସ୍ତି ବାବଦରେ ୪୦ ହଜାର ଟଙ୍କା  ମିଳିଥିଲା । ୫୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ  ମୋଟ ୨୦୦ କୋଟି ଟଙ୍କା ଯାଇଥିଲା । ପ୍ରଥମ କିସ୍ତି  ୪୦ ହଜାର ପରେ ଦ୍ୱିତୀୟ କିସ୍ତିରେ ୬୫ ହଜାର  ଟଙ୍କା ମିଳିଥାଆନ୍ତା । ଛାତ ପତ୍ତନ ହେବା ବେଳେ  ବା ଛାତ ପାଇଁ ସେଣ୍ଟ୍ରିଂ ବାନ୍ଧିବା ସମୟରେ ଏହି  ଦ୍ୱିତୀୟ କିସ୍ତି ମିଳିବା କଥା । ତୃତୀୟ କିସ୍ତି ବା ଛାତ  ପଡ଼ି ସାରିବା ପରେ ଆଉ ୧୫ ହଜାର ମିଳିବ ।  କିନ୍ତୁ ଅନ୍ତ୍ୟୋଦୟ ଗୃହ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବାର ସାଢ଼େ ତିନି ମାସ ବିତିଥିଲେ ବି ଏଯାଏ ଦ୍ୱିତୀୟ କିସ୍ତି ମିଳିପାରିନି । ଏଣୁ ତିନି  ମାସ ଭିତରେ ଘର କାମ ସାରି ପୁରସ୍କାର ରାଶି  ପାଇବାକୁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ଆଶା  ମଉଳିବାକୁ ଲାଗିଛି । 

ଅସହାୟ, ବିଧବା, ପ୍ରାକୃତିକ ବିପର୍ଯ୍ୟୟ  ପ୍ରଭାବିତ, ଗୁରୁତର ରୋଗରେ ପୀଡ଼ିତ, ଦିବ୍ୟାଙ୍ଗ  ଓ ଅତି ଜରୁରୀ ଥିବା ବ୍ୟକ୍ତି, ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ବିସ୍ଥାପିତ ପରିବାର, ଆବାସ ଓ ଅନ୍ୟ  ଗୃହ ଯୋଜନାରୁ ବାଦ୍‌ ପଡ଼ିଥିବା ଲୋକ, ବନ୍ୟଜନ୍ତୁ  ଆକ୍ରମଣରେ କ୍ଷତିଗ୍ରସ୍ତ ଲୋକ, ଜଙ୍ଗଲ ଅଧିକାର  ଆଇନ ହିତାଧିକାରୀ ଓ କୌଣସି ପରିବାରର  ମୁଖିଆ ଭିନ୍ନକ୍ଷମ ହୋଇଥିଲେ ତାଙ୍କୁ ଅନ୍ତ୍ୟୋଦୟ  ଯୋଜନାରେ ଘର ଦିଆଯିବ ବୋଲି ନୂଆ ସରକାର  ଗାଇଡଲାଇନ୍‌ ଆଣିଥିଲେ । ଯୋଜନାରେ ପ୍ରତି  ହିତାଧକାରୀଙ୍କୁ ୧ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ  ସହାୟତା ଦିଆଯିବ । ଏହାବାଦ୍‌ ଘର ତିଆରି ପାଇଁ  ୯୦ ଦିନର ମନରେଗା ମଜୁରି ମିଳିବ । ୧୨୦ ଦିନ  ବା ୪ ମାସ ଭିତରେ ଘର ତିଆରି ସମ୍ପୂର୍ଣ୍ଣ ହେଲେ  ୨୦ହଜାର ଟଙ୍କାର ପୁରସ୍କାର ରାଶି ମିଳିବ । ୬  ମାସରେ ଘର ତିଆରି ସାରିଲେ ୧୦ ହଜାର ଟଙ୍କାର  ପୁରସ୍କାର ସହାୟତା ଦେବାକୁ ସରକାର ନିଷ୍ପତ୍ତି  ନେଇଥିଲେ । ହେଲେ ଦ୍ୱିତୀୟ କିସ୍ତିକୁ ଚାତକ  ଭଳି ହିତାଧିକାରୀ ଅପେକ୍ଷା କରିଛନ୍ତି । 

ଅନ୍ତ୍ୟୋଦୟ ଗୃହ ଯୋଜନାର ପୋର୍ଟାଲ  ବିକଶିତ ହୋଇନଥିବାରୁ ହିତାଧିକାରୀଙ୍କୁ ଟଙ୍କା  ପଠା ଯାଇପାରୁନଥିବା ଜଣାପଡ଼ିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଗୃହ ସହାୟତା ଯୋଜନା ‘ବିଜୁ  ବାବୁ ପକ୍କା ଘର ଯୋଜନା’ ଥିଲା । ଏହାର ସ୍ୱତନ୍ତ୍ର  ପୋର୍ଟାଲ ଥିଲା । ପୋର୍ଟାଲରେ ଘର ନିର୍ମାଣର ଫଟୋ  ଓ ଜିପିଏସ୍‌ ତଥ୍ୟ ଅପଲୋଡ୍‌ ହେବା ପରେ ଯାଇ  ବିଭିନ୍ନ କିସ୍ତିର ଟଙ୍କା ଆକାଉଣ୍ଟକୁ ଯାଏ । ପ୍ରଥମ କିସ୍ତି  ଟଙ୍କାକୁ ଅଫଲାଇନ୍‌ରେ ତାଲିକା କରି ଆକାଉଣ୍ଟକୁ  ପଠାଯାଇଥିଲା । 

କିନ୍ତୁ ପୋର୍ଟାଲ ନଥିବାରୁ କୌଣସି  ହିତାଧିକାରୀଙ୍କ ଆକାଉଣ୍ଟକୁ ଦ୍ୱିତୀୟ କିସ୍ତି  ଟଙ୍କା ଯାଇପାରୁନି । ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ(ସ୍ୱତନ୍ତ୍ର ପ୍ରକଳ୍ପ) ଏହି ସମସ୍ୟାକୁ ନେଇ  କହିଛନ୍ତି, ଆମେ ଅନ୍ତ୍ୟୋଦୟ ଗୃହ ଯୋଜନାର  ନୂଆ ପୋର୍ଟାଲ ତିଆରି ସରିଛି । ଏହା ଓକାକ୍‌  ସର୍ଭରକୁ ମାଇଗ୍ରେଟ୍‌ ହୋଇଛି । ଆଧାର ଭିତ୍ତିକ  ପେମେଣ୍ଟ ବ୍ୟବସ୍ଥା ଆରମ୍ଭ ପାଇଁ କିଛି ସମୟ  ଲାଗୁଛି । ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ଆକାଉଣ୍ଟକୁ  ଦ୍ୱିତୀୟ କିସ୍ତି ଟଙ୍କା ଛାଡ଼ିବୁ ।