ଭୁବନେଶ୍ବର, ୨୪/୧୨: ଆଇଏଏସ ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ । ୧୯୯୧ ବ୍ୟାଚର ଆଇଏଏସ ଅଫିସର ଅନୁ ଗର୍ଗ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି । ସେ ବର୍ତ୍ତମାନର ସିଏସ ମନୋଜ ଆହୁଜାଙ୍କ ସ୍ଥାନ ନେଇଛନ୍ତି । ଡିସେମ୍ବର ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ଆସନ୍ତା ନୂଆବର୍ଷରୁ ଅନୁ ଦାୟିତ୍ବ ଗ୍ରହଣ କରିବେ । ଅନୁ ଗର୍ଗ ଏବେ ରାଜ୍ୟ ଉନ୍ନୟନ କମିଶନର ଅଛନ୍ତି । ଏହାଛଡ଼ା ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି ।
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି ଅନୁ ଗର୍ଗ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ହେଉଛନ୍ତି ଅନୁ ଗର୍ଗ । ୧୯୯୩ରେ ପ୍ରଥମେ ସେ ଝାରସୁଗୁଡ଼ାର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ କଳାହାଣ୍ଡି ଜିଲ୍ଲାର ଉପ ଜିଲ୍ଲାପାଳ ଏବଂ ପରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇ ଥିଲେ । ବରଗଡ଼ ଓ ସମ୍ବଲପୁରର ଜିଲ୍ଲାପାଳ ରହିସାରିଛନ୍ତି ଅନୁ । ଏହାଛଡ଼ା ଦିଲ୍ଲୀରେ ଓଡ଼ିଶା ଡେପୁଟି ଆବାସିକ କମିଶନର ରହିଥିଲେ । ୨୦୦୦-୨୦୦୨ ଯାଏ ICDS ନିର୍ଦ୍ଦେଶକ ରହିଛନ୍ତି । ୨୦୦୨ରୁ ୨୦୦୩ ପର୍ଯ୍ୟନ୍ତ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ୨୦୦୫ରେ କେନ୍ଦ୍ର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ବ ସୂଚାରୁ ରୂପେ ତୁଲାଇଛନ୍ତି । ସେହିପରି ମହିଳା ଓ ଶିଶୁ ବିକାଶ ସଚିବ ରହିଛନ୍ତି ଅନୁ ଗର୍ଗ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ମଧ୍ୟ ରହିଛନ୍ତି । PMOର ଯୁଗ୍ମ ସଚିବ ଥିଲେ ଅନୁ ।