କୃଷ୍ଣ ପ୍ରେମରେ ବାୟାଣୀ ଅନୁପମା ଶୋର ଏହି ଅଭିନେତ୍ରୀ, ଏବେ ଅଭିନୟ ଛାଡ଼ି କରୁଛନ୍ତି ଭଜନ କୀର୍ତ୍ତନ… ଆଶ୍ରମ ତାଙ୍କର ନୂଆ ଠିକଣା

ନୂଆଦିଲ୍ଲୀ, ୩୦/୦୬ : ଅଭିନେତ୍ରୀରୁ କୃଷ୍ଣ ଯୋଗିନୀ। କୃଷ୍ଣ ପ୍ରେମରେ ପଡ଼ି ଅଭିନୟ ଜଗତକୁ କଲେ ବାଏ ବାଏ। ସମସ୍ତ ସୁଖ ସ୍ଵଚ୍ଛନ୍ଦ ଛାଡ଼ି ଏବେ ରହୁଛନ୍ତି ଆଶ୍ରମରେ। ଆଉ ଜୀବନ ଜିଇଁବାକୁ ବାଛି ନେଇଛନ୍ତି ଆଧ୍ୟାତ୍ମିକତାର ମାର୍ଗ। ଯେତିକି ଦିନ ବଞ୍ଚିବି କେବଳ କୃଷ୍ଣଙ୍କ ସେବା କରି ବଞ୍ଚିବି। ଲୀଳାମୟଙ୍କ ପ୍ରେମ ରସରେ ଏଭଳି ଲୀନ ହୋଇଯାଇଛନ୍ତି ଅନୁପମା ଟିଭି ଧାରାବାହିକର ଅଭିନେତ୍ରୀ ଅନଘା ଭୋଂସଲେ। ଅନଘା ଏବେ ସମ୍ପୂର୍ଣ୍ଣ ସନ୍ୟାସିନୀ ହୋଇଯାଇଛନ୍ତି।

କିଛି ଦିନ ପୂର୍ବରୁ ଟିଭି ଅଭିନେତ୍ରୀ ଅନଘା ଭୋଂସଲେ ଅଭିନୟ ଜଗତରୁ ବ୍ରେକ୍ ନେଇଥିଲେ। ସେ ଅଭିନୟ ଛାଡ଼ିବା ପଛରେ ଆଧ୍ୟାତ୍ମିକ କାରଣ ରହିଛି ବୋଲି କହିଥିଲେ। ଏନେଇ ସେ ତିନି ପୃଷ୍ଠା ବିଶିଷ୍ଟ ଏକ ନୋଟ୍ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ସେ ଲେଖିଥିଲେ ଯେ, ମୁଁ ଏବେ ଯେଉଁ ସ୍ଥାନରେ ଅଛି ତାହା ସମ୍ପୂର୍ଣ୍ଣ ଅଲଗା। ଏହା ମୋର ବିଚାରଧାରାକୁ ଖରାପ ଭାବରେ ପ୍ରଭାବିତ କରୁଛି। ଆପଣ ଯାହା ନୁହଁନ୍ତି ଏହା ଆପଣଙ୍କୁ ଦିନେ ସେୟା ସଜେଇ ଦେବ। ଯାହା ଉପରେ ଆପଣଙ୍କର ବିଶ୍ଵାସ ଅଛି ତାହାକୁ ଆପଣଙ୍କ ଠାରୁ ଛଡ଼ାଇ ନେବ।

ତେବେ ଅଭିନୟ ଦୁନିଆ ଛାଡ଼ିବା ପରେ ଅନଘା ସନ୍ୟାସିନୀ ହୋଇଯାଇଛନ୍ତି। ସେ ଏବେ ଆଶ୍ରମରେ ରହୁଛନ୍ତି। ସେଠାରେ ଗୋମାତାଙ୍କ ସେବା କରୁଛନ୍ତି। ସାଧାରଣ ଜୀବନଯାପନ କରୁଛନ୍ତି। ସୋସିଆଲ ମିଡିଆରେ ଥିବା ତାଙ୍କ ଫଟୋ ଗୁଡ଼ିକରେ ଅନଘାଙ୍କ ହାତରେ ଜପାମାଳ ଥିବା ଦେଖିବାକୁ ମିଳୁଛି। ସେ ଆଶ୍ରମରେ ଭଜନ କୀର୍ତ୍ତନ କରୁଛନ୍ତି। କୃଷ୍ଣଙ୍କ ପାଦ ତଳେ ତାଙ୍କ ବାକି ଜୀବନ କାଟିଦେବାକୁ ନିଷ୍ପତ୍ତି ନେଇଛନ୍ତି।