ଭୁବନେଶ୍ୱର,୧୨ ।୨(ବ୍ୟୁରୋ): ଆପୋଲୋ ହସ୍ପିଟାଲ ଅଗ୍ନିକାଣ୍ଡରେ ଅସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରୁ ଇତି ମଧ୍ୟରେ ୩ ଜଣଙ୍କ ଜୀବନ ଗଲାଣି । ଆଉ କିଛି ରୋଗୀଙ୍କ ଅବସ୍ଥା ଏବେ ବି ଗୁରୁତର । ମୃତକଙ୍କ ମଧ୍ୟରେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ରହିଛନ୍ତି । ଏତେବଡ଼ ଘଟଣା ଘଟିଥିଲେ ବି ସମସ୍ତେ କିନ୍ତୁ ବେଫିକର । ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ତ ନିଜର ଉତ୍ତର ଦାୟିତ୍ୱ ଭୁଲି ଯାଇଛନ୍ତି । ସରକାର, ପୁଲିସ୍ ସମସ୍ତେ ଅହେତୁକ ଭାବେ ନିରବି ଯାଇଛନ୍ତି । ଏ ପର୍ଯ୍ୟନ୍ତ କେହି ମୃତକଙ୍କ ପରିବାରକୁ ଆହା ପଦୁଟିଏ କହିବାକୁ ତାଙ୍କ ପରିବାର ନିକଟରେ ପହଞ୍ଚିନାହାନ୍ତି । ଓଲଟା ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କଠୁ ଯେତିକି ଟଙ୍କା ଶୋଷିଥିଲେ, ତାକୁ ଫେରାଇବାକୁ ମଧ୍ୟ ନାରାଜ । ସତେ ଯେମିତି ଆପୋଲୋକୁ ‘ତିନି’ ଖୁଣ ମାଫ୍ ।
ଫେବ୍ରୁଆରୀ ୧ ତାରିଖ (ଶନିବାର) ସକାଳେ ହସ୍ପିଟାଲରେ ଅଚାନକ ଲାଗିଥିଲା ନିଆଁ । ହସ୍ପିଟାଲ୍ର ପଞ୍ଚମ ମହଲା ହୁତୁ ହୁତୁ ହୋଇ ଜଳିଥିଲା । ହସ୍ପିଟାଲ ପଞ୍ଚମ ମହଲାରେ ହିଁ ଆଇସିୟୁ ରହିଥିଲା । ଯେଉଁଠି ସବୁଠୁ ବେଶି ଗୁରୁତର ରୋଗୀ ଚିକିତ୍ସିତ ହେଉଥିଲେ । ଆଇସିୟୁର ଅଧିକାଂଶ ରୋଗୀ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଥିଲେ । ଅକ୍ସିଜେନ୍ ବି ଲାଗିଥିଲା । ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହଲିବା ବାରଣ କରାଯାଇଥିଲା । ହେଲେ ନିଆଁ ଲାଗିବା ପରେ ଧାଁ ଧପଡ଼ କରି ଟଣା ଓଟରା କରି ରୋଗୀଙ୍କୁ ୫ ମହଲାରୁ ତଳକୁ ବାହାର କରାଗଲା । ଭେଣ୍ଟିଲେଟର, ଅକ୍ସିଜେନ୍ କାଢ଼ିନିଆଗଲା । ଘଣ୍ଟା ଘଣ୍ଟା କାଳ ବିନା ଭେଣ୍ଟିଲେଟର ଓ ଅକ୍ସିଜେନ୍ରେ ରହିଲେ ରୋଗୀ । ସମସ୍ତ ନିଆଁ ଲିଭାରେ ଲାଗିଥିବା ବେଳେ ଏ ପଟେ ରୋଗୀ ଦୀର୍ଘ ସମୟ ଧରି ହସ୍ପିଟାଲ ଅଗଣାରେ ଛଟପଟ ହେଲେ । ବହୁ ବିଳମ୍ବରେ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା । ଏଥିଯୋଗୁ ରୋଗୀଙ୍କ ଅବସ୍ଥା ଅଧିକ ସଂଗୀନ ହୋଇପଡ଼ିଲା ।
ମୃତ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହରିହରଣ କରଣଙ୍କ ପୁଅ ଏ ନେଇ ସିଧାସଳଖ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି । ସେ କହିଛନ୍ତି, ଚିକିତ୍ସାରେ ଅବହେଳା ପାଇଁ ହିଁ ତାଙ୍କ ବାପାଙ୍କ ମୃତ୍ୟୁ ହେଲା । ଆଉ ଏଥିପାଇଁ ଆପୋଲୋ ହସ୍ପିଟାଲ ହିଁ ଦାୟୀ । ନିଆଁ ଲାଗିବା ଦିନ ହସ୍ପିଟାଲ୍ର ଆଇସିୟୁରେ ଚିକିତ୍ସିତ ହେଉଥିବା ୨୬ ଆଇସିୟୁ ରୋଗୀଙ୍କୁ ଅନ୍ୟ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏହି ୨୬ ଜଣଙ୍କ ମଧ୍ୟରେ ତାଙ୍କ ବାପା ମଧ୍ୟ ଥିଲେ । ତେବେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ପ୍ରାୟ ୫ ଘଣ୍ଟା ଧରି ତାଙ୍କୁ ବିନା ଭେଣ୍ଟିଲେଟର ରଖାଗଲା । ଯେଉଁଥିପାଇଁ ତାଙ୍କ ସ୍ୱସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇଗଲା । ତେଣୁ ଏହାର ତଦନ୍ତ ହେବା ଦରକାର ।
ଆଉ ଜଣେ ମୃତକ ପୁଲିସ ଡିଏସ୍ପି ଶଙ୍କର୍ଷଣ ଦୋରାଙ୍କ ସମ୍ପର୍କୀୟ ଭାଇ ପି. ନାଗେଶ୍ୱର ରାଓ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଠିକଣା ସମୟରେ ତାଙ୍କ ଭାଇଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ନ କରିବାରୁ ତାଙ୍କ ଭାଇଙ୍କ ମୃତ୍ୟୁ ହେଲା । ଜାନୁଆରୀ ୩୦ ତାରିଖରେ ଶଙ୍କର୍ଷଣଙ୍କ ହାର୍ଟ ବ୍ଲକ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅସ୍ତ୍ରୋପଚାର ହେବ ଆଉ ଏଥିପାଇଁ ୬ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଦାବି ମୁତାବକ ପରିବାର ଲୋକ ଟଙ୍କା ମଧ୍ୟ ଡିପୋଜିଟ୍ କରିଥିଲେ । ହେଲେ ନିଆଁ ଲାଗିଯିବାରୁ ଅସ୍ତ୍ରୋପଚାର ହୋଇପାରିଲାନି । ଯେତେବେଳେ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ଆପୋଲୋ କର୍ତ୍ତୃପକ୍ଷ ସେମାନଙ୍କ ଆଇସିୟୁରେ ରହିବା ଚିିକିତ୍ସା ବାବଦକୁ ସାଢେ ୪ ଲକ୍ଷ ଟଙ୍କା କାଟି ଦେଇଥିଲେ । ଗୋଟିଏ ଦିନ ପୂର୍ବରୁ ରୋଗୀର ଅବସ୍ଥା ଭଲ ଥିବା ବେଳେ ଭେଣ୍ଟିଲେଟରରୁ ବାହାର କରିବା ଯୋଗୁ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ ସମ୍ ହସ୍ପିଟାଲରେ ନିଆଁ ଲାଗିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ରୋଗୀଙ୍କୁ କ୍ଷତିପୂରଣ ଦେବା ସହ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ଉଠାଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଆଗକୁ ଆସି କ୍ଷତିପୂରଣ ଦେଇଥିଲେ । ହେଲେ ଏଠି ଆପୋଲୋ କର୍ତ୍ତୃପକ୍ଷ କ୍ଷତିପୂରଣ ଦେବା ତ ଦୂରର କଥା ଓଲଟା ରୋଗୀ ଚିକିତ୍ସିତ ହେଉଥିବା ବେଳେ ଯେଉଁ ଖର୍ଚ୍ଚ ହୋଇଥିଲା ସେ ଖର୍ଚ୍ଚ ବି ଆଦାୟ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସରକାର ଓ ପୁଲିସ ମଧ୍ୟ ଏତେବଡ଼ ଘଟଣାରେ ଅସ୍ୱାଭାବିକ ଭାବେ ନିରବି ଗଲେ । ତେବେ ଅଗ୍ନିଶମ ଅଧିକାରୀ କହିଛନ୍ତି, ଫାୟର ସେଫ୍ଟି ଲାଇସେନ୍ସ ଥିଲେ ଯଦି ନିଆଁ ଲାଗିବ ତେବେ ତାହା ଦୁର୍ଘଟଣା ବୋଲି ଗଣାଯିବ ।
ସବୁଠୁ ବଡ଼ କଥା ହେଉଛି ଏତେ ବଡ଼ ଘଟଣାରେ ଥାନାରେ ଏତଲା ଟିଏ ମଧ୍ୟ ଦାୟର ହୋଇନାହିଁ । ପୁଲିସ୍ ମଧ୍ୟ ନିଜ ତରଫରୁ କୌଣସି ଅଭିଯୋଗ କରିନି । ଏନେଇ ଅଗ୍ନିଶମ ଅଧିକାରୀ ସରୋଜ ବେହେରା କରିଛନ୍ତି, ଆପୋଲୋର ଫାୟର ସେଫ୍ଟି ଲାଇସେନ୍ସ ଥିଲା । ଏଠି ପ୍ରଶ୍ନ ଉଠୁଛି ଯଦି ଲାଇସେନ୍ସ ଥିଲା ତା’ ହେଲେ ତଦନ୍ତ ପାଇଁ ଡିଜି କ’ଣ ପାଇଁ ନିର୍ଦ୍ଦେଶ ଦେଲେ? ବାସ୍ତବ କଥା ହେଲା ପଞ୍ଚମ ମହଲାରେ ନିଆଁ ଲାଗିଲା । ହେଲେ ଧୂଆଁ ବାହରକୁ ଯାଇ ପାରିଲା ନାହିଁ । ତଳ ମହଲାରେ ଥିବା ରୋଗୀ ବି ଧୂଆଁରେ ନୟାନ୍ତ ହେଲେ । ଯେଉଁଠି ଧୂଆଁ ବାହାରକୁ ଯିବାକୁ ବାଟ ନାହିଁ, ସେ ହସ୍ପିଟାଲ୍କୁ ଫାୟାର ସେଫ୍ଟି ଲାଇସେନ୍ସ ମିଳିଲା କେମିତି? ଏ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ନିର୍ବାଚନ ଫଳାଫଳ ପୂର୍ବରୁ ସିଏମ୍ ଶିବରାଜ ଡାକିଲେ କ୍ୟ...