ଆରମ୍ଭ ହେଲା ‘ଆପୋଷ’ ଯୋଜନା, ବସ୍ତିବାସିନ୍ଦାଙ୍କ ନିକଟତର ହେବ ପୁଲିସ

ଭୁବନେଶ୍ୱର,୧୧ ।୨(ବ୍ୟୁରୋ): ଟୁଇନ୍ସିଟିର ବସ୍ତିଗୁଡି଼କରେ ଅପରାଧର ମାତ୍ରା ବଢ଼ିଚାଲିଛି । ବସ୍ତିବାସିନ୍ଦାଙ୍କ ଭିଡ଼ରେ ଅପରାଧୀମାନେ ଲୁଚିରହି ଅପରାଧ ଘଟାଉଛନ୍ତି । ଏପରିକି ସେଠାକାର ଅସହାୟ ବ୍ୟକ୍ତି ଓ ଯୁବପିଢ଼ିଙ୍କୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ କରାଉଛନ୍ତି । ସେମାନଙ୍କୁ ଧରି ଏପ୍ରକାର ଅପରାଧର ମାତ୍ରା କମାଇବାକୁ କମିଶନରେଟ ପୁଲିସ ଏକ ନୂଆ ଉପାୟ ଆପଣାଇଛି । ଆଜିଠୁ ‘ଆପୋଷ’(ଅଲ୍-ରାଉଣ୍ଡ ପ୍ରମୋଶନ ଅଫ୍ ସ୍ପୋର୍ଟ୍ସ ଇନ୍ ସ୍ଲମ୍ ୟଙ୍ଗ ଆଣ୍ଡ ଜୁଭେନାଇଲ ଏଗେନଷ୍ଟ ନାରକୋଟିକ୍ସ ଆବ୍ୟୁଜ୍) ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଜରିଆରେ ବସ୍ତିବାସିନ୍ଦାଙ୍କ ସହ ଆପୋଷ ସମ୍ପର୍କ ରଖି ଅପରାଧିକ କାର୍ଯ୍ୟକଳାପ ରୋକାଯାଇ ପାରିବ ବୋଲି ପୁଲିସ ଆଶା ରଖିଛି ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ ବିଭାଗ) ଅସୀତ୍ ତ୍ରିପାଠୀ ଆଜି ଅପରାହ୍ନରେ କମିଶନରେଟ୍ ବିଲ୍ଡିଂରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକ ଡା ରାଜେନ୍ଦ୍ର ପ୍ରସାଦ ଶର୍ମା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ଅପରାଧ ଓ ନିଶା କାରବାର ପ୍ରାୟ ୬୦ଭାଗ ବସ୍ତିରେ ଘଟୁଛି । ଏଠାରେ ପୁଲିସ ପାଟ୍ରୋଲିଂ କରିବା ସମ୍ଭବପର ନୁହେଁ । ତେଣୁ ଅପରାଧୀମାନେ ପୁଲିସକୁ ଚକମା ଦେଇ ବସ୍ତିରେ ଆତ୍ମଗୋପନ କରୁଛନ୍ତି । ଏହି ଯୋଜନା ଜରିଆରେ ବସ୍ତିବାସିନ୍ଦାଙ୍କ ନିକଟତର ହୋଇ ଅପରାଧୀଙ୍କୁ ଠାବ କରିବା ସହ ଅପରାଧିକ କାର୍ଯ୍ୟକଳାପ ରୋକାଯାଇ ପାରିବ । ଉତ୍ସବରେ ଯୋଜନାର ଲୋଗୋକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ୫ଟି ଓ କଟକର ଗୋଟିଏ ବସ୍ତିରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ବସ୍ତି ପିଲାଙ୍କ ପାଇଁ ଆବଶ୍ୟକୀୟ କ୍ରୀଡ଼ା ଉପକରଣ ଯୋଗାଇ ଦିଆଯାଇଛି । ଖୁବଶୀଘ୍ର ବସ୍ତିରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ ।
ସହରର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ବସ୍ତିବାସିନ୍ଦା । ପ୍ରାୟ ୪ ଶହରୁ ଅଧିକ ଛୋଟବଡ଼ ବସ୍ତିରେ ବର୍ତ୍ତମାନର ମୁଖ୍ୟ ସମସ୍ୟା ହେଉଛି ଦୁର୍ବଳ ସାମାଜିକ ନିୟନ୍ତ୍ରଣ ପ୍ରକ୍ରିୟା । ଯାହାର ଫାଇଦା ନେଇ ଅପରାଧୀମାନେ ବସ୍ତିରେ ଆଡ୍ଡା ଜମାଉଛନ୍ତି । ନିଶା କାରବାରର ମୁଖ୍ୟ ପେଣ୍ଠସ୍ଥଳୀ ପାଲଟୁଛି ବସ୍ତି । ଏହି ଯୋଜନା ମାଧ୍ୟମରେ ବସ୍ତିବାସିନ୍ଦାଙ୍କ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ଆସିବ । ବସ୍ତିରେ ଟୁର୍ଣ୍ଣାମେଣ୍ଟ ବେଳେ ସେମାନଙ୍କୁ ନିଜ ସାମାଜିକ ଦାୟିତ୍ୱବୋଧ ବୁଝାଇବା ସହ ଅପରାଧିକ କାର୍ଯ୍ୟକଳାପ ଓ ନିଶାସେବନରୁ ଦୂରେଇ ରହିବା ନେଇ ସଚେତନତା ବାର୍ତ୍ତା ବଣ୍ଟାଯିବ । ଅପରାଧ ନିୟନ୍ତ୍ରଣରେ ଆଗକୁ ସେମାନେ ପୁଲିସକୁ ସହଯୋଗର ହାତ ବଢ଼ାଇବେ ବୋଲି ପୁଲିସ ଆଶା ରଖିଛି ।
ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି, ଯୋଜନାର ମୂଳ ଲକ୍ଷ୍ୟ ହେଲା ବସ୍ତିବାସିନ୍ଦାଙ୍କ ସହ ସମ୍ପର୍କ ଯୋଡି଼ବା । ପୁଲିସ ପ୍ରତି ଥିବା ଭୟକୁ କମାଇବା । ବରିଷ୍ଠ ନାଗରିକଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କୁ ଏହି ଯୋଜନା ତଦାରଖର ଦାୟିତ୍ୱ ଦିଆଯିବ । ଏହି ଯୋଜନାକୁ ସଫଳ କରିବା ଲାଗି ବିଏମସି, କ୍ରୀଡ଼ା, ଯୁବ ବ୍ୟାପାର ଓ ନଗର ଉନ୍ନୟନ ବିଭାଗକୁ ସାମିଲ କରାଯାଇଛି । ଉତ୍ସବରେ ଡିସିପି(ଭୁବନେଶ୍ୱର) ଅନୁପ ସାହୁ, ଡିସିପି (କଟକ)ଅଖିଳେଶ ସିଂଙ୍କ ସମେତ ବହୁବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।