ଶାସନରେ ଗଣତନ୍ତ୍ରକୁ ପୁନଃପ୍ରତିଷ୍ଠା କରିବା ସହ କାୟାପରିବର୍ତ୍ତନ ଚାଲିଛି । ସରକାର ଏବେ ଲୋକକୈନ୍ଦ୍ରିକ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଓଡ଼ିଆ ଭାଷାରେ କଥା କହୁଛନ୍ତି, ଲୋକଙ୍କୁ ଭେଟୁଛନ୍ତି ଓ ଅଭିଯୋଗ ଶୁଣୁଛନ୍ତି । ଦୁର୍ନୀତିରେ ଜଡ଼ିତ ସର୍ବୋଚ୍ଚ ଅଧିକାରୀଙ୍କ ପ୍ରତି ଶୂନ୍ୟ- ସହନଶୀଳତା ପ୍ରଦର୍ଶନ କରୁଛନ୍ତି ।
ନିରବଚ୍ଛିନ୍ନ ଭାବେ ୨୪ବର୍ଷ କାଳଧରି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଓଡ଼ିଶା ଶାସନ ଚାଲିବା ପରେ ଏକ ଐତିହାସିକ ପରିବର୍ତ୍ତନ ଘଟିଲା ଗତ ସାଧାରଣ ନିର୍ବାଚନରେ । ଭାରତୀୟ ଜନତା ପାର୍ଟି ବା ଭାଜପା ବିକଳ୍ପ ଭାବେ ଉଭା ହେଲା । ମତଦାତାଙ୍କ ବିଶ୍ୱାସ ଜିଣି "ଲୋକଙ୍କ ସରକାର' ଗଢ଼ିପାରିଲା । ଇତିମଧ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ସରକାର ଗୋଟିଏ ବର୍ଷ ପୂରଣ କରିସାରିଛି । ଅନେକ ଆଶା ଓ ବିଶ୍ୱାସ ରଖି ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ନିଜର ମନମୁତାବକ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିଛନ୍ତି ଲୋକମାନେ । ମାତ୍ର ଗୋଟିଏ ବର୍ଷରେ ଆଶାନୁରୂପ ଫଳ ପ୍ରାପ୍ତି ଅନୁଭବ ହାସଲ ହେବା ବା ନହେବାର ନିକିତିରେ ମୋହନ ସରକାରଙ୍କୁ ତଉଲିବା ଆଜି ଦିନରେ ନ୍ୟାୟସଙ୍ଗତ ନୁହେଁ । ବରଂ ସରକାରଙ୍କୁ ପ୍ରଥମ ଜନ୍ମୋତ୍ସବ ପାଳନ କାଳରେ ଶୁଭେଚ୍ଛା ଜଣାଇ ସେମାନେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ତତ୍ପରତା, ସରକାରଙ୍କ ନୀତି ଓ ନୈତିକତାର ନିରାସକ୍ତ ମୂଲ୍ୟାୟନ ତଥା ଗଠନମୂଳକ ଆଲୋଚନା କରାଯିବା ଅଧିକ ପ୍ରାସଙ୍ଗିକ । ଏହା ଆମ ଅସ୍ମିତାର ନିଦର୍ଶନ । ନୂଆ ସରକାର କେତେ ଲୋକାଭିମୁଖୀ, ପୂର୍ବ ସରକାର ଅପେକ୍ଷା କାହିଁକି ଓ କେତେ ଭଲ, ତାହା ଲୋକମାନେ ପରଖୁଛନ୍ତି । ଶାସକ ଓ ପ୍ରଶାସକଙ୍କ ଆଚରଣ, ଉଚ୍ଚାରଣ, ନିଷ୍ଠା, ପ୍ରତିବଦ୍ଧତା ଓ ଜୀବନଶୈଳୀ ସବୁକିଛି ତଉଲୁଛନ୍ତି ।
ନିର୍ବାଚିତ ଶାସନତନ୍ତ୍ର ପ୍ରଶାସନରେ ବିବର୍ତ୍ତନ ଆଣିବାରେ କେତେଦୂର ସଫଳ ହୋଇପାରିଛି ଏବଂ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ନୂଆ ସରକାରଙ୍କ ଅନ୍ତର୍ନିହିତ ବିଶ୍ୱାସ, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ତଥା ପ୍ରତିବଦ୍ଧତା ଅନୁଶୀଳନ କରିବା ବେଳେ, ମୋତେ ଆଶାର କିରଣ ଦେଖିବାକୁ ମିଳୁଛି । ବିଗତ ୭୨ବର୍ଷ ମଧ୍ୟରେ ଓଡ଼ିଶା ବିଧାନସଭା ପାଇଁ ୧୭ଥର ନିର୍ବାଚନ ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ଡକ୍ଟର ହରେକୃଷ୍ଣ ମହାତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ବିରେନ୍ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକ ଶାସନଭାର ଗ୍ରହଣ କରିଛନ୍ତି । ଦୁଇଥରରେ ସମୁଦାୟ ଛଅ ମାସ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ହେମାନନ୍ଦ ବିଶ୍ୱାଳ । ଗିରିଧାରୀ ଗମାଙ୍ଗୋ ମଧ୍ୟ ମାତ୍ର ନଅ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏ ଦୁହେଁ ମୋହନ ମାଝୀଙ୍କ ଭଳି ଆଦିବାସୀ ସମ୍ପ୍ରଦାୟରୁ ଆସିଥିଲେ ବି ନିର୍ବାଚନ ପରେ ପରେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇନଥିଲେ । ରାଜ୍ୟରେ ପ୍ରଥମଥର ପାଇଁ ଏହି ଧାରା ଭାଙ୍ଗିଛି ।
ମୋହନ ମାଝୀଙ୍କ ନେତୃତ୍ୱରେ "ଲୋକଙ୍କ ସରକାର' ଗତବର୍ଷ ଜୁନ୍ ମାସ ୧୨ ତାରିଖଠାରୁ ଗଠନ ହୋଇ ଇତିମଧ୍ୟରେ ଏକବର୍ଷ ପୂରଣ କରିସାରିଛି । ଯଦି ସମୁଦାୟ କାର୍ଯ୍ୟକାଳର ଅବଧିକୁ ହିସାବକୁ ନେବା, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକ ସମୁଦାୟ ୪୫ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ଆସିଆସିଥିଲା ବେଳେ, ସେମାନଙ୍କ ଦଳ ଜଣେ ବି ପଛୁଆ ଶ୍ରେଣୀ, ଅନୁସୂଚିତ ଜାତି ଓ ଜନଜାତିର ରାଜନେତାଙ୍କୁ ମୋହନ ମାଝୀଙ୍କ ଭଳି ରାଜ୍ୟବାସୀଙ୍କ ସେବା କରିବାର ସୁଯୋଗ ଦେଇନାହାନ୍ତି । ବର୍ଷକ ଭିତରେ "ଲୋକଙ୍କ ସରକାର' ଯାହା କିଛି କରିଛନ୍ତି, ତାହାର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ଉପସ୍ଥାପିତ କରିଛନ୍ତି । ଏହାକୁ ଶାସନରେ ଗଣତାନ୍ତ୍ରିକ ମାନଦଣ୍ଡ ପୁନଃସ୍ଥାପନ କରିବାପାଇଁ ପ୍ରୟାସ ବୋଲି କୁହାଯିବ । ଏହା ମଧ୍ୟ ସ୍ୱଚ୍ଛତା ଏବଂ ନ୍ୟସ୍ତ ଦାୟିତ୍ୱ ପ୍ରତି ପ୍ରତିବଦ୍ଧତାର ପ୍ରମାଣ । କ୍ୟାବିନେଟ ବୈଠକ ନିୟମ ଅନୁସାରେ ଅନୁଷ୍ଠିତ ହେଉଛି, ପ୍ରଶାସକମାନେ ଶାସକଙ୍କ ଠାରୁ ବଡ଼ ବୋଲି ଦେଖେଇ ହେବାର ଧାରା ଭାଙ୍ଗିଛି । ଗଣତନ୍ତ୍ର ସଶକ୍ତ ହୋଇଛି, ରାଜ୍ୟ ଶାସନରେ "ଲୋକଙ୍କ ସରକାର' ଫେରିଆସିଛି ।
୨୦୩୬ ଅପ୍ରେଲ ପହିଲାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବା ପୂର୍ବରୁ ଲକ୍ଷ୍ୟ ହାସଲ ପାଇଁ ନୀଳନକ୍ସା ଅଙ୍କନ କରାଯାଇ ସାରିଛି । ଏକବର୍ଷ ପୂର୍ତ୍ତି ଅବସରରେ ଯେଉଁସବୁ ଜନହିତକର କାର୍ଯ୍ୟ ସମ୍ପାଦିତ ହୋଇଛି, ତାହାର ମୂଲ୍ୟାୟନ ହେବା ଉଚିତ । ସଂକଳ୍ପ ପତ୍ରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେଗୁଡ଼ିକୁ ପାଳନ କରିବାକୁ ସରକାର ଉତ୍ତରଦାୟୀ । ସେଥିପାଇଁ କରିଥିବା କାମର ହିସାବ ଦେବା ସରକାରଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ । ଯେତେବେଳେ ସରକାର ନିଜର ଉପଲବ୍ଧିର ତାଲିକା ପ୍ରଦାନ କରୁଛନ୍ତି ତାହାକୁ ସ୍ୱାଗତ କରାଯିବା ଦରକାର ଏଇଥିପାଇଁ ଯେ, ଏହା ଏକ ନୂଆ ଧାରା ସୃଷ୍ଟି କରିଛି ଏବଂ ଲୋକଙ୍କ ଜାଣିବାର ଅଧିକାରକୁ ପୁଷ୍ଟ କରୁଛି । ଗରିବ ଆଦିବାସୀ ପରିବାରରୁ ଆସିଥିବା ଜଣେ ସାଧାରଣ ସରଳ ମଣିଷ ହାତରେ ଲୋକଙ୍କ ସେବା କରିବା ପାଇଁ ମିଳିଥିବା ସୁଯୋଗ ଓ ତାହାର ସଦୁପଯୋଗର ସକାରାତ୍ମକ ଆଲୋଚନା ଓ ପ୍ରଶଂସା କରାଯିବା ଆବଶ୍ୟକ । ଓଡ଼ିଶାରେ ଲୋକଙ୍କ ଶାସନ ଅୟମାରମ୍ଭର ପ୍ରଥମ ବର୍ଷ ପୂର୍ତ୍ତି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମଧ୍ୟ ଶାସନର ୧୧ବର୍ଷ ପୂର୍ତ୍ତି ହୋଇଛି । ମୋଦିଜୀଙ୍କ ଶାସନରେ ପୂର୍ବ-ଭାରତକୁ ପ୍ରାଥମିକତା ମିଳିଛି ଏବଂ ବିକାଶର ପ୍ରବେଶ ପଥ ହୋଇଛି ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା । ଦିଲ୍ଲୀ ଓ ଭୁବନେଶ୍ୱରରେ ଭାଜପା ଶାସନକୁ ଡବଲ ଇଞ୍ଜିନ ସରକାର ବୋଲି କୁହାଯାଉଛି ।
ଓଡ଼ିଶାକୁ ମୋଦିଜୀ ଗତ ବର୍ଷକ ମଧ୍ୟରେ ପାଞ୍ଚଥର ଆସିସାରିଛନ୍ତି । ଷଷ୍ଠ ଥର ପାଇଁ ଆଗାମୀ ୨୦ ତାରିଖରେ ଆସୁଛନ୍ତି । ଏହା ଆମ ରାଜ୍ୟର ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ଦୃଶ୍ୟମାନ ପ୍ରମାଣ । ନୀତି, ଲକ୍ଷ୍ୟ ଓ ମାନସିକତା ଠିକ୍ ରହିଲେ, ବିକାଶର ପ୍ରକ୍ରିୟା ନିରନ୍ତର ଆଗକୁ ବଢ଼େ, ଏହାର ଅନେକ ପ୍ରମାଣ ମିଳିସାରିଛି । କିଛି ମାସ ତଳେ, ଅଦିନିଆ ଅକସ୍ମାତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯେଭଳି ତତ୍ପରତା ସହିତ ସହାୟତା ଦିଆଗଲା, ତାହା ନିଶ୍ଚୟ ଅଭୂତପୂର୍ବ । ରେଳଗାଡ଼ିର ଇଞ୍ଜିନ ବଦଳିବା ସମୟରେ ରେଳ ଜଙ୍କସନରେ ଗାଡ଼ିର ରହଣି ସମୟ ସ୍ୱାଭାବିକ ଭାବେ ଅଧିକ ରହିଥାଏ । ତାହାଛଡ଼ା, ଦୁଇ ଦଶନ୍ଧିରୁ ଅଧିକ କାଳ ନିରନ୍ତର କ୍ଷମତାରେ ଥିବା ଗୋଟିଏ ସରକାରର କାର୍ଯ୍ୟଶୈଳୀ, ଅନୁଭବ ଓ ବେଗରେ କିଛି ସମୟ ପାଇଁ ଇଞ୍ଜିନ ବଦଳିବା ପରେ ପରେ ବ୍ୟାହତ ହୁଏ । ଧାରଣାର ଅବସ୍ଥା ଦେଖି ବହୁ ଡବାବିଶିଷ୍ଟ ରେଳଗାଡ଼ି ଡବଲ ଇଞ୍ଜିନ ସାହାଯ୍ୟରେ ଆଗକୁ ବଢ଼େ । ଏହାହିଁ ମୋହନ ସରକାର ଉତ୍ତରାଧିକାର ସୂତ୍ରରେ ପାଇଥିବା ବ୍ୟବସ୍ଥା କାରଣରୁ ପ୍ରତୀୟମାନ ହେଉଥିବା ମନ୍ଥର ଗତିର କାରଣ । ମୁଖ୍ୟମନ୍ତ୍ରୀଙ୍କ ସମେତ କେହି ବି ମନ୍ତ୍ରୀ ଅତୀତରେ ରାଜ୍ୟ- ଶାସନଦଣ୍ଡ ଧରିବାର ଅଭିଜ୍ଞତା ଅର୍ଜନ କରିନଥିଲେ । କେବଳ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକମାତ୍ର ବ୍ୟତିକ୍ରମ । ଦୁଇଦଶନ୍ଧି ଧରି ଗୋଟିଏ ବିବର୍ତ୍ତିତ ଧାରାରେ ସଶବ୍ଦେ ଧାବମାନ ପ୍ରଚାରସର୍ବସ୍ୱ ରେଳଗାଡ଼ିର ଗତି ସହିତ ମାତ୍ର ଏକ-ବର୍ଷୀୟ "ଲୋକଙ୍କ ସରକାର'ର ଗତିକୁ ତୁଳନା କରିବା ସମୀଚୀନ ହେବନାହିଁ ।
ସଦ୍ୟତମ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ଇକୋନୋମିକ୍ ପ୍ରସପେକ୍ଟ ରିପୋର୍ଟରୁ ଜଣାଯାଏ ଯେ, ବୈଶ୍ୱିକ ହାରାହାରି ଅଭିବୃଦ୍ଧି ହାର ୨.୩, ଆମେରିକାର ୧.୪ ଓ ଚୀନର ୪.୦ ପ୍ରତିଶତ ରହିବା ବେଳେ ଭାରତର ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ଅଧିକ ରହିବ । ଦେଶର ଅଭିବୃଦ୍ଧି ହାର ବଢ଼ିବାରେ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ପ୍ରତିଟି ପଦକ୍ଷେପ ଗୁରୁତ୍ୱ ବହନ କରେ । ସେଥିପାଇଁ ପୂର୍ବୋଦୟ କଥା କୁହାଯାଉଛି ଓ ଓଡ଼ିଶା ବିକାଶକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସିବା କଥାରୁ ଏହା ପ୍ରମାଣିତ । ମୋହନ ସରକାରଙ୍କ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାରେ ୧କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ସହାୟତା, ଚାଷୀଙ୍କଠାରୁ ଧାନ କିଣିଲାବେଳେ, ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଅଧିକ ୮୦୦ ଟଙ୍କାର ଇନପୁଟ ରିହାତି, ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ, ରତ୍ନଭଣ୍ଡାର ଖୋଲାଯାଇ ମରାମତି, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ କୁଳପତି, ଅଧ୍ୟାପକ ନିଯୁକ୍ତି, ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ, ବିଶେଷକରି ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି କରିବା ପାଇଁ ସରକାରଙ୍କ ଅବଦାନ ପ୍ରଶଂସନୀୟ । ଶାସନର ପ୍ରଥମ ବର୍ଷରେ ୨୧ଟି ସଂକଳ୍ପ ମଧ୍ୟରୁ ୧୧ଟି ପୂରଣ କରିସାରିଥିବା ଓ ଆଉ ତିନୋଟିକୁ କାର୍ଯ୍ୟକାରୀ କରିବାର ପ୍ରସ୍ତୁତି ଚାଲିଥିବା ବିଷୟରେ ସରକାର ସୂଚନା ଦେଉଛନ୍ତି । ସରକାରଙ୍କ ବହୁଳ ଉଚ୍ଚାରିତ ବାକ୍ୟ ହୋଇଛି: କଥା ଦେଇଥିଲୁ, କଥା ରଖିଲୁ । ଆଗରୁ ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ କେବଳ ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଆସୁଥିଲା ।
ତତ୍କାଳୀନ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ନିଷ୍ଠାପର ସହଯୋଗ ମିଳିନଥିବାରୁ ପ୍ରସ୍ତାବଗୁଡିକ ପ୍ରସ୍ତାବରେ ରହିଯାଉଥିଲା । ମୋହନ ସରକାର ଉତ୍କର୍ଷ ଓଡ଼ିଶା ସମ୍ମିଳନୀ କରିଥିଲେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବା ସହ ସେମାନଙ୍କୁ ମୋଦି ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଇଥିଲେ । ଫଳସ୍ୱରୂପ, ପ୍ରାୟ ୧୭ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିସାରିଛି । ସେଥିମଧ୍ୟରୁ କେତେକ ଶିଳ୍ପସଂସ୍ଥା କାମ ଆରମ୍ଭ କଲେଣି, ଅନେକଙ୍କର ଭିତ୍ତିପ୍ରସ୍ତର ସ୍ଥାପନ ହେଲାଣି । ସରକାରଙ୍କ ନିଷ୍ଠାପର ଉଦ୍ୟମ ଫଳରେ, ଆସୁଥିବା ବିଭିନ୍ନ ପ୍ରକାର ପ୍ରସ୍ତାବକୁ କମ୍ ସମୟରେ କ୍ରିୟାନ୍ୱୟନ କରାଯାଇ ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ଯୋଗାଇ ଦେବାକୁ ସରକାର ପ୍ରଧାନ୍ୟ ଦେଉଛନ୍ତି । ଶାସନରେ ଗଣତନ୍ତ୍ରକୁ ପୁନଃପ୍ରତିଷ୍ଠା କରିବା ସହ କାୟାପରିବର୍ତ୍ତନ ଚାଲିଛି । ସରକାର ଏବେ ଲୋକକୈନ୍ଦ୍ରିକ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଓଡ଼ିଆ ଭାଷାରେ କଥା କହୁଛନ୍ତି, ଲୋକଙ୍କୁ ଭେଟୁଛନ୍ତି ଓ ଅଭିଯୋଗ ଶୁଣୁଛନ୍ତି । ଦୁର୍ନୀତିରେ ଜଡ଼ିତ ସର୍ବୋଚ୍ଚ ଅଧିକାରୀଙ୍କ ପ୍ରତି ଶୂନ୍ୟ- ସହନଶୀଳତା ପ୍ରଦର୍ଶନ କରୁଛନ୍ତି । ଏବେ ନିଜର ଦୋଷତ୍ରୁଟିରେ ସୁଧାର ଆଣି ଅଧିକ କ୍ରିୟାଶୀଳ ହେବାର ପ୍ରୟାସ କଲେ, ଶ୍ରୀଜଗନ୍ନାଥ "ଲୋକଙ୍କ ସରକାର'କୁ ଆଶୀର୍ବାଦ ପ୍ରଦାନ କରିବେ।