ଭୁବନେଶ୍ବର, ୧୫।୭ : କେନ୍ଦ୍ର କ୍ୟାବିନେଟରେ ପାରାଦୀପ - ହରିଦାସପୁର ରେଳପ ଦୋହରୀକରଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାସହିତ ରାଜଖରସୁଆଁ ଓ ଡାଙ୍ଗୋପୋଷୀ ଚତୁର୍ଥ ଲେନ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି | ଦୁଇ ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୩,୯୦୭ କୋଟି ଟଙ୍କା ।

ଓଡ଼ିଶା ଏବଂ ଝାଡ଼ଖଣ୍ଡ ରାଜ୍ୟର ୪ଟି ଜିଲ୍ଲାକୁ କଭର କରୁଥିବା ଦୁଇ ପ୍ରକଳ୍ପ ଭାରତୀୟ ରେଳବାଇର ବିଦ୍ୟମାନ ନେଟୱାର୍କକୁ ପ୍ରାୟ ୧୪୫ କିଲୋମିଟର ବୃଦ୍ଧି କରିବ । ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନରେ ଯୋଜନା କରାଯାଇଛି, ଯେଉଁଥିରେ ସମନ୍ୱିତ ଯୋଜନା ଏବଂ ଅଂଶୀଦାରମାନଙ୍କ ପରାମର୍ଶ ମାଧ୍ୟମରେ ବହୁ-ମୋଡାଲ ସଂଯୋଗ ଏବଂ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦିଆଯାଇଛି ।

ଏହି ପ୍ରକଳ୍ପଗୁଡ଼ିକ ଲୋକ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ସୁଗମ ସଂଯୋଗ ପ୍ରଦାନ କରିବ । ପ୍ରସ୍ତାବିତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପ୍ରାୟ ୧୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୧୫୨୬ ଗ୍ରାମକୁ ସଂଯୋଗୀକରଣ ବୃଦ୍ଧି କରିବ। ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦ୍ୱାରା ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହିତ ରେଳ ସଂଯୋଗୀ କରଣରେ ଉନ୍ନତି ଆଣିବ । ଯେପରିକି ଲଳିତଗିରି ବୌଦ୍ଧ କମ୍ପ୍ଲେକ୍ସ, ଶ୍ରୀ ବଳଦେବଜୀଉ ମନ୍ଦିର, ମେଘାହାଟୁବୁରୁ ପାହାଡ଼ ଇତ୍ୟାଦିକୁ ରେଳ ସଂଯୋଗ ହେବ।