ନୂଆଦିଲ୍ଲୀ, ୧୫।୭: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରୁଷଠାରୁ ଶସ୍ତାରେ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ସଂସଦରେ ଆସିଥିବା ବିଲ୍ରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ପ୍ରସ୍ତାବିତ ୫୦୦ ପ୍ରତିଶତ ଟ୍ୟାରିଫକୁ ଏବେ ହ୍ରାସ କରାଯାଇ ସର୍ବାଧିକ ୧୦୦ ପ୍ରତିଶତ କରିବାକୁ ସଂଶୋଧିତ ବିଲ୍ରେ ପ୍ରସ୍ତାବ ଦିଆଯାଇଛି । ଏହି ନୂତନ ପରିବର୍ତ୍ତନ ପରେ ଭାରତ ଓ ଚୀନ୍ ଭଳି ପ୍ରମୁଖ ତେଲ ଆମଦାନୀକାରୀ ଦେଶଗୁଡ଼ିକୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଅନୁମାନ କରାଯାଉଛି ।
୫୦୦% ବଦଳରେ ୧୦୦% ରିଫ୍ ପ୍ରସ୍ତାବ:
ଆମେରିକାର ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ସାଂସଦମାନଙ୍କ ଦ୍ୱାରା ଆଗତ ହୋଇଥିବା ଏହି 'ରୁଷିଆ ପ୍ରତିବନ୍ଧକ ବିଲ୍' ର ନୂଆ ମସୁଦାରେ ଏହି ପରିବର୍ତ୍ତନ କରାଯାଇଛି । ପୂର୍ବରୁ ରୁଷଠାରୁ ତେଲ ଏବଂ ଗ୍ୟାସ୍ କିଣୁଥିବା ସମସ୍ତ ଦେଶ ଉପରେ ୫୦୦% ଟ୍ୟାରିଫ୍ ଲଗାଇବାକୁ ଯୋଜନା ହୋଇଥିଲା, ଯାହାକୁ ଏବେ କମାଇ ସର୍ବାଧିକ ୧୦୦% କରାଯାଇଛି । ସଂଶୋଧିତ ବିଲ୍ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରତିବନ୍ଧକ କୋହଳ କରିବା ପାଇଁ ସ୍ୱତନ୍ତ୍ର ଅଧିକାର ଦିଆଯିବ । ଯଦି ରାଷ୍ଟ୍ରପତି ମନେକରନ୍ତି ଯେ କୌଣସି ଦେଶକୁ ରିହାତି ଦେବା ଆମେରିକାର ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଜରୁରୀ, ତେବେ ସେ ସେହି ଦେଶ ଉପରୁ ପ୍ରତିବନ୍ଧକ କିମ୍ବା ଟ୍ୟାରିଫ୍ ହଟାଇ ପାରିବେ କିମ୍ବା କୋହଳ କରିପାରିବେ ।
ଏହା ବି ପଢ଼ନ୍ତୁ... India UK FTA: ଭାରତ-ୟୁକେ ମଧ୍ୟରେ ମୁକ୍ତ ବ୍ୟାପାର ଚୁକ୍ତି ଲାଗୁ, ବ୍ରିଟେନରେ ବିନା ଶୁଳ୍କରେ ବିକ୍ରି ହେବ ୯୯% ଭାରତୀୟ ଉତ୍ପାଦ
କେବଳ ଶୀର୍ଷ ୫ଟି ଦେଶ ଉପରେ ରହିବ ନଜର:
ପୂର୍ବରୁ ଏହି ନିୟମ ସମସ୍ତ ଆମଦାନୀକାରୀ ଦେଶଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ, ଏବେ ଏହାକୁ ସୀମିତ କରାଯାଇଛି । ରୁଷଠାରୁ ସବୁଠାରୁ ଅଧିକ ତେଲ ଓ ପ୍ରାକୃତିକ ଗ୍ୟାସ୍ କିଣୁଥିବା ଶୀର୍ଷ ୫ଟି ଦେଶ ଉପରେ ହିଁ ଏହି ନିୟମ ଲାଗୁ ହେବ । ଆମେରିକା ନଜରରେ ଭାରତ ଏବଂ ଚୀନ୍ ହେଉଛନ୍ତି ରୁଷିଆ ଅଶୋଧିତ ତେଲର ସବୁଠାରୁ ବଡ଼ କ୍ରେତା । ଏହି ବିଲ୍କୁ ଦିବଙ୍ଗତ ରିପବ୍ଲିକାନ୍ ସିନେଟର ଲିଣ୍ଡସେ ଗ୍ରାହାମ୍ ଏବଂ ଡେମୋକ୍ରାଟ୍ ସିନେଟର ରିଚାର୍ଡ ବ୍ଲୁମେନଥାଲ୍ଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହି ସଂଶୋଧିତ ବିଲ୍କୁ ଆମେରିକା ସଂସଦରେ ଉଭୟ ଦଳର ବଡ଼ ସମର୍ଥନ ମିଳୁଛି ଏବଂ ବର୍ତ୍ତମାନ ସୁଦ୍ଧା ୨୬ ଜଣ ସାଂସଦ ଏହାର କୋ-ସ୍ପୋନସର ଅଛନ୍ତି । ବର୍ତ୍ତମାନ ଏହି ପ୍ରସ୍ତାବ କେବଳ ଆମେରିକା କଂଗ୍ରେସରେ ଆଲୋଚନା ପର୍ଯ୍ୟାୟରେ ରହିଛି । ସଂସଦର ଉଭୟ ସଦନରେ ଏହା ଗୃହୀତ ହେବା ଏବଂ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ହିଁ ଏହା ଆଇନରେ ପରିଣତ ହେବ । ତେଣୁ ଏହି ବିଲ୍ର ଆଗାମୀ ଗତିବିଧି ଉପରେ ଭାରତ ସମେତ ସାରା ବିଶ୍ୱର ନଜର ରହିଛି ।