ବ୍ୟୁରୋ ୧୫/୦୭ : ଆଜିକାଲି ମୋବାଇଲ୍ ଫୋନ୍, ଟିଭି, ରେଫ୍ରିଜରେଟର୍, ଲାପଟପ୍ କିମ୍ବା ଅନ୍ୟାନ୍ୟ ଦାମୀ ସାମଗ୍ରୀ କିଣିବା ପୂର୍ବ ଅପେକ୍ଷା ବହୁତ ସହଜ ହୋଇଯାଇଛି। ଏହାର ସବୁଠାରୁ ବଡ଼ କାରଣ ହେଉଛିନୋ-କଷ୍ଟ EMI। ଅନଲାଇନ୍ ସପିଂ ପ୍ଲାଟଫର୍ମ ହେଉ କି ଅଫଲାଇନ୍ ଷ୍ଟୋର, ପ୍ରାୟ ସବୁଠି"0% ସୁଧ"ଓ"ନୋ-ଅତିରିକ୍ତ କଷ୍ଟ EMI"ଭଳି ଆକର୍ଷଣୀୟ ଅଫର୍ ଦେଖିବାକୁ ମିଳେ । ଏଭଳି ବିଜ୍ଞାପନ ଦେଖି ଅନେକ ଲୋକ ତୁରନ୍ତ କ୍ରୟ କରିବାକୁ ନିଷ୍ପତ୍ତି ନେଇଥାନ୍ତି, କାରଣ ସେମାନଙ୍କୁ ଏକକାଳୀନ ବଡ଼ ରାଶିର ଟଙ୍କା ଦେବାକୁ ପଡ଼େ ନାହିଁ । କିନ୍ତୁ ପ୍ରଶ୍ନ ହେଉଛି,ନୋ-କଷ୍ଟ EMI ସତରେ ସମ୍ପୂର୍ଣ୍ଣ ମାଗଣା କି ? ବାସ୍ତବରେ ଏଭଳି ଅଫର ସହ ସାଧାରଣତଃ କିଛି ସର୍ତ୍ତ ଓ ଲୁଚିଥିବା ଖର୍ଚ୍ଚ ଜଡ଼ିତ ଥାଏ ଯାହା ବିଷୟରେ ଅନେକ ଗ୍ରାହକ ପରେ ଜାଣିଥାନ୍ତି। ସେଥିପାଇଁ କୌଣସି EMI ଅଫର ନେବା ପୂର୍ବରୁ ଏହାର ସମସ୍ତ ନିୟମ ଓ ସର୍ତ୍ତକୁ ଭଲଭାବେ ବୁଝିବା ଆବଶ୍ୟକ।
ସରଳରେ କହିଲେ ନୋ-କଷ୍ଟ EMI ହେଉଛି ଏକ ସୁବିଧା, ଯେଉଁଥିରେ ଆପଣ କୌଣସି ସାମଗ୍ରୀର ମୂଲ୍ୟକୁ ଏକାଥରେ ଦେବା ପରିବର୍ତ୍ତେ ମାସିକ କିସ୍ତି ବା EMI ଆକାରରେ ପରିଶୋଧ କରନ୍ତି। କମ୍ପାନୀ କିମ୍ବା ବ୍ୟାଙ୍କ ଦାବି କରେ ଯେ ଏଥିରେ ଆପଣଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ। ଉଦାହରଣ ସ୍ୱରୂପ ଯଦି ଆପଣ ୩୦ହଜାରର ଏକ ମୋବାଇଲ୍ ଫୋନ୍ କିଣି ୧୦ ମାସର ନୋ-କଷ୍ଟ EMI ବାଛନ୍ତି, ତେବେ ପ୍ରତିମାସ ପ୍ରାୟ ୩ହଜାର ଦେବେ। ଦେଖିବାକୁ ଲାଗେ ଯେ ଆପଣ ସୁଧ ବିନା ମୋବାଇଲ୍ କିଣିଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସବୁବେଳେ ଏମିତି ନୁହେଁ।
ଅଧିକ ପଢନ୍ତୁ ;- ଅପହରଣ ହୋଇଥିଲା ଝିଅ, ପୁଲିସ ପାରିଲାନି... ରାକ୍ଷସଙ୍କ ଠୁ ଝିଅକୁ ଛଡ଼ାଇ ଆଣିଲେ ବାପା
ତେବେ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀ ଟଙ୍କା କେମିତି ରୋଜଗାର କରନ୍ତି ? ଯଦି ସୁଧ ନେଉନାହାନ୍ତି, ତେବେ ସେମାନଙ୍କର ଆୟ କେଉଁଠୁ ଆସେ ? ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହାର ଉତ୍ତର ଅଫରର ସର୍ତ୍ତାବଳୀରେ ଲୁଚିଥାଏ। ଅନେକ କ୍ଷେତ୍ରରେ ଆପଣ ଏକକାଳୀନ ଦେୟ ଦେଲେ ଯେଉଁ ରିହାତି ପାଇଥାନ୍ତେ, ନୋ-କଷ୍ଟ EMI ବାଛିଲେ ସେହି ରିହାତି କମିଯାଏ କିମ୍ବା ମିଳେନାହିଁ। କିଛି କ୍ଷେତ୍ରରେ ପ୍ରୋସେସିଂ ଫି, ଡକ୍ୟୁମେଣ୍ଟେସନ୍ ଚାର୍ଜ କିମ୍ବା ଅନ୍ୟାନ୍ୟ ଶୁଳ୍କ ମଧ୍ୟ ଦେବାକୁ ପଡ଼େ। ତେଣୁ କେବଳ"0% ସୁଧ"ଦେଖି ନିଷ୍ପତ୍ତି ନେବା ବୁଦ୍ଧିମାନର କାମ ନୁହେଁ ।
- ନୋ-କଷ୍ଟ EMIର ସବୁଠାରୁ ବଡ଼ ଫାନ୍ଦ ହେଉଛି ସିକ୍ରେଟ ଚାର୍ଜ
- ପ୍ରୋସେସିଂ ଫି ସାଧାରଣତଃ ୯୯ରୁ୨୯୯ ପର୍ଯ୍ୟନ୍ତ ହୋଇପାରେ
- ସୁଧ ଅଂଶ ଉପରେ୧୮% GST ଲାଗିପାରେ
- EMI ପୂର୍ବରୁ ବନ୍ଦକଲେ ୨% ରୁ ୩% ପର୍ଯ୍ୟନ୍ତ ପ୍ରି-କ୍ଲୋଜର ଚାର୍ଜ ଦେବାକୁ ପଡ଼ିପାରେ
- ଏହି ସମସ୍ତ ଖର୍ଚ୍ଚକୁ ମିଶାଇଲେ, "ମାଗଣା" EMI ବାସ୍ତବରେ ଆପଣଙ୍କୁ ଅଧିକ ମହଙ୍ଗା ପଡ଼ିପାରେ
ବିଶେଷଜ୍ଞଙ୍କ ମତରେ ଯେତେବେଳେ ଗ୍ରାହକଙ୍କୁ ଏକକାଳୀନ ବଡ଼ ରାଶି ଦେବାକୁ ପଡ଼େନାହିଁ, ସେମାନେ ଖର୍ଚ୍ଚକୁ ଛୋଟ ଭାବରେ ଦେଖନ୍ତି। ଏହାର ସୁଯୋଗ ନେଇ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ସେମାନଙ୍କ ବଜେଟ୍ଠାରୁ ଅଧିକ ଦାମର ସାମଗ୍ରୀ କିଣିବାକୁ ପ୍ରେରିତ କରନ୍ତି। ଏହାସହିତ EMI ବାଛିବା ବେଳେ ଆପଣଙ୍କ ନାମରେ ଏକ ଋଣ ରେକର୍ଡ ସୃଷ୍ଟି ହୁଏ। ଯଦି ସମୟରେ EMI ପରିଶୋଧ କରନ୍ତି, ତେବେ CIBIL ସ୍କୋର ଭଲ ରହେ । କିନ୍ତୁ EMI ବିଳମ୍ବରେ ଦେଲେ ଅଧିକ ଶୁଳ୍କ ଲାଗିପାରେ ବା CIBIL ସ୍କୋର ଖରାପ ହୋଇପାରେ। ଯାହା ଭବିଷ୍ୟତରେ ଘର ଋଣ କିମ୍ବା କାର ଲୋନ୍ ପାଇବା କଷ୍ଟକର ହୋଇପାରେ।
କିଣିବା ପୂର୍ବରୁ ଧ୍ୟାନ ଦିଅନ୍ତୁ
- କେବଳ EMI ନୁହେଁ, ସାମଗ୍ରୀର ମୋଟ ମୂଲ୍ୟ ଯାଞ୍ଚ କରନ୍ତୁ
- ପ୍ରୋସେସିଂ ଫି ଓ ଅନ୍ୟାନ୍ୟ ଚାର୍ଜ ବିଷୟରେ ଜାଣନ୍ତୁ
- ଅଫରର ସମସ୍ତ ନିୟମ ଓ ସର୍ତ୍ତ ପଢ଼ନ୍ତୁ
- ନିଜ ଆୟ ଅନୁଯାୟୀ EMI ବାଛନ୍ତୁ
- ଅଫର ଦେଖି ନୁହେଁ, ଆବଶ୍ୟକତା ଦେଖି କିଣନ୍ତୁ