ସାଂପ୍ରଦାୟିକ ମନ୍ତବ୍ୟ ଦେଇ ଅଡ଼ୁଆରେ ଏ.ଆର ରେହମାନ
କହିଲେ ବଲିଉଡରେ ଗତ ୮ବର୍ଷ ହେବ ତାଙ୍କୁ କାମ ମିଳୁନି
ନିଜର ସ୍ପଷ୍ଟୀକରଣ ଦେଲେ ରେହମାନ
ମୁମ୍ୱାଇ : ଓସ୍କାର ବିଜେତା ମ୍ୟୁଜିକ୍ କମ୍ପୋଜର ତଥା ସିଙ୍ଗର ଏଆର ରେହମାନ ଅଡ଼ୁଆରେ ପଡ଼ି ଯାଇଛନ୍ତି। ନିଜର ଏକ ମନ୍ତବ୍ୟ କାରଣରୁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ତାଙ୍କ ପାଖରେ ବଲିଉଡ୍ରେ ଗତ ୮ ବର୍ଷ ହେବ କାମ ନାହିଁ ଏବଂ ଏହାର କାରଣ ସାଂପ୍ରଦାୟିକତା ହୋଇ ପାରେ। ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡ଼ିଆରେ ତାଙ୍କର ସମାଲୋଚନା ହେଉଛି। ଏବେ ଏଆର ରେହମାନ ନିଜର ଏହି ମନ୍ତବ୍ୟ ଉପରେ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କର ଉଦ୍ଦେଶ୍ୟ କାହାକୁ ଆଘାତ ଦେବାକୁ ନଥିଲା। ସେ କହିଥିଲେ ଯେ, ଭାରତ ତାଙ୍କର ଘର ଏବଂ ଭାରତ ତାଙ୍କୁ ସର୍ବଦା ପ୍ରେରଣା ଦେଇଛି।
ଏହାସହ ମଧ୍ୟ ପଢନ୍ତୁ : ଏ.ଆର. ରେହମାନଙ୍କ ବିବାଦୀୟ ବୟାନ, ବଲିଉଡ୍ରେ ସାମ୍ପ୍ରଦାୟିକତାକୁ ନେଇ କହିଲେ ଏମିତି
ଏଆର ରେହମାନ ଭିଡ଼ିଓ ପୋଷ୍ଟ କରି ନିଜର ସଫେଇ ଦେଇଛନ୍ତି। ଏଆର ରେହମାନ କହିଛନ୍ତି – ପ୍ରିୟ ବନ୍ଧୁ , ମ୍ୟୁଜିକ୍ ସର୍ବଦା ମୋ ପାଇଁ ଏକ ମାଧ୍ୟମ ଭାବେ ରହିଛି- କୌଣସି ସଂସ୍କୃତିକୁ ଯୋଡ଼ିବା , ଏହାର ଉତ୍ସବ ପାଳନ କରିବା ଓ ସମ୍ମାନ କରିବା ପାଇଁ। ଭାରତ ମୋର ପ୍ରେରଣା , ମୋର ଗୁରୁ ଓ ମୋ ଘର। ମୁଁ ବୁଝୁଛୁ ଯେ, କଥାକୁ କେବେ କେବେ ଭୁଲ୍ ଭାବେ ବୁଝା ଯାଇଥାଏ , କିନ୍ତୁ ମୋର ଉଦ୍ଦେଶ୍ୟ କାହାକୁ ଆଘାତ ଦେବାକୁ ନଥିଲା ଏବଂ ଆଶା କରୁଛି ଯେ, ମୋର ବାସ୍ତବତାକୁ ଅନୁଭବ କରିବେ।
ଉକ୍ତ ଭିଡ଼ିଓରେ ଏଆର ରେହମାନ ନିଜର ଅଲଗା ଅଲଗା ପ୍ରୋଜେକ୍ଟ ବିଷୟରେ କହିଛନ୍ତି। ସେ WAVES ଶିଖର ସମ୍ମିଳନୀରେ ନିଜର ପ୍ରଦର୍ଶନରୁ ନେଇ ନାଗା ମ୍ୟୁଜିସିଆନ୍ସଙ୍କ ସହ କୋଲାବୋରେସନ କରିବା, ସନଶାଇନ୍ ଆର୍କିଷ୍ଟାକୁ ମେଣ୍ଟର କରିବା ଓ ଭାରତର ପ୍ରଥମ ମଲ୍ଟିକଲଚର ବ୍ୟାଣ୍ଡ ସିକ୍ରେଟ୍ ମାଉଣ୍ଟେନ ଗଠନ କରିବା କଥା କହିଛନ୍ତ। ଏ.ଆର ରେହମାନ ରଣବୀର କପୁରଙ୍କ ରାମାୟଣରେ ମ୍ୟୁଜିକ୍ ଦେବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି।
ଏ.ଆର ରେହମାନଙ୍କ ଏହି ଭିଡ଼ିଓରେ ସୋସିଆଲ ମିଡ଼ିଆ ୟୁଜର୍ସ ମଧ୍ୟ ରିଆକ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତ – ଆମେ ଆପଣଙ୍କୁ ଭଲ ପାଉଛୁ ସାର୍ , ଆମକୁ ପ୍ରେରଣା ଦେଇ ଚାଲନ୍ତୁ। ଆଉ ଜଣେ ୟୁଜର ଲେଖିଛନ୍ତି – ଆମ ସମସ୍ତଙ୍କୁ ଜଣାଅଛି ଯେ, ଆପଣ ମହାନ। ଆପଣଙ୍କୁ ସଫେଇ ଦେବାର କୌଣସି ଆବଶ୍ୟକତା ନାହିଁ। ଜଣେ ଲେଖିଛନ୍ତି – ସାର୍ ପ୍ଲିଜ୍ ଆପଣ କାହାକୁ କୌଣସି ସଫେଇ ଦିଅନ୍ତୁ ନାହିଁ।